ସାପ୍ତାହିକ ହାଟରେ ଯୁବକଙ୍କୁ ଗୁଳିମାଡ଼; ମୁଖ୍ୟ ଅଭିଯୁକ୍ତ ସହ ୩ ଯୁବକ କୁଆରମୁଣ୍ଡାରୁ ଗିରଫ

 ୨ ଦେଶୀ ପିସ୍ତଲ, ୭ ଅଫୁଟା ଗୁଳି ଜବତ

ରାଉରକେଲା: ବେଦବ୍ୟାସ କଲୁଙ୍ଗାର ଜନଗହଳିପୁର୍ଣ୍ଣ କରୁଆବାହାଲ ସାପ୍ତାହିକ ହାଟରେ ଶୁକ୍ରବାର ଅପରାହ୍ନରେ ଗୁଳିକାଣ୍ଡ ହୋଇଛି। ଜଣେ ଯୁବକଙ୍କ ଗୁଳିରେ ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ପିଠିରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଡାକ୍ତର ଅସ୍ତ୍ରୋପଚାର ପରେ ପିଠିରେ ପଶିଥିବା ଗୁଳିକୁ ବାହାର କରିଦେଇଛନ୍ତି। ଜମି କିଣାବିକା କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଫେରାର ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣକୁ ବ୍ରାହ୍ମଣୀତରଙ୍ଗ ଓ କୁଆରମୁଣ୍ଡା ଫାଣ୍ଡି ପୁଲିସ କୁଆରମୁଣ୍ଡା ବଜାରର ଏକ ମଦ ଦୋକାନ ନିକଟରୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବଡମାରେନର ସୁନୀଲ ମାଝି (୪୦), ବିନୟ ଲୋହାର (୧୯) ଓ ଝାଡ଼ଖଣ୍ଡର ବିଶାଳ ସିଂହ (୪୮)। ଏମାନଙ୍କ ନିକଟରୁ ପୁଲିସ ୨ଟି ଦେଶୀ ପିସ୍ତଲ, ୭ ଅଫୁଟା ଗୁଳି ଜବତ କରିଛି। ଗିରଫ ତିନି ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଗୁଳିକାଣ୍ଡ ପରେ ସପ୍ତାହିକ ହାଟର ସୁରକ୍ଷାକୁ‌ ନେଇ ବ୍ୟବସାୟୀ ଓ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି। ଗୁଳିକାଣ୍ଡ କରିଥିବା ୩ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୁକ୍ତମାନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ କଲୁଙ୍ଗା କରୁଆବାହାଲ ବଜାରଦାଣ୍ଡ ବସ୍ତିରେ ସୁରେଶ ସୁରିନ (୩୨) ରହନ୍ତି। ଗତ ଦୁଇ ବର୍ଷ ଧରି ସୁନୀଲ ମାଝି ସହ ଜମିବାଡ଼ି କିଣାବିକାକୁ ନେଇ କଳିଝଗଡ଼ା ଲାଗି ରହିଥିଲା। ଗୁରୁବାର କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସୁରେଶ କରୁଆବାହାଲ ସାପ୍ତାହିକ ହାଟକୁ ସଉଦା କରିବାକୁ ଆସିଥିଲେ। ହାଟରେ ଅନ୍ୟ ଜଣଙ୍କ ସହ କଥା ହେଉଥିଲାବେଳେ ଏକ ବାଇକ୍‌ରେ ସୁନୀଲ, ବିନୟ ଓ ବିଶାଳ ପହଞ୍ଚି ପାଟିତୁଣ୍ଡ କରିଥିଲା।

ପ୍ରତିବାଦ କରିବାରୁ ସୁନୀଲ ପକେଟରୁ ଏକ ଦେଶୀ ବନ୍ଧୁକ ବାହାର କରି ସୁରେଶଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳିଟି ତାଙ୍କ ପଛପାର୍ଶ୍ବ ପିଠିରେ ବାଜିବାରୁ ସେ ଗୁରୁତର ହୋଇ ତଳେ ପଡିଯାଇଥିଲେ। ଗୁଳିକାଣ୍ଡ ପରେ ସୁନୀଲ, ବିନୟ ଓ ବିଶାଳ ଘଟଣାସ୍ଥଳରୁ ବାଇକ ‌ଯୋଗେ ଫେରାର ହୋଇଯାଇଥିଲା। ସୁରେଶଙ୍କୁ ଗୁରୁତର ଅବସ୍ଥା ତାଙ୍କ ବଡଭାଇ ଗସମର ଓ ଅନ୍ୟମାନେ ଉଦ୍ଧାର କରି ଆର୍‌ଜିଏଚ୍‌କୁ ଆଣିଥିଲେ। ଖବର ପାଇ କଲୁଙ୍ଗା ଫାଣ୍ଡି ପୁଲିସ ସୁନୀଲ ଓ ତା’ର ଦୁଇ ସହଯୋଗୀଙ୍କ ପିଛା କରିଥିଲେ ହେଁ, ତା’ର ପତ୍ତା ମିଳିନଥିଲା। ଫେରାର ତିନି ଯୁବକ କଲୁଙ୍ଗାରୁ ଚମ୍ପଟମାରି କୁଆରମୁଣ୍ଡା ବଜାରରେ ପହଞ୍ଚି ଏକ ମଦଦୋକାନକୁ ଯାଇଥିଲେ। ସେଠାରେ ମଦ ଦୋକାନୀକୁ ମଦ ମାଗିବା ସହ ଚାନ୍ଦା ଦେବାକୁ ଧମକ ଚମକ ଦେଇଥିଲେ। ଯାହାକୁ ନେଇ ମଦଦୋକାନରେ କାର୍ଯ୍ୟରତ କର୍ମଚାରୀ ଓ ତିନି ଅଭିଯୁକ୍ତମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପିଛା କରିଥିବା ବ୍ରାହ୍ମଣୀତରଙ୍ଗ ଓ କୁଆରମୁଣ୍ଡା ଫାଣ୍ଡି ପୁଲିସ ପହଞ୍ଚି ମଦଦୋକାନ ନିକଟରୁ ତିନିଜଣକୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର