ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଆଶାନୁରୂପ ପ୍ରଦର୍ଶନ କରିପାରୁ ନାହାନ୍ତି ଓଡ଼ିଆ। ଏହି ପ୍ରସଙ୍ଗରେ ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମଗଣା କୋଚିଂ ପାଇଁ ୪ କୋଟିର ବ୍ୟୟବରାଦ କରିଛନ୍ତି। ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ଆଇଏଏସ୍‌ କୋଚିଂ ଦିଆଚାଲିଛି। କେତେ ସଫଳ ହେବ କି ନାହିଁ ତାହା ପରୀକ୍ଷା ଫଳ ପ୍ରକାଶ ପରେ ଜଣାପଡ଼ିବ। ମାତ୍ର ଏ ବାବଦରେ ରାଜ୍ୟ ସରକାର ବାର୍ଷିକ ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।

Advertisment

ଇତି ମଧ୍ୟରେ ୨୦୨୩-୨୪ ଶିକ୍ଷାବର୍ଷରେ ମାଗଣା ଆଇଏଏସ୍‌ କୋଚିଂ ଦେବାକୁ ୨୦୦ଜଣଙ୍କୁ ଚୟନ କରାଯାଇ ରହିବା ଓ ଖାଇବା ସୁବିଧା ଯୋଗାଇ ଦିଆଯାଉଛି। ଏକ୍ୟୁ ଆଇଏଏସ୍‌ ଏକାଡେମି ମାଧ୍ୟମରେ ତାଲିମ ଦେବାର ବ୍ୟବସ୍ଥା ହୋଇଛି। ଷ୍ଟେଟ୍‌ ସିଲେକ୍ସନ ବୋର୍ଡ ଦ୍ବାରା କରାଯାଇଥିବା ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବା ସହ ‌ସେମାନଙ୍କ ଭଲ ମନ୍ଦ ବୁଝିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣେ ଓଏସ୍‌ଡିଙ୍କୁ ନିଯୁକ୍ତ କରାଯାଇଛି। କେବଳ କୋଚିଂ ବାବଦରେ ବର୍ଷକୁ ୨ କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଛାତ୍ରଛାତ୍ରୀଙ୍କ ରହିବା ଓ ଖାଇବା ବାବଦରେ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହିପରି ଭାବେ ବାର୍ଷିକ ୫ କୋଟି ୯୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ଆସନ୍ତା ୫ବର୍ଷରେ ରାଜ୍ୟ ସରକାର ୩୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରୂପରେଖ ପ୍ରସ୍ତୁତ କରିଛନ୍ତି।
ଏହି ଯୋଜନା କିଭଳି ସଫଳ ହେବ ସେଥିପାଇଁ ଏସ୍‌ଓପି ପ୍ରସ୍ତୁତ କରିବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ, ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମକ୍‌ ଟେଷ୍ଟ କରାଇବା, ମିଡ୍‌-ଟର୍ମ ସମୀକ୍ଷା କରିବା, ରାଜ୍ୟର ଆଇଏଏସ୍‌, ଓଏଏସ୍‌, ଓଏଫ୍‌ଏସ୍‌ ଅଧିକାରୀଙ୍କୁ ନିମନ୍ତ୍ରଣ କରି ସ୍ବତନ୍ତ୍ର ସେସନ୍‌ର ଆୟୋଜନ କରିବାକୁ କୁହାଯାଇଛି। ଯଦି ପରୀକ୍ଷା ଫଳ ଭଲ ନ ହୁଏ ତେବେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତ ୨୧ ତାରିଖରେ ଅନୁଷ୍ଠିତ ଅର୍ଥ କମିଟି ବୈଠକରେ ସ୍ଥିର ହୋଇଛି।

ବଜେଟ୍‌ରେ ୪ କୋଟିର ବ୍ୟୟବରାଦ
ଭଲ ଫଳ ନ ହେଲେ କାର୍ଯ୍ୟାନୁଷ୍ଠାନ
ପୂର୍ବରୁ ୨.୪୨ କୋଟି ବରବାଦ କରିଛନ୍ତି

ସରକାରୀ ସ୍ତରରେ ଓଡ଼ିଆ ପିଲାମାନଙ୍କୁ ତାଲିମ ଦେବାକୁ ୨୦୧୬-୧୭ ଆର୍ଥିକ ବର୍ଷରୁ ଯୋଜନା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଫଳତା ମିଳିପାରି ନାହିଁ। ୨୦୧୬ରୁ ୨୦୧୮ ମଧ୍ୟରେ ୮ଟି ବିଶ୍ୱବିଦ୍ୟାଳୟରେ ମାଗଣା କୋଚିଂ ବ୍ୟବସ୍ଥା କରିବାକୁ ୧ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୯ରେ ଧ୍ୟେୟ ଇନ୍‌ଷ୍ଟିଚ୍ୟୁଟ ସହ ଚୁକ୍ତି ସ୍ୱାକ୍ଷର କରି ଭୁବନେଶ୍ୱରରେ କୋଚିଂ ଦେବାର ବ୍ୟବସ୍ଥା କରିଥିଲେ। ପ୍ରଥମ ବ୍ୟାଚ୍‌ରେ ୯୯ ଜଣ ପିଲାଙ୍କ କୋଚିଂ ବାବଦରେ ରାଜ୍ୟ ସରକାର ୬୦ ଲକ୍ଷ ଟଙ୍କା‌ ଖର୍ଚ୍ଚ କରିଥିଲେ। ଏହିଭଳି ଭାବେ ରାଜ୍ୟ ସରକାର ସିଭିଲ୍‌ ସର୍ଭିସ୍‌ କୋଚିଂ ବାବଦରେ ୨ କୋଟି ୪୨ ଲକ୍ଷ ଖର୍ଚ୍ଚ କରି ସାରିଥିଲେ ମଧ୍ୟ ଜଣେ ହେଲେ ଗୋଟିଏ ପରୀକ୍ଷାରେ ପାସ୍‌ କରିପାରି ନାହାନ୍ତି। ଧ୍ୟେୟ ମାଧ୍ୟମରେ କୋଚିଂ ନେଇଥିବା ୯୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଜଣ ଓସିଏସ୍‌-୨୦୧୮, ୪ଜଣ ଓସିଏସ୍‌-୨୦୧୯ ପରୀକ୍ଷା କ୍ଲିଅର କରିଥିଲେ ଏବଂ ଜଣେ ୟୁପିଏସ୍‌ସି-୨୦୨୦ ପ୍ରିଲିମି କ୍ଲିୟର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଜଣେ ବି ହେଲେ ସିଭିଲ୍‌ ସର୍ଭିସ୍‌ରେ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ।