ଗୁପ୍ତ ସେବା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତା

କଣ୍ଟ ହେଲା ଶ୍ରୀଜିଉଙ୍କ ବାହୁଟ
ସଂପନ୍ନ ହେଲା ଚମ୍ପକ ଦ୍ବାଦଶୀ ନୀତି
ନିରାଡ଼ମ୍ବରରେ ଗୁଆଲି ଯାତ୍ରା

ପୁରୀ : ଶ୍ରୀମନ୍ଦିରରେ ଆଜି ଚମ୍ପକ ଦ୍ବାଦଶୀ ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ବିବାହ ପରଦିନ ଅର୍ଥାତ ଚମ୍ପକ ଦ୍ବାଦଶୀରେ ଗୁଆଲି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଘଣ୍ଟଘଣ୍ଟା ସହକାରେ ଭବ୍ୟ ଶୋଭାଯାତ୍ରାରେ ନବବିବାହିତ ମହାପ୍ରଭୁ ଓ ମହାଲକ୍ଷ୍ମୀ ଗୁଆଲିରେ ବାହାରି ଜମ୍ବେଶ୍ବର ଠାକୁରଙ୍କ ମନ୍ଦିରକୁ ବିଜେ କରିଥାନ୍ତି। ସେଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ପୁନର୍ବାର ‌ଶ୍ରୀମନ୍ଦିର ଫେରିଥା’ନ୍ତି।

କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଏହି ଆଡ଼ମ୍ବରକୁ ବନ୍ଦ କରି ଦିଆଯାଇଛି। ଆଜି ଗୁପ୍ତ ଭାବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଓ ମହାଲକ୍ଷ୍ମୀ ବିମାନରେ ବିଜେ କରି ନିରାଡ଼ମ୍ବର ପରିବେଶରେ ଜମ୍ବେଶ୍ବର ଠାକୁରଙ୍କ ମନ୍ଦିରକୁ ବିଜେ କରି ପୁନର୍ବାର ରାତି ପ୍ରାୟ ୯ଟାରେ ଶ୍ରୀମନ୍ଦିର ଫେରି ଆସିଛନ୍ତି। ବିନା ଘଣ୍ଟ ଘଣ୍ଟା, ବାଣ ରୋଷଣିରେ ଏହି ନୀତି ସଂପାଦିତ ହୋଇଛି। ଏଥିପାଇଁ ଆଜି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ସେପଟେ ସ୍ନାନଯାତ୍ରାର ଅବ୍ୟବହିତ ପୂର୍ବରୁ ଶ୍ରୀଜିଉଙ୍କ ଗୁପ୍ତ ସେବା ପାଇଁ ଦଇତାପତିମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।

ଦଇତାପତିମାନେ ପ୍ରବେଶ କରିବା ପରେ ଘୋଷଯାତ୍ରାର ପ୍ରଥମ ନୀତି କୁହାଯାଉଥିବା ଶ୍ରୀଜୀଉଙ୍କ ବାହୁଟକଣ୍ଟ ସେବା ସମ୍ପାଦନ କରିଛନ୍ତି। ଆଜି ରାତିରେ ପହୁଡ଼ ଆଳତି ପରେ ରାତି ୧୧ଟାରେ ଶ୍ରୀମୁଖ ଖଣ୍ଡୁଆ ଓ ରାତି ସାଢ଼େ ୧୧ଟାରେ ବାହୁଟ କଣ୍ଟ ନୀତି ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀମୁଖକୁ ଖଣ୍ଡୁଆରେ ଆଛାଦିତ କରାଯାଇଥିଲା। ଏହା ପରେ ଦଇତାପତି ସେବକମାନେ ବାହୁଟ କଣ୍ଟର ଗୋପନ ନୀତି ସଂପାଦନ କରିଥିଲ। ମହାପ୍ରଭୁଙ୍କ ଭୁଜକୁ ସୁରକ୍ଷା ଦେବାପାଇଁ ବଉଳ କାଠରେ ବାହୁଟ ନିର୍ମାଣ ହୋଇଥାଏ। ଏହି ବାହୁଟ ନିର୍ମାଣ ପାଇଁ ଦଇତାପତିମାନେ କଣ୍ଟ ବା ମାପ କରିଥିଲେ।

ଏହି ମାପରେ ସ୍ୱତନ୍ତ୍ର ମହାରଣାମାନେ ବାହୁଟ ନିର୍ମାଣ କରିଛନ୍ତି। ରାତି ୧୧ଟା ୪୦ରେ କୋଠ ସୁଆଁସିଆ ଚାରବନ୍ଧା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। କୋଠ ସୁଆଁସିଆ ବାହାରିବା ପରେ ଆସନ୍ତାକାଲି ଭୋର ୫ଟାରେ ଦଇତାପତିମାନେ ସେନାପଟା ଲାଗି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ନୀତି ଚୂଡ଼ାନ୍ତ ହୋଇଛି। ପୂର୍ବାହ୍ଣ ୧୦ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଆରମ୍ଭ ହେବ। ସଂଧ୍ୟା ଧୂପ ରାତି ୯ଟା ସୁଦ୍ଧା ଶେଷ ପରେ ସାଢ଼େ ୯ଟାରୁ ସାଢ଼େ ୧୦ଟା ଭିତରେ ମହାପ୍ରଭୁଙ୍କ ଚଉଠି କର୍ମ ଅନୁଷ୍ଠିତ ହେବ। ଦେବସ୍ନାନ ପୂର୍ଣ୍ଣିମା ନୀତି ପରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ପୁରୁଣା ବିଗ୍ରହମାନେ ଅବସ୍ଥାନ କରିବେ। ତା’ ପୂର୍ବରୁ ଅଣସର ପିଣ୍ଡିରେ ଅନବସର ବେଳେ ନୂତନ ବିଗ୍ରହଙ୍କ ଶ୍ରୀଅଙ୍ଗ ସେବାର ଅନେକ ଗୋପନୀୟ ସେବାକୁ ଦଇତାପତିମାନେ ସମ୍ପନ୍ନ କରିବାର ପରମ୍ପରା ରହିଛି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ରକ୍ଷକ ରୂପେ ଦଇତାପତିମାନେ ଅଣସର ସେବାରେ ସାମିଲ ହେବେ।

ସମ୍ବନ୍ଧିତ ଖବର