ସଡ଼କ ଦୁର୍ଘଟଣାରେ ଭୂତତ୍ତ୍ବବିତ୍‌ଙ୍କ ପରଲୋକ

ଚଣ୍ଡୀଖୋଲ : ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଏମ୍‌ସି ଖଣିର ଭୂତତ୍ତ୍ବବିତ୍‌ (ଜିଓଲୋଜିଷ୍ଟ) ତଥା ବରିଷ୍ଠ ସାମ୍ବାଦିକ ଶ୍ରୀନାଥ ଜେନାଙ୍କ ପୁତ୍ର ସୁପ୍ରତ୍ୟୁଷ ଜେନା(୨୬)ଙ୍କ ମୃତ୍ୟୁ ଘଟିଛି।  ସୁପ୍ରତ୍ୟୁଷଙ୍କ ଅକାଳ ମୃତ୍ୟୁରେ  ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସୁପ୍ରତ୍ୟୁଷ କଟକ ଜିଲ୍ଲା ଅନ୍ତର୍ଗତ ଛତିଆ ନିକଟ ଗୋବିନ୍ଦପୁର ସ୍ଥିତ ଓଏମ୍‌ସିର ଖଣ୍ଡୋଲାଇଟ ଖଣିରେ ଜିଓଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ସେ ଆଜି ୫୩ ନମ୍ବର ଜାତୀୟ ରାଜପଥ ଦେଇ ଖଣି ସଂକ୍ରାନ୍ତୀୟ କାର୍ଯ୍ୟରେ ଶୁଖୁଆପଡା ଖଣ୍ଡୋଲାଇଟ ଖଣିକୁ ଯାଉଥିଲେ। ଜାତୀୟ ରାଜପଥର କାଟିକଟା ଛକ ନିକଟରେ କେନ୍ଦ୍ରାପଡ଼ା ପଟୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ହାଇୱା ଗାଡି (ଓଡି୦୫ ୱାଇ-୭୭୬୦) ସୁପ୍ରତ୍ୟୁଷଙ୍କ ସ୍କୁଟିକୁ ଧକ୍କା ଦେଇଥିଲା।

ଫଳରେ ସୁପ୍ରତ୍ୟୁଷ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ନଡ଼ିଆସାହସପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ବାଲିଚନ୍ଦ୍ରପୁର ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ହାଇୱା ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ଏକମାତ୍ର ପୁଅକୁ ହରାଇ ବରିଷ୍ଠ ସାମ୍ବାଦିକ ଶ୍ରୀନାଥ ଜେନା ଓ ତାଙ୍କ ପତ୍ନୀ ଝରଣା  ରାଉତରାୟ(ଓଏମ୍‌ସି ଅଧିକାରୀ) ମାନସିକ ଭାରସ୍ୟମ ହରାଇବସିଛନ୍ତି। ଏହି ଦୁଃଖଦ ଘଟଣା ନେଇ ଯାଜପୁର ଜିଲ୍ଲାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର