ଉତ୍ତର ଓଡ଼ିଶା‌ରେ ସବୁ ନଦୀ ଉବୁଟୁବୁ, ବୈତରଣୀରେ ବନ୍ୟା ପରିସ୍ଥିତି

ସୁବର୍ଣ୍ଣରେଖା ଜଳସ୍ତର ବଢ଼ୁଛି, ବିପଦସଙ୍କେତ ଉପରେ ସାଳନ୍ଦୀ; ବୁଢ଼ାବଳଙ୍ଗ ବଢ଼ୁଛି, ବିପଦ ନାହିଁ

ଭଦ୍ରକ/ବାଲେଶ୍ବର/ବାରିପଦା/ମଞ୍ଜୁରୀରୋଡ୍‌-୧ : ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ପ୍ରାୟ ସମସ୍ତ ନଦୀର ଜଳପତ୍ତନ ବୃଦ୍ଧି ପାଇବା‌େରେ ଲାଗିଛି। ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ଉବୁଟୁବୁ ଅବସ୍ଥ‌ାରେ ରହିଛି।

ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ରବିବାର ସକାଳ ୫ଟା ସୁଦ୍ଧା ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ୧୭.୯୬ ମିଟରରେ ପ୍ରବାହିତ ହେଉଥିଲା। ଅପରାହ୍ନ ୫ଟା ପର୍ଯ୍ୟନ୍ତ ନଦୀ ଜଳସ୍ତର ସ୍ଥିର ରହିଥିବା ବେଳେ ସନ୍ଧ୍ୟା ପରେ ପୁଣି ବଢ଼ିବା ଆରମ୍ଭ କରିଛି। ଉପରମୁଣ୍ଡରେ ତୁହାକୁତୁହା ବର୍ଷା ହେଉଥିବାରୁ ସୋମବାର ବନ୍ୟା ପରିସ୍ଥିତି ଜଟିଳ ହେବ ବୋଲି ଅନୁମାନ କରାଯାଉଛି। ଭଣ୍ଡାରିପୋଖରୀ ବ୍ଲକର ନଦୀ ତଟବର୍ତ୍ତୀ ରହଣିଆ, ମାଳଦା, ନପଙ୍ଗ, ବାଲିପୋଖରୀ, ଷୋଳମପୁର, କୁରିଗାଁ, ବନ୍ଦାଳୋ-ମଢ଼ିଆଳି ଓ ଝୁଟୁଣା ପଞ୍ଚାୟତ ପ୍ରତି ବିପଦ ଆଶଙ୍କା ରହିଛି।

ସେପଟେ ବୈତରଣୀର ଉଦ୍‌ବୃତ୍ତ ଜଳ ଆରଡି-ମତୋ ଭାୟା ଧାନକଣିଆ ମୁଖ୍ୟରାସ୍ତାର ଭୂଇଁପୁର ଘୋଷରାଠାରେ ୨ ଫୁଟ୍‌ ଉଚ୍ଚରେ ପ୍ରବାହିତ ହେବା ଫଳରେ ଆରଡିରୁ ତିହିଡି ଓ ଆରଡିରୁ ମତୋକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ସାଳନ୍ଦୀ ମଧ୍ୟ ବିପଦ ସଙ୍କେତ ଟପିଛି। ରାଜଘାଟଠାରେ ବିପଦ ସଙ୍କେତ ୧୭.୦୨ ମିଟର ରହିଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ଏଠାରେ ଜଳସ୍ତର ୧୭.୧୫ ମିଟରରେ ପ୍ରବାହିତ ହେଉଥିଲା। ବନ୍ୟାଜଳ ନିଷ୍କାସନ ପାଇଁ ହଦଗଡ଼ ଡ୍ୟାମ୍‌ରୁ ୩ଟି ଗେଟ୍ ଖୋଲାଯାଇଛି। ଏଠାରୁ ୨୪ ଶହ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଏହାର ପ୍ରଭାବରେ ତିହିଡ଼ି, ଭଦ୍ରକ ଓ ଚାନ୍ଦବାଲି ବ୍ଲକର ଅନେକ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆରଡି ପଞ୍ଚାୟତର ଶୀତଳପୁରଠାରେ ସାଳନ୍ଦୀ ନଦୀବନ୍ଧ ଡେଇଁ ରାସ୍ତାରେ ପାଣି ଚାଲୁଛି। ଶାଖାନଦୀ ଗେଙ୍ଗୁଟି, ରେବ, କପାଳିରେ ବନ୍ୟା ଆସିବା ଫଳରେ ତିହିଡି ବ୍ଲକର ୫ଟି ପଞ୍ଚାୟତରେ ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ିରହିଛି। ଅନେକ ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଥିବା ଖବର ମିଳିଛି।
ସୁବର୍ଣ୍ଣରେଖାର ଜଳସ୍ତର ଧୀରେ ଧୀରେ ବଢ଼ୁଥିବା ବେଳେ ଜଳକା ନଦୀ ବିପଦ ସଙ୍କେତ ଅତିକ୍ରମ କରିଛି। ଫଳରେ ବସ୍ତା ବ୍ଲକର ମଥାନୀ, ଦୁଧହଂସା, ବାହାର୍ଦ୍ଦା, କୁଡ଼ିଆ, ବାସୁଚକୁରି, ବାଲେଶ୍ବର ସଦର ବ୍ଲକର ରସଲପୁର ଓ ଶ୍ରୀରାମପୁର ପଞ୍ଚାୟତର ଅନେକ ଗାଁ ରାସ୍ତା ଏବେ ପାଣିରେ ବୁଡ଼ିରହିଛି। ବର୍ଷା ଲାଗି ରହିଥିବାରୁ ଏକ ବଡ଼ବନ୍ୟାର ଆଶଙ୍କା ଦେଖାଦେଇଛି।

ସେହିପରି ମୟୂରଭଞ୍ଜର ଜୀବନରେଖା କୁହାଯାଉଥିବା ବୁଢ଼ାବଳଙ୍ଗ ନଦୀର ଜଳପତ୍ତନ ବଢ଼ିଥିଲେ ମଧ୍ୟ ବନ୍ୟା ବିପଦ ନଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ କୁହାଯାଇଛି।

ସମ୍ବନ୍ଧିତ ଖବର