ଜାମ୍ମୁ-କାଶ୍ମୀର ଭାର ସମ୍ଭାଳିବେ ଓଡ଼ିଆ ପୁଅ ଗିରିଶ ମୁର୍ମୁ

ନୂଆଦିଲ୍ଲୀ: ଓଡ଼ିଆ ପୁଅ ତଥା ୧୯୮୫ ମସିହା ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ଗିରିଶ ମୁର୍ମୁଙ୍କୁ ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର  ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି | ମୟୁରଭଞ୍ଜର ବେତନଟିରେ ଜନ୍ମଗ୍ରହଣ କରିଥିବା ଗିରିଶ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ବିଶ୍ବସ୍ତ ଅଧିକାରୀ ଭାବେ ଜଣାଶୁଣା | ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଗିରିଶ ଚନ୍ଦ୍ର ମୁର୍ମୁ  ତାଙ୍କ ଅଧିନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯାଇଥିଲା। ଏଠାରେ ସୂଚନା ଥାଉ କି ଚଳିତ ଥର ନିର୍ବାଚନରେ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା | ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଇଂଲଣ୍ଡର ବର୍ମିଙ୍ଗହାମ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଛନ୍ତି | ୫୯ ବର୍ଷିୟ  ମୁର୍ମୁ ବର୍ତ୍ତମାନ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗର ସଚିବ ଅଛନ୍ତି।

ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନେଣ୍ଟ ଗଭର୍ଣ୍ଣର ହେବାରେ ଏହି ଓଡ଼ିଆ ପୁଅ ନୂଆ ଗୌରବ ସୃଷ୍ଟି କରିଛନ୍ତି | ମୋଦୀ ସରକାରଙ୍କ ସମୟରେ ତୃତୀୟ ଓଡ଼ିଆ ଭାବରେ ଗିରିଶଙ୍କୁ ରାଜ୍ୟପାଳ ଦାୟିତ୍ୱ ମିଳିଛି | ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁ  ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଦାୟିତ୍ୱ ଦିଆଯାଇଥିଲା |

ସମ୍ବନ୍ଧିତ ଖବର