ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ

ଦୁଇ ଧରାପଡ଼ିଲେ, ମୁଖିଆ ଫେରାର୍‌, ୫ ବନ୍ଧୁକ, ୨୪ ଗୁଳି ଜବତ

ଭୁବନେଶ୍ବର: ନିର୍ବାଚନ ମୈଦାନରେ ନେତାମାନେ ଓହ୍ଲାଉ ଓହ୍ଲାଉ ଅପରାଧୀ ବି ସକ୍ରିୟ ହୋଇଉଠିଛନ୍ତି। କାହାଠୁ ସୁପାରି ନେ‌ଇ କାହାକୁ ଭୟ ଦେଖାଇବେ, କେଉଁଠି ଅପରାଧ ଘଟାଇବେ- ଆଦି ମାମଲାରେ ଅପରାଧୀ ଗ୍ୟାଙ୍ଗ ଏବେଠାରୁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରି ସାରିଲେଣି। ଆଉ ଏସବୁକୁ ପୂର୍ବରୁ ଅନୁମାନ କରି ସାରିଥିବା କମିସନରେଟ୍‌ ପୁଲିସ ମଧ୍ୟ ଅପରାଧୀଙ୍କୁ ମାତ୍‌ ଦେବାର ଯୋଜନା ଆଗରୁ ପ୍ରସ୍ତୁତ କରି ରଖିଛି। ଏହି କ୍ରମରେ ନିର୍ବାଚନ ପାଇଁ ରାଜଧାନୀର ଅପରାଧୀଙ୍କୁ ବନ୍ଧୁକ ଯୋଗାଇବାକୁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ କମିସନରେଟ୍‌ ପୁଲିସ ଠାବ କରିବା ସହ ଗ୍ୟାଙ୍ଗର ୨ଜଣଙ୍କୁ କାବୁ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଖଣ୍ଡଗିରି ଥାନା ସରକନ୍ତରା ଅଞ୍ଚଳର ସୂରଜ ପରିଡ଼ା(୨୫) ଓ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ତପୁଧର ନାୟକ(୩୧)। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୨୪ ରାଉଣ୍ଡ ଗୁଳି, ବାଇକ୍‌ ଆଦି ଜବତ ହୋଇଛି। ହେଲେ ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ସୁବ୍ରତ ଖୁଣ୍ଟିଆ ଓରଫ ବବୁଲ୍‌ ଏବେ ବି ଫେରାର୍‌ ଅଛି। ତାକୁ ଗିରଫ କରିବାଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ପୁଲିସ କମିସନର ସଞ୍ଜୀବ ପଣ୍ଡା, ଅତିରିକ୍ତ ଅତିରିକ୍ତ ପୁଲିସ କମିସନର ଅବିନାଶ କୁମାର, ଡିସିପି କଟକ କନୱର ବିଶାଲ ସିଂହ ଓ ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ବନ୍ଧୁକ ମାଫିଆଙ୍କ ଅପରାଧିକ ଲିଙ୍କ୍‌ ସମ୍ପର୍କରେ ସମସ୍ତ ତଥ୍ୟ ରଖିବା ସହ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ଆର୍ଥିକ କାରବାର ଖୋଳତାଡ଼ ହେବବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଦୁଇ ଧରାପଡ଼ିଲେ, ମୁଖିଆ ଫେରାର୍‌ ୫ ବନ୍ଧୁକ, ୨୪ ଗୁଳି ଜବତ
ଆର୍ଥିକ କାରବାରର ହେବ ‌ଖୋଳତାଡ଼

ମଙ୍ଗଳବାର ସନ୍ଧ୍ୟାରେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌(ଏସ୍‌ସିୟୁ) ଖବର ପାଇଥିଲା ଯେ ସୋର ଅଞ୍ଚଳର ତପୁଧର ନାମକ ଜଣେ ଯୁବକ ବନ୍ଧୁକ ଧରି ରାଜଧାନୀ ଆସୁଛି। ଏହି ବନ୍ଧୁକଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସୁପାରି କିଲର୍‌ ଗ୍ୟାଙ୍ଗକୁ ବିକ୍ରି କରିବାଲାଗି ଚୂଡ଼ାନ୍ତ ହୋଇଥିଲା। ଏଥିପାଇଁ ୭.୬୫ ଏମ୍‌ଏମ୍‌ ପିସ୍ତଲ ପିଛା ୩୫ ହଜାର ଟଙ୍କା ଓ ୯ଏମ୍‌ଏମ୍‌ ପିସ୍ତଲ ପିଛା ୪୦ହଜାର ଟଙ୍କା ଡିଲ୍‌ ହୋଇସାରିଥିଲା। ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ହାତରେ ଖବର ଲାଗିବା ପରେ ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କ ନିର୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ତପୁଧରର ଗତିବିଧି ଉପରେ ନଜର ରଖାଯାଇଥିଲା। ରାତି ପାଖାପାଖି ସାଢ଼େ ୧୨ଟା
ସମୟରେ ତପୁଧର ହଂସପାଳ ନିକଟରେ ଯାଉଥିବା ବେଳେ ପୂର୍ବରୁ ଜଗିରହିଥିବା ଏସ୍‌ସିୟୁର ସ୍ବତନ୍ତ୍ର ଟିମ୍‌ ତାକୁ ପିଛା କରିଥିଲା। କିଛିବାଟ ପରେ ତାକୁ କାବୁ କରି ଗୋଟିଏ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ କରାଯାଇଥିଲା। ଜେରା ବେଳେ ସେ କହିଥିଲା ଯେ ସୂରଜ ଠାରୁ ବନ୍ଧୁକ ନେଇ ସେ ଅପରାଧୀଙ୍କୁ ଯୋଗାଏ। ରାତାରାତି ସୂରଜର ଠିକଣା ହାସଲ ପରେ ପୁଲିସ ଟିମ୍‌ ସରକନ୍ତରା ସ୍ଥିତ ତା’ ଘର ଉପରେ ଚଢ଼ଉ କରି ସେଠାରୁ ଗୋଟିଏ ବନ୍ଧୁକ ଓ ୫ଗୁଳି ଜବତ କରିଥିଲା। ଉଭୟଙ୍କୁ ଜେରା ପରେ ଗ୍ୟାଙ୍ଗ୍‌ର ଗୁମର ଖୋଲିଥିଲା। ସୁବ୍ରତ ଖୁଣ୍ଟିଆ ଓରଫ୍‌ ବବୁଲ୍‌ ଠାରୁ ସେମାନେ ବନ୍ଧୁକ ଆଣୁଥିବା କଥା ପଦାକୁ ଆସିଥିଲା। ପୁଲିସ ଟିମ୍‌ କଳିଙ୍ଗ ବିହାର ସ୍ଥିତ ବବୁଲ୍‌ର ଘରେ ଚଢ଼ଉ କରି ଆହୁରି ୩ଟି ବନ୍ଧୁକ ଓ ୧୪ ଗୁଳି ଜବତ କରିଥିଲା। ଅବଶ୍ୟ ବବୁଲ୍‌ ଧରା ପଡ଼ିନାହିଁ। ପୁଲିସ ଆଜି ଗିରଫ ହୋଇଥିବା ତପୁଧର ଓ ସୂରଜଙ୍କୁ କୋର୍ଟ ଚାଲାଣ କରିଛି। ଦରକାର ପଡ଼ିଲେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ଖୋଳତାଡ଼ କରାଯିବ ବୋଲି ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି। କାରଣ ସେମା‌ନେ କାହା ପାଇଁ ଏହି ଡିଲ୍‌ କରିଥିଲେ, କେଉଁ ସୁପାରି କିଲରକୁ ଦେଇ ଥାଆନ୍ତେ, ଏଥିରେ ଆଉ କେଉଁମାନ ସାମିଲ୍‌ ଅଛନ୍ତି, ସେମାନଙ୍କର ଆଉ କିଛି ବଡ଼ ଯୋଜନା ଅଛିକି- ନିର୍ବାଚନ ଥିବାରୁ ପୁଲିସ ଏ ପ୍ରଶ୍ନଗୁଡ଼ିକର ସମାଧାନକୁ ଗୁରୁତର ସହ ନେଇଛି।

ପୁଲିସ ଗ୍ୟାଙ୍ଗର ଖୋଳତାଡ଼ ବେଳେ ଜାଣିବାକୁ ପାଇଛି ଯେ ଫେରାର୍‌ ଥିବା ଗ୍ୟାଙ୍ଗ୍‌ର ମୁଖ୍ୟ ସୁବ୍ରତ ଖୁଣ୍ଟିଆ ଓରଫ୍ ବବୁଲ୍‌ ହେଉଛି କୁଖ୍ୟାତ ଅପରାଧୀ ସଂଜୟ ଖୁଣ୍ଟିଆର ସାନଭାଇ। ସେ ଏକ ବ୍ରାଉନ୍‌ସୁଗାର କାରବାର ମାମଲାରେ ୱାଣ୍ଟେଡ୍‌ ଅଛି। ସେହିପରି ସୂରଜ ହେଉଛି ବବୁଲ୍‌ର ଡାହାଣ ହାତ। ବର୍ଷ ବର୍ଷ ହେବ ତା’ ସହ କାମ କରୁଛି। ହେଲେ ତପୁଧର କିଛିମାସ ହେବ ଗ୍ୟାଙ୍ଗରେ ସାମିଲ୍‌ ହୋଇଛି। ଯଦିଓ ସେମାନଙ୍କ ସମ୍ପର୍କରେ ବେଶୀ କିଛି ତଥ୍ୟ ପୁଲିସ ଏବେ ପାଇନାହିଁ, କିନ୍ତୁ ତଦନ୍ତ ଜାରି ରହିଛି। ସେମାନଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ସ୍ଥାନୀୟ ପୁଲିସ ସହ ଯୋଗାଯୋଗ କରାଯାଇଛି। ୨୦୨୩ରେ କମିସନରେଟ୍‌ ପୁଲିସ କୁଖ୍ୟାତ ସଂଜୟକୁ ଗିରଫ କରିବାପରେ ତା’ର ଗୁମର ଖୋଲିଥିଲା। ସେ ବେଆଇନ ଖଣି ଠାରୁ ଆରମ୍ଭ କରି ବନ୍ଧୁକ ଚାଲାଣ, ଗୋ’ଚାଲାଣ, ମାଓବାଦୀଙ୍କ ସହ ସମ୍ପର୍କରେ ଥିଲା। ପୁଲିସର ଟାର୍ଗେଟ୍‌ ହେବାରୁ ସୁରକ୍ଷା ପାଇଁ ସେ ମାଓବାଦୀଙ୍କ ସହ ହାତ ମିଳାଇଥିଲା। ସେଥିପାଇଁ ନୟାଗଡ଼ ଅଞ୍ଚଳକୁ ଯାଇ ସେଠାରେ ନିଜ ପତିଆରା ଜାହିର କରିଥିଲା। ଗତ ବର୍ଷକ ମଧ୍ୟରେ କମିସନରେଟ୍‌ ପୁଲିସ ଦ୍ବୈତନଗରୀରୁ ୫୫ଟି ବନ୍ଧୁକ ଜବତ କରିଛି। ୨୦୨୩ରେ କଟକ ପୁଲିସ ୨୫ଟି, ଭୁବନେଶ୍ବର ପୁଲିସ ୧୨ଟି ଓ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଗୋଟିଏ, ମୋଟ୍‌ ୩୮ଟି ବନ୍ଧୁକ ଜବତ ହୋଇଥିବା ବେଳେ ୨୦୨୪ରେ ଏପର୍ଯ୍ୟନ୍ତ କଟକ ପୁଲିସ ୧୦, ଭୁବନେଶ୍ବର ପୁଲିସ ୨ ଓ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌-୫ଟି, ମୋଟ୍‌ ୧୭ଟି ବନ୍ଧୁକ ଜବତ କରାଯାଇଛି। ଜବତ ହୋଇଥିବା ସମସ୍ତ ବନ୍ଧୁକ ବିହାରର ମୁଙ୍ଗେର୍‌ରୁ ଆସୁଥିବା ଜଣାପଡ଼ିଛି। ‌ଏହାର ମୁଖ୍ୟ ହେଉଛି ଗିରଫ ହୋଇ ଜେଲ୍‌ରେ ଥିବା ଗୋଲଡେନ୍‌ ସିଂହ। ତେଣୁ ତାକୁ ରିମାଣ୍ଡରେ ଆଣି ଜେରା କରିବାକୁ କମିସନରେଟ୍‌ ପୁଲିସ ଯୋଜନା କରୁଛି। ସେହିପରି ଏକ ଟିମ୍‌କୁ ମୁଙ୍ଗେର୍‌ ପଠାଯିବାକୁ ମଧ୍ୟ ଯୋଜନା କରାଯାଉଛି।

ସମ୍ବନ୍ଧିତ ଖବର