ବିଜୁଳି, ପାଣି ପାଇଁ କଲବଲ, ଜେନେରେଟର୍ ଭଡ଼ା ଘଣ୍ଟାକୁ ୨ ହଜାର

ହାତ ଟେକିଦେଇଛି ପୁଲିସ୍, ଅସହାୟ ପ୍ରଶାସନ, ସ୍ଥିତି କେବେ ସୁଧୁରିବ ଆକଳନ କରି ହେଉନି

ଭୁବନେଶ୍ବର : ‘ଫନି’ ତାଣ୍ଡବ ରଚାଇବାର ୪୮ ଘଣ୍ଟା ପୂରିଗଲାଣି। ପାଗ ଶୁଖିଲା ହୋଇଗଲାଣି। କିନ୍ତୁ ରାଜଧାନୀବାସୀଙ୍କ ଦୁର୍ଦ୍ଦଶା ବହୁ ଗୁଣରେ ବଢ଼ିଯାଇଛି। ଦିନ ଯେତିକି ବଢ଼ୁଛି, ସମସ୍ୟା ସେତିକି ବଢ଼ିବାରେ ଲାଗିଛି। ବିଶେଷ କରି ବିଜୁଳି, ପାଣି ପାଇଁ ଲୋକ କଲବଲ ହେଲେଣି। ସହରର ଯୁଆଡ଼େ ଚାହିଁବ, ସିଆଡ଼େ ହାହାକାର ସ୍ଥିତି। ସ୍ଥିତି କେବ ସୁଧୁରିବ, ତାହାର ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ପ୍ରଶାସନ ଠାରୁ ମିଳୁ ନ ଥିବାରୁ ରାଜଧାନୀରେ ଅଜଣା ଆତଙ୍କ ଖେଳିଗଲାଣି। ଦିନେ ଦୁଇ ଦିନ ଭିତରେ ବିଜୁଳି, ପାଣି ‌େଯାଗାଣ ସ୍ବାଭାବିକ ନ ହେଲେ ଲୋକଙ୍କ ଅବସ୍ଥା ଆହୁରି ସଙ୍ଗୀନ ହୋଇପଡ଼ିବ।

ଆଜି ସୁଦ୍ଧା ୧୦ ଲକ୍ଷ ଗ୍ରାହକଙ୍କୁ ବିଜୁଳି ସଂଯୋଗ ହେବ ବୋଲି ଗତକାଲି ଏସ୍‌୍ଆର୍‌ସି ସୂଚନା ଦେଇଥିଲେ। କିନ୍ତୁ ରାତି ସୁଦ୍ଧା‌ କେଉଁ ୧୦ ଲକ୍ଷ ଗ୍ରାହକଙ୍କ ଘରେ ଲାଇନ୍ ଜଳିଲା, ତାହା ଜଣାପଡ଼ିଲା ନାହିଁ। ରାଜଧାନୀର ଉପାନ୍ତ ଅଞ୍ଚଳ ଦୂରର କଥା, ଖୋଦ୍ ସହରର ମଧ୍ୟ ଭାଗରେ ବି ବିଜୁଳି ସଂଯୋଗ ହୋଇପାରି ନାହିଁ। ଆଜି ରାତି ସୁଦ୍ଧା କ୍ୟାପିଟାଲ୍‌ ହସ୍ପିଟାଲ୍, ବିମାନବନ୍ଦର ପରି କିଛି ଜରୁରୀ ସ୍ଥାନକୁ ବିଜୁଳି ସଂଯୋଗ ହେବ ବୋଲି ଶକ୍ତି ବିଭାଗ ଆଶ୍ବାସନା ଶୁଣାଇଛି।

ସାରା ରାଜଧାନୀରେ ଏବେ ଅନ୍ଧାର ରାଜୁତି କରୁଛି। ସନ୍ଧ୍ୟା ହେଲା ମାତ୍ରେ ସହରର ବିକଟାଳ ଚିତ୍ର ଦେଖିବାକୁ ମିଳୁଛି। ପୁଣି ରାସ୍ତା କଡ଼ରେ ଗଛ, ଡାଳପତ୍ର ପଡ଼ିଥିବାରୁ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁ ନ ଥିବାରୁ ବହୁ ସଂଖ୍ୟାରେ ଛୋଟ ଛୋଟ ଦୁର୍ଘଟଣା ଘଟୁଛି। ଅନ୍ଧାରର ସୁଯୋଗ ନେଇ ଲୁଟେରାମାନଙ୍କ ଉପଦ୍ରବ ବି ବଢ଼ିଯାଇଛି। ପୁଲିସ୍‌ ପାଟ୍ରୋଲିଂ ନାମକୁ ମାତ୍ର ଚାଲିଛି। ବିଜୁଳି ନ ଥିବାରୁ ସହରବାସୀ ସବୁପ୍ରକାର ମୌଳିକ ସମସ୍ୟା ଭୋଗୁଛନ୍ତି।

ପାଣି ସମସ୍ୟା ରାଜଧାନୀରେ ଅଧିକ ଉତ୍କଟ ଆକାର ଧାରଣ କରିଛି। ସବୁ ଅଞ୍ଚଳରେ ପାଣି ପାଇଁ ଲୋକ ଡହଳବିକଳ ହେଉଛନ୍ତି। ରାଜଧାନୀର ୪୦ ପ୍ରତିଶତ ଅଞ୍ଚଳକୁ ଜଳଯୋଗାଣ ‌ସ୍ବାଭାବିକ ହୋଇଛି ବୋଲି କୁହାଯାଉଥିଲେ ବି ତାହା ଅନୁଭବ କରି ହେଉ ନାହିଁ। ଜନସ୍ବାସ୍ଥ୍ୟ ଓ ବିଏମ୍‌ସି ପକ୍ଷରୁ ଟ୍ୟାଙ୍କର୍‌ ଯୋଗେ କିଛି କିଛି ସ୍ଥାନକୁ ପାଣି ପଠାଯାଉଛି। କିନ୍ତୁ ତାହା ଆବଶ୍ୟକତାକୁ ଚାହିଁ ଖୁବ୍ କମ୍। ପାଣି ଟ୍ୟାଙ୍କର୍ ଓ ନଳକୂପ ପାଖରେ ଲମ୍ବା ଲାଇନ୍ ଦେଖଇବାକୁ ମିଳୁଛି। ଆଉ କିଛି ଅଞ୍ଚଳରେ ଜେନେରେଟର୍ ଲଗାଇ ପାଣି ଯୋଗାଣ ହେଉଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ ପରି। ଘରେ, ବାହାରେ ସବୁଠି ଗଛପତ୍ର ଓ ଆବର୍ଜନା ପଡ଼ିଥିବାରୁ ଅଧିକ ପାଣି ଦରକାର ପଡ଼ୁଛି। କିନ୍ତୁ ଶୌଚ, ଗାଧୁଆ ଓ ପିଇବା ପାଇଁ ସର୍ବନିମ୍ନ ଯେତିକି ପାଣି ଦରକାର, ତାହା ବି ମିଳୁନି। ଲାଇନ୍ ନ ଥିବାରୁ ବୋର୍‌ୱେଲ୍‌ରୁ ପାଣି ଉଠିପାରୁନି କି ପାଇପ୍ ପାଣି ଆସୁନି। ସବୁ କାମ ବନ୍ଦ କରି ଲୋକ ପାଣି ପାଇଁ ଧାଁ ଦଉଡ଼ କରୁଥିବା ଦେଖିବାକୁ ମିଳୁଛି। ଖୋଦ୍ ରାଜଧାନୀରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଏପରି ସ୍ଥିତି ଲାଗି ରହିବ ବୋଲି କେହି ଚିନ୍ତା କରିପାରୁ ନାହାନ୍ତି।

ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ସମସ୍ୟା ଆହୁରି ଗୁରୁତର ଆକାର ଧାରଣ କରିଛି। ଶତାଧିକ ଲୋକ ଗୋଟିଏ ଗୋଟିଏ ଆଶ୍ରୟସ୍ଥଳୀରେ ରହୁଥିଲେ ବି ସେମାନଙ୍କୁ ପିଇବା ପାଇଁ ଯଥେଷ୍ଟ ପାଣି ମିଳୁ ନାହିଁ। ପୁଣି ପାଣି ଅଭାବରୁ ସେହି ସ୍ଥାନକୁ ସଫାସୁତୁରା ବି କରି ହେଉ ନାହିଁ। ଫଳରେ ସେଠାରେ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଲାଣି। ଆଉ ଦିନେ ଦୁଇ ଦିନ ଭିତରେ ସେଠାରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହେବ।

ପାଣି ପାଇଁ ଲୋକମାନେ ଜେନେରେଟର୍‌ ଉପରେ ମାତ୍ରାଧିକ ନିର୍ଭର କରୁଛନ୍ତି। ଦୁଇ ତିନି ଦିନ ଭିତରେ ବହୁ ଅଞ୍ଚଳରେ ବିଜୁଳି ଆସିବାର ସମ୍ଭାବନା ନ ଥିବାରୁ କିଛି ଲୋକ ଜେନେରେଟର୍ କିଣିନେବାକୁ ଚାହୁଁଥିଲେ ବି ତାହା ବଜାରରେ ଆଉ ମିଳୁ ନାହିଁ। ଲୋକଙ୍କ ଆବଶ୍ୟକତାକୁ ଦେଇ ଜେନେରେଟର୍ ଭଡ଼ାରେ ଦେଉଥିବା ବ୍ୟବସାୟୀମାନେ ହଠାତ୍ ଭଡ଼ା ଅହେତୁକ ବୃଦ୍ଧି କରି ଦେଇଛନ୍ତି। ପୂର୍ବରୁ ଘଣ୍ଟା ପ୍ରତି ପାଣି ଉଠାଇବାକୁ ୫୦୦ ଟଙ୍କା ନେଉଥିଲା ବେଳେ ଆଜି ଏହା ସୀମା ଅତିକ୍ରମ କରିଯାଇଛି। ବହୁ ସ୍ଥାନରେ ଜେନେରେଟର୍‌ ଭଡ଼ା ଘଣ୍ଟା ପ୍ରତି ୧୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିବା ଦେଖିବାକୁ ମିଳୁଛି। ଜେନେରେଟର୍‌ ନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲୁଥିବାରୁ ଅସାଧୁ ବ୍ୟବସାୟୀମାନେ ତାହାର ସୁଯୋଗ ନେବାକୁ ହାତଛଡ଼ା କରୁ ନାହାନ୍ତି। କିଛି ସ୍ଥାନରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ମାର୍‌ପିଟ୍‌ ହେଉଥିବାର ବି ଖବର ମିଳୁଛି। ପୁଲିସ୍‌ ଏ ନେଇ ଏକପ୍ରକାର ହାତ ଟେକି ଦେଇଛି।

ବାତ୍ୟା ଛାଡ଼ିବାର ମାତ୍ର ଦୁଇ ଦିନ ପରେ ଏପରି ସ୍ଥିତି ସୃଷ୍ଟି ହେଲାଣି। ପ୍ରଶାସନ ଅସହାୟ ହୋଇପଡ଼ିଛି। ଏହି ପରିସ୍ଥିତିରେ ରାଜଧାନୀରେ ଜୀବନଯାତ୍ରା କେବେ ସ୍ବାଭାବିକ ହେବ, ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର