ଠିକାଦାରଙ୍କଠାରୁ ୧୦ ଲକ୍ଷ ବଟି!

ଘୁମୁସର ଏବେ ଛତିଶଗଡ଼ ନକ୍ସଲଙ୍କ କରିଡର୍‌

ଭଂଜନଗର:  ଭଂଜନଗର ଉପକଣ୍ଠରେ ଗତ କିଛି ଦିନ ତଳେ ଛତିଶଗଡ଼ୀ ସୁପାରି କିଲର୍‌ ବବୁଲ୍‌ ପାଶ୍‌ଓ୍ଵାନ୍‌କୁ ପୁଲିସ ଏନ୍‌କାଉଣ୍ଟର କରିଥିଲା। ଏକ ହତ୍ୟା ଯୋଜନାକୁ ରୂପ ଦେବାକୁ ସେ ଏଠାକୁ ଆସିଥିଲା। ହେଲେ ଠିକଣା ସମୟରେ ପୁଲିସର ପଦକ୍ଷେପ ଯୋଗୁଁ ଏହାକୁ ରୋକାଯାଇପାରିଥିଲା। ହେଲେ ଭଂଜନଗର ଉପଖଣ୍ଡର କିଛି ଗାଁ ବର୍ତମାନ ନକ୍ସଲଙ୍କ କରିଡ଼ର୍‌ ପାଲଟିଛି। ସୀମାନ୍ତ କନ୍ଧମାଳ ଜିଲ୍ଲା ଦେଇ ଭଂଜନଗର ଉପଖଣ୍ଡର ବିଭିନ୍ନ ଗାଁ ରାସ୍ତା ମଧ୍ୟ ଦେଇ ନୟାଗଡ଼ ଜିଲ୍ଲାର ଦଶପଲ୍ଲାକୁ ମାଓବାଦୀଙ୍କ ଚଳପ୍ରଚଳ ଜାରି ରହିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ (ନାମଗୋପନ ରଖିବା ସର୍ତରେ) ସୂତ୍ରରୁ ଏହି ସୂଚନା ସାମ୍ନାକୁ ଆସିଛି। ଖାସ୍‌ କରି ଭଂଜନଗର ଉପକଣ୍ଠ ଅଞ୍ଚଳକୁ ଛତିଶଗଡ଼ୀ ନକ୍ସଲ ମାନେ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଥିବା ଜଣାପଡ଼ିଛି। ରାସ୍ତା ଓ ଉନ୍ନୟନ କାମରେ ଜଡ଼ିତ ଠିକାଦାରଙ୍କୁ ଏମାନେ ଦାଦାବଟି ଆଦାୟ କରୁଛନ୍ତି। ରାଜନେତାଙ୍କଠୁ ବି ବଟି ଆଦାୟ ହୋଇଛି। ଅଳ୍ପ କିଛି ଦିନ ତଳେ ଜଣେ ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ନକ୍ସଲପ୍ରବଣ ଅଂଚଳରେ କାମ କରୁଥିବାରୁ ଏକ ନକ୍ସଲ ସଂଗଠନକୁ ୧୦ ଲକ୍ଷ ଟଙ୍କାର ବଟି ଦେଇଥିବା ପୁଲିସ ଗୁଇନ୍ଦା ସୂଚନା ପାଇଛି। ଏପରିକି ଭଂଜନଗର ଉପଖଣ୍ଡ ସମେତ ଗଂଜାମ ଜିଲ୍ଲାର ବହୁ ରାଜନେତା, ଜନପ୍ରତିନିଧି ବି ନକ୍ସଲଙ୍କୁ ମାସିକିଆ ବଟି ଓ ଆନୁଷଙ୍ଗିକ ସୁବିଧା ଦେଉଛନ୍ତି।

ବହୁ ସମୟରେ ସିଆରପିଏଫ୍‌ , ଗଂଜାମ ସ୍ୱତନ୍ତ୍ର ବାହିନୀ, ଏସଓଜି, ଆଇଆରବିଏନ୍‌, ଓଏସଏପି ଆଦି ଗୁପ୍ତରେ କମ୍ବିଂ ଅପରେସନ୍‌ କରୁଛନ୍ତି। ପୂର୍ବରୁ ଏଠାରେ ରାୟଗଡା-ଗଂଜାମ-ନୟାଗଡ ଜିଲ୍ଲାକୁ ନେଇ ବାଶଧରା ଘୁମୁସର ଡିଭିଜିନାଲ୍‌ କମିଟି ଗଠନ ହୋଇଥିଲା। ଏହାର ନେତୃତ୍ୱ ଜଣେ ଓଡିଆ ମାଓ ନେତା ନେଉ ଥିଲେ। ସେ ଆନ୍ଧ୍ର କ୍ୟାଡର ମାନଙ୍କୁ ଏହି ଅଂଚଳକୁ ମାଡିବାକୁ ସୁଯୋଗ ଦେଇ ନଥିଲେ। ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସର୍ମପଣ କରିଥିବା ଜାମ୍ପାନ୍ନା ଓରଫ ଗିନୁଗୁ ନରସିମ୍ମା ରେଡ୍ଡୀ ଛତିଶଗଡର ମେନ୍‌ପୁର ଡିଭିଜିନାଲ୍‌ କମିଟି ଆଦିର ଦାୟିତ୍ୱରେ ରହିଥିଲେ। ସେ ଓଡିଶାରେ  କାୟା ବିସ୍ତାର ପାଇଁ  କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ  (କେକେବିଏନ୍‌) ଡିଭିଜିନାଲ୍‌ କମିଟି ଗଠନ କରିଥିଲେ। ଏଠାରେ ବାଶଧରା ଘୁମୁସର ଡିଭିଜିନାଲ କମିଟିର ଚଳପ୍ରଚଳ ଏବଂ ଦବଦବା ରହିଥିବାରୁ କେକେବିଏନ୍‌ର ମାଓବାଦୀ ମାନେ ଛତିଶଗଡରୁ କଳାହାଣ୍ଡି ଦେଇ କନ୍ଧମାଳର ସାହାଜାଖୋଲ ଜଙ୍ଗଲ ଦେଇ ସୀମାନ୍ତ ଗଂଜାମ ଜିଲ୍ଲାର ଭଂଜନଗର ଉପଖଣ୍ଡରେ ଥିବା ସୋରଡା ବ୍ଲକର ଗୋଛା ରାସ୍ତାରେ ବାଇବଲି-ତଡମା, ବଜ୍ରକୋଟ-କାନବିନ୍ଧା-ଦରପଙ୍ଗିଆ-ରମ୍ଭା-ଦଦରଲୁଣ୍ଡା-ବ୍ରାହ୍ମଣପଦର ପାର୍ଶ୍ୱ ଗାଁ ଦେଇ-ଚାହାଳି-ନୂଆଗାଁ ଦେଇ ଦଶପଲ୍ଲା-ନୟାଗଡ ଜଙ୍ଗଲରେ ଯିବା ଆସିବା କରୁଥିଲେ। ସଂପ୍ରତି ବାଶଧରା-ଘୁମୁସର ଡିଭିିଜନାଲ କମିଟିର ଚଳପ୍ରଚଳ ଥମିବା ପରେ କେକେବିଏନ୍‌ ସଂଗଠନ ପୁଣି ସକ୍ରିୟ ହୋଇ ଉଠିଛି। କଳିଙ୍ଗାଘାଟିର ଉଲିଙ୍ଗିଆ-ରାଲିଙ୍ଗିଆ ଅଂଚଳରେ ନକ୍ସଲ ମାନଙ୍କ ଗତିବିଧି ଜାରି ରହିଛି। ଏପରିକି ଏମାନେ ଆସି ବିଭିନ୍ନ ଗାଁରେ ରାତ୍ରିଯାପନ କରିବା ସହ ଔଷଧ, ପନିପରିବା ସତେମ ବିଭିନ୍ନ ସାମଗ୍ରୀ ଜନପ୍ରତିନିଧିଙ୍କ ଜରିଆରେ କିଣି ନେଉଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଛି। ଗତ କିଛି ଦିନ ତଳେ ପୁଲିସ ପକ୍ଷରୁ କମ୍ବିଂ କରାଯାଇଥିଲା। ଏହା ଜାଣିବା ପରେ ନକ୍ସଲ୍‌ ମାନେ ସୀମାନ୍ତରେ ଥିବା କନ୍ଧମାଳ ଜଙ୍ଗଲ ଦେଇ ପଳାଇଛନ୍ତି।

ଅନ୍ୟପକ୍ଷରେ ନକ୍ସଲ ଚଳପ୍ରଚଳକୁ ନେଇ ସରକାରଙ୍କ ନିକଟରେ ସୂଚନା ରହୁଥିଲେ ହେଁ ଏମାନଙ୍କୁ ଦମନ କରିବାକୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ରହୁ ନଥିବାରୁ କେବଳ କମ୍ବିଂ କରି ତଡ଼ାଯାଉଛି ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି। ଏହା ଫଳରେ ନକ୍ସଲ ମାନେ ନିର୍ଭୟରେ ଅଂଚଳରେ ଆସି ବିଚରଣ କରୁଛନ୍ତି। ଏଭଳିକି ଗତ କିଛି ଦିନ ହେବ କେକେବିଏନ୍‌ ପକ୍ଷରୁ ନିଯୁକ୍ତି ମେଳା କରାଯାଇଥିଲା। ଏଥିରେ ଦୁର୍ଗମ ଗାଁର କିଛି ବେକାର ଶିକ୍ଷିତ ଯୁବକ, ଯୁବତୀ, ଅଧାପାଠୁଆ ଯୁବକ ଓ ଯୁବତୀ ମାନଙ୍କୁ ବି ଦଳରେ ସାମିଲ କରିବାକୁ ଯୋଜନା ଜାରି ରହିଥିବା ସୂଚନା ମିଳିଛି।  ଗଂଜାମ ଜିଲ୍ଲାରେ ମାଓ ଗତିବିଧି ହ୍ରାସ ପାଇଥିବା ନେଇ ସରକାର କହୁଥିଲେ ବି, କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏବେ ବି ଭଂଜନଗର ଉପଖଣ୍ଡ ସଦରମହକୁମା ସମେତ ଅଂଚଳରେ ବ୍ୟାପକ ଭାବେ ସିଆରପିଏଫ୍‌ ଓ ଆଇଆରବିଏନ୍‌ ଆଦି ବାଟାଲିଅନଙ୍କୁ ମୁତୟନ କରାଯାଇଛି।

 

ସମ୍ବନ୍ଧିତ ଖବର