ଦନ୍ତାକୁ ଗୁଳି ଘଟଣା; ସନ୍ଦେହରେ ବିଭାଗ: ଗନ୍ଧ ବାରି ପାରିଲେନି କି ଗର୍ଜନ ଶୁଣିପାରିଲେନି, କେମିତି ଚାଲିଥିଲା ଫୁଟ୍ ପାଟ୍ରୋଲିଂ?

ଅନୁଗୁଳ : ବନ କର୍ମଚାରୀମାନେ ପାଦରେ କରୁଥିଲେ ପାଟ୍ରୋଲିଂ। ଯେଉଁଠି ବିରାଟକାୟ ଦନ୍ତା ହାତୀ ଶେଷ ନିଃଶ୍ବାସ ଛାଡ଼ିଥିଲା, ତା ପାଖ ଅଞ୍ଚଳରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରିଥିଲେ। କିନ୍ତୁ ସେମାନେ ଜାଣିପାରିଲେନି କେମିତି? ଗତକାଲି ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜ କଟରଙ୍ଗ କ୍ୟାମ୍ପ୍‌ ଅଫିସ୍‌ ନିକଟରେ ଠାବ ହୋଇଥିବା ଗୁଳିବିଦ୍ଧ ଦନ୍ତା ହାତୀକୁ ନେଇ ପରିବେଶବିତ୍‌ଙ୍କ ମହଲରେ ଏମିତି ପ୍ରଶ୍ନ ଉଠିଛି। ଯେଉଁ ହାତୀ ମରି ପଡ଼ିଥିଲା, ତାହା କଟରଙ୍ଗ ଫରେଷ୍ଟ କ୍ୟାମ୍ପଠାରୁ ମାତ୍ର କେଇ ମିଟର ଦୂର। ହାତୀଭଳି ଏକ ବିରାଟ ପ୍ରାଣୀ ପ୍ରାଣ ଛାଡ଼ିଲା ବେଳେ ନିଶ୍ଚୟ ଗର୍ଜନ କରିଥିବ। ହାତୀର ଆର୍ତ୍ତ ଚିତ୍କାର ସ୍ଥାନୀୟ ଅଞ୍ଚଳକୁ କମ୍ପାଇ ଦେଇଥିବ। ହାତୀ ମରିଗଲା ପରେ ତାର ମୃତଦେହ ପଚି ଆଖପାଖ ଅଞ୍ଚଳକୁ ନିଶ୍ଚୟ ଗନ୍ଧେଇ ଦେଇଥିବ। କିନ୍ତୁ, ହାତୀ ମଲା ବେଳକୁ ବନ ବିଭାଗର କର୍ମଚାରୀମାନେ ସେ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ କରୁଥିଲେ, ଅଥଚ ହାତୀର ଗର୍ଜନ ଶୁଣିପାରିଲେନି କି ପଚାଗନ୍ଧ ବି ବାରି ପାରିଲେନି କେମିତି? ଏ ପ୍ରଶ୍ନ ସାତକୋଶିଆ କର୍ତୃପକ୍ଷଙ୍କୁ ସନ୍ଦେହର କାଠଗଡ଼ା ଭିତରକୁ ଟାଣି ଆଣିଛି। ବାସ୍ତବରେ, ହାତୀ ମୃତ୍ୟୁ ସମ୍ପର୍କରେ ସ୍ଥାନୀୟ ବନ କର୍ମଚାରୀମାନେ ଜାଣି ନଥିଲେ ନା, ଆଠଗଡ଼ ବନଖଣ୍ଡ ଭଳି ହାତୀ ଜନିତ ଅପରାଧକୁ ସବୁ ଦିନ ପାଇଁ ଲୁଚାଇ ଦେବାକୁ ଷଡ଼୍‌ଯନ୍ତ୍ର ରଚୁଥିଲେ?

ହାତୀକୁ ଗୁଳି କରି ହତ୍ୟା କରିବା ଘଟଣାକୁ ଏମିତି ସବୁ ସନ୍ଦେହ, ଆଶଙ୍କା ଏବଂ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଘଟଣାର ତଦନ୍ତ କରିବା ପାଇଁ ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ତଥା ଅନୁଗୁଳ ଆର୍‌ସିସିଏଫ୍‌ ସୁଧାଂଶୁ ଖରା ସାତକୋଶିଆ ଡିଏଫ୍‌ଓ ଡା. ସରୋଜ କୁମାର ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦର୍ଶାଇଛନ୍ତି, ହାତୀ ଯେଉଁ ଜାଗାରେ ମରିଛି, ସେ ଜାଗାକୁ ଆମ କର୍ମଚାରୀମାନେ କିଛି ଦିନ ତଳେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ତାର ଅନ୍‌ଲାଇନ୍‌ ରେକର୍ଡ ବି ରହିଛି। କିନ୍ତୁ, କର୍ମଚାରୀମାନେ ହାତୀ ମୃତ୍ୟୁ ସମ୍ପର୍କରେ କେମିତି ଜାଣିପାରିଲେ ନାହିଁ, ତାହାର ତଦନ୍ତ କରିବା ପାଇଁ ଡିଏଫ୍‌ଓ ଡା. ପଣ୍ଡାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ହାତୀକୁ ଶିକାର କରାଯାଇଥିବା ଆଶଙ୍କାକୁ ସେ ଏଡ଼ାଇ ଦେଇଛନ୍ତି। କହିଛନ୍ତି, ହାତୀକୁ ଶିକାର କରିବାର ଉଦ୍ଦେଶ୍ୟ କେବଳ ହାତୀଦାନ୍ତ ପାଇଁ ହୋଇଥାଏ। କିନ୍ତୁ, ଗତକାଲି ଯେଉଁ ଶବ ଜବତ ହେଲା, ସେଥିରେ ହାତୀଦାନ୍ତର କୌଣସି କ୍ଷତି ହୋଇନାହିଁ। ହାତୀର ଦାନ୍ତ ଅକ୍ଷତ ଅବସ୍ଥାରେ ଥିଲା। ତେଣୁ, ଶିକାର ନୁହେଁ ହାତୀକୁ ମାରିବାର କାରଣ ଅନ୍ୟ କିଛି ହୋଇପାରେ ବୋଲି ଆର୍‌ସିସିଏଫ୍‌ ଶ୍ରୀ ଖରା ଆଶଙ୍କା ପ୍ରକଟ କରିଛନ୍ତି। ତଥାପି, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏ ଘଟଣାରେ ଯଦି କୌଣସି ବନ କର୍ମଚାରୀଙ୍କର ସମ୍ପୃକ୍ତି କିମ୍ବା ଅବହେଳା ତଦନ୍ତରୁ ପଦାକୁ ଆସେ, ତେବେ ସେମାନଙ୍କ ବିରୋଧରେ ନିଶ୍ଚିତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର