ରାୟଗଡ଼ା‌ରେ ୫୦୬.୪ ମିମି ବର୍ଷା; ବଂଶଧାରା, ନାଗାବଳୀ ଫୁଲୁଛି

ରାୟଗଡ଼ା/ଗୁଣପୁର : ରାୟଗଡ଼ା ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବା ସହ ବିପଦ ମଧ୍ୟ ବଢ଼ିଛି। ଲଗାଣ ବର୍ଷା ସାରା ଜିଲ୍ଲାକୁ ପ୍ରଭାବିତ କରିଛି। ବର୍ଷା ପ୍ରଭାବରେ ଅହେତୁକ ଭାବେ ଫୁଲିବାରେ ଲାଗିଛି ବଂଶଧାରା, ନାଗାବଳୀ ନଦୀ। ବଂଶଧାରା ବିପଦ ସଙ୍କେତ ନିକଟତର ହୋଇଥିବା ବେଳେ ନାଗାବଳୀ ଜଳସ୍ତର ବୃଦ୍ଧି ପାଇ ଚାଲିଛି। ଫଳରେ ନଦୀ ତଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ୧୧ ବ୍ଲକ୍‌ରେ ୫୦୬.୪ ମିମି ବର୍ଷା ରେକର୍ଡ କରାଯାଇଛି।

ବଂଶଧାରା, ନାଗାବଳୀରେ ବନ୍ୟାଜଳ ପଶି ଜଳସ୍ତର ବୃଦ୍ଧି ପାଇବାରୁ ସଜାଗ ହୋଇଛି ପ୍ରଶାସନ। ସନ୍ଧ୍ୟା ସୁଦ୍ଧା ବଂଶଧାରା ୮୩.୨୯ ମିଟରରେ ପ୍ରବାହିତ ହେଉଥିଲା। ବିପଦ ସଙ୍କେତ ୮୪ ମିଟରରେ ରହିଛି। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ସାନ ନଦୀ ସମେତ ନାଳ ଗୁଡ଼ିକର ଜଳ ବଂଶଧାରାରେ ପଶିବାରୁ ଜଳସ୍ତର ବିପଦ ସଙ୍କେତ ଟପିବାର ଯଥେଷ୍ଟ ଆଶଙ୍କା ରହିଛି। ବଂଶଧାରା ଜଳସ୍ତର ଉପରେ ପ୍ରଶାସନ ନଜର ରଖିବା ସହ ଗୁଣପୁର, ଗୁଡାରି ବ୍ଲକ୍‌ ବିଡିଓଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ରାତିରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗୁଣପୁର ତହସିଲଦାର ଶରତ ନାୟକ କହିଛନ୍ତି।

ଗୁଣପୁରରେ ବଂଶଧାରା ବିପଦ ସଙ୍କେତ ନିକଟତର ହୋଇଥିବା ବେଳେ କାଶୀନଗରରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବର୍ଷା ପରିମାଣ ବଢ଼ିବା ଆଶଙ୍କା ଥିବାରୁ ପାଣିପାଗ ବିଭାଗ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ନାଗାବଳୀ ସ୍ଥିତି ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି। ଜଗନ୍ନାଥପୁରରେ ନାଗାବଳୀ କୂଳ ଲଂଘିବାରେ ଲାଗିଥିବାରୁ ଆଖପାଖରେ ଥିବା ୬୦ ପରିବାର ଭୟରେ ରାତି କାଟୁଛନ୍ତି।

ସୂଚନା ମୁତାବକ, ବଂଶଧାରା ଉପର ମୁଣ୍ଡରେ ଥିବା ଚନ୍ଦ୍ରପୁର ବ୍ଲକ୍‌ରେ ୭୪.୩ ମିମି, ଗୁଡାରି ବ୍ଲକ୍‌ରେ ୫୭ମିମି, ମୁନିଗୁଡ଼ା ବ୍ଲକ୍‌ରେ ୪୫.୩ ମିମି, ପଦ୍ମପୁର ବ୍ଲକ୍‌ରେ ୪୬.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ନାଗାବଳୀ ଉପରମୁଣ୍ଡ କଲ୍ୟାଣସିଂହପୁରରେ ୪୬.୪ ମିମି, କୋଲନରାରେ ୩୧.୨ ମିମି, ରାୟଗଡ଼ାରେ ୨୫.୨ ମିମି ବର୍ଷା ହୋଇଛି। ରାମନାଗୁଡାରେ ୫୧.୪ ମିମି, ବିଷମକଟକରେ ୨୪.୨ ମିମି, କାଶୀପୁରରେ ୫୯ ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା ଯୋଗୁ ରାମନାଗୁଡା, ଗୁଣପୁର, ପଦ୍ମପୁର, ରାୟଗଡ଼ା ବ୍ଲକ୍‌ରେ ବହୁ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ପରିବାରକୁ ପ୍ରଶାସନ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର