ଶିକ୍ଷା ବ୍ୟବସ୍ଥା ଶୃଙ୍ଖଳିତ ହେଲେ ସମାଜ ସୁଧୁରିବ: ସୌମ୍ୟ

ବାପୁଜୀ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ

କେନ୍ଦୁଝର : ଶିକ୍ଷା ବ୍ୟବସ୍ଥା ଶୃଙ୍ଖଳିତ ହେଲେ ସମାଜ ସୁଧୁରିଯିବ। କେବଳ ଶିକ୍ଷା ହିଁ ସମାଜକୁ ସଜାଡ଼ିବାର କ୍ଷମତା ରଖେ ବୋଲି ସ୍ଥାନୀୟ ବାପୁଜୀ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଗୋଟିଏ ଜାତିକୁ ତଳିତଳାନ୍ତ କରିବାକୁ ହେଲେ ‌କୌଣସି ଗୁଳିଗୋଳା, ବାରୁଦର ଆବଶ୍ୟକତା ନାହିଁ। ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦେଲେ ‌ସେହି ଜାତି ବା ଦେଶ ଆପଣା ଛାଏଁ ତଳିତଳାନ୍ତ ହୋଇଯିବ। ନେଲ୍‌ସନ୍‌ ମାଣ୍ଡେଲାଙ୍କ ଏହି ଉକ୍ତିର ଉଦାହରଣ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାକୁ ପ୍ର‌ଥମେ ଶୃଙ୍ଖଳିତ କରିବାକୁ ପଡ଼ିବ। ଏହାକୁ ସଜାଡ଼ିଦେଲେ ସବୁକିଛି ସୁଧୁରିଯିବ। ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାରେ ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଦ୍ୟାଳୟରୁ ପାଠପଢ଼ି ଉଚ୍ଚବେତନରେ ନିଯୁକ୍ତି ପାଇଲେ ହବ ନାହିଁ, ବିଦ୍ୟାଳୟର ଋଣ ପରିଶୋଧ କରି ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ୫-ଟି ଉପକ୍ରମରେ ଅନେକ ବିଦ୍ୟାଳୟ ଏବେ ଚକ୍‌ଚକ୍‌ କରୁଛି। ଖାଲି ବିଦ୍ୟାଳୟକୁ ଚକ୍‌ଚକ୍‌ କରିଦେଲେ ହେବ ନାହିଁ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ମାନିତ ଅତିଥିଭାବେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଥିବା ବିଶିଷ୍ଟ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି ଚରଣ କୁଅଁର ଯୋଗଦେଇ କହିଥିଲେ, ଗୁରୁଙ୍କୁ ଭକ୍ତି କରିବା ଆବଶ୍ୟକ। ଗୁରୁଙ୍କୁ ଭକ୍ତି କଲେ ଛାତ୍ରଛାତ୍ରୀଙ୍କ ମଙ୍ଗଳ ହୋଇଥାଏ। ‌କେବଳ ବିଦ୍ୟାଦାତା ଗୁରୁ ନୁହନ୍ତି, ବାପାମାଙ୍କୁ ବି ଭକ୍ତି କରିବା ଆବଶ୍ୟକ ବୋଲି କହିଥିଲେ। ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ପରମେଶ୍ବର ଧଳ ବିଦ୍ୟାଳୟ ପ୍ରତିଷ୍ଠା ସମୟର ସ୍ମୃତି ବଖ‌ା‌ଣି ଥିଲେ। ପ୍ରଧାନଶିକ୍ଷୟିତ୍ରୀ ଆରତି ବାରିକ ବିଦ୍ୟାଳୟର ଶିକ୍ଷକ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ବିଦ୍ୟାଳୟକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପୁରାତନ ଛାତ୍ର ସଂଘ ସଭାପତି ନରୋତ୍ତମ ବେହେରା ଉପସ୍ଥିତ ଥିଲେ। ପୁରାତନ ଛାତ୍ର ଡ. ତରୁଣ ଓଝା ସ୍ବାଗତ ଭାଷଣ ଦେଇଥିବା ବେଳେ ଇଂ ଖଗେଶ୍ବର ମହାନ୍ତ ବିବରଣୀ ପାଠ କରିଥିଲେ। ପ୍ରଶାନ୍ତ ପଲେଇ ଏବଂ ସମୟଶ୍ରୀ ଚାଟାର୍ଜୀଙ୍କ ସଂଯୋଜନାରେ ପୁରାତନ ଶିକ୍ଷକ ପରମେଶ୍ବର ଧଳ, ବୈଲୋଚନ ସୂତାର, କୁଳମଣି ବଳ, ଦାମୋଦର ଦେବତା, ସଚିଦାନନ୍ଦ ପରିଡ଼ା, ବାବାଜି ଚରଣ ରାଉତ, ଲୋକନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଆର୍ତ୍ତଭଞ୍ଜ ସାହୁ, ଡମ୍ବରୁଧର ସାହୁ, ଆରତି ବାରିକ, ରତ୍ନମଣି ମହାନ୍ତି, ପ୍ରଦୀପ କୁମାର ମିଶ୍ର, କଳ୍ପନା ସୁର, ପ୍ରସନ୍ନ ନାୟକ, ପଦ୍ମିନୀ ସୁର, ସନ୍ଧ୍ୟାରାଣୀ ମିଶ୍ର, ମନୋଜ ମଂଜରୀ ପ୍ରଧାନ, ପୁଷ୍ପପ୍ରିୟା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ‘ସ୍ମୃତିଶାମୁକା ଉନ୍ମୋଚିତ ହୋଇଥିଲା। ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ସମ୍ବନ୍ଧିତ ଖବର