ଧଣ୍ତାମୁଣ୍ତା ମଣ୍ତିରୁ ଚାଷୀଙ୍କ ଧାନ ଚୋରି

ଧଣ୍ତାମୁଣ୍ତା : ଖପ୍ରାଖୋଲ ବ୍ଲକ ଧଣ୍ତାମୁଣ୍ତା ମଣ୍ତିରୁ ଚାଷୀଙ୍କ ଧାନ ଚୋରି ହୋଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ପଡ଼ିଆବହାଲ ପଞ୍ଚାୟତ ଦେଦର୍ହ ଗାଁର ସୁବାସ ମେହେରଙ୍କ ଗଚ୍ଛିତ ୮୬ ପ୍ୟାକେଟରୁ ୧ ପ୍ୟାକେଟ ଧାନ, ପାଚେର ଗାଁର ଗଣେଶ ପଧାନଙ୍କ ୪୪୧ ପ୍ୟାକେଟରୁ ୧ ପ୍ୟାକେଟ ଏବଂ ଧଣ୍ତାମୁଣ୍ତା ପଞ୍ଚାୟତ ମାଲପଡ଼ା ଗାଁର ବିପିନ ବିହାରୀ ସାହୁଙ୍କ ୨୫୦ ପ୍ୟାକେଟ ଧାନରୁ ୨ ପ୍ୟାକେଟ ଚୋରି ହୋଇଛି। ମଣ୍ତି ଜଗିବାକୁ ଦୁଇଜଣ ରାତ୍ରି ଜଗୁଆଳି ନିୟୋଜିତ ଅଛନ୍ତି। ଏହା ସତ୍ତ୍ବେ ଚୋରି ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ମାତ୍ର ଦୁଇଟିକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ଅଚଳ ହୋଇପଡ଼ିଛି।

ଏ ବିଷୟରେ ଧଣ୍ତାମୁଣ୍ତା ପେକ୍ସ ସଂପାଦକ ବଂଶୀଧର ପଧାନଙ୍କୁ ପଚରାଯିବାରୁ ଅଧିକାଂଶ ଚାଷୀ ଟୋକନରେ ଯେତେ ଧାନ ପକାଇବା କଥା ତାଠାରୁ ଅଧିକ ପକାଉଛନ୍ତି, ପୁଣି ଅନେକ ଚାଷୀ ରାତିରେ ଧାନ ପକାଉଥିବାରୁ କେତେ ପଡୁଛି ତାହା ଜାଣିବାରେ ଅସୁବିଧା ହେଉଛି ବୋଲି କହିଥିଲେ। ଟୋକନ ମୁତାବକ ଧାନ ପକାଇବାକୁ ଚାଷୀମାନଙ୍କୁ କହିବା ସହିତ କିପରି ସୁରକ୍ଷିତ ଅବସ୍ଥାରେ ଚାଷୀ ତାଙ୍କର ଧାନ ବିକି ପାରିବେ ସେଥିପ୍ରତି ଧ୍ୟାନ ଦେବେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର