ହାଣ୍ଡିଧୂଆ-ଘଣ୍ଟପଡ଼ା ରେଳ ଓଭରବ୍ରିଜ୍: ୮ ବର୍ଷ ବିତିଲା ସରୁନି ନିର୍ମାଣ

ମୁଣ୍ଡ ଟେକୁଛି ଜନ ଆନ୍ଦୋଳନ

ତାଳଚେର: ୮ ବର୍ଷ ହେଲାଣି ଚାଲୁଛି ତାଳଚେର ହାଣ୍ଡିଧୂଆ-ଘଣ୍ଟପଡ଼ା ରେଳ ଓଭରବ୍ରିଜ୍‌ ନିର୍ମାଣ। ଆଜି ପର୍ଯ୍ୟନ୍ତ ଏହି କାମ ସରିବାର ନାଁ ଧରୁନି। ଏହି ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଯନ୍ତ୍ରଣାରେ ଯାତ୍ରୀ ଛଟପଟ ହେଉଛନ୍ତି। ତେଣେ ମନ୍ଥର ଗତିରେ କାମ ଚାଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ୨୦୧୨ ମସିହାରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରକାଶ ଜସୱାଲ୍‌ ଏହି ରେଳ ଓଭରବ୍ରିଜ୍‌ର ଶିଳାନ୍ୟାସ କରିଥିଲେ। ଏଥିସହିତ ଅର୍ଥ ମଞ୍ଜୁର ପାଇଁ ଏମ୍‌ସିଏଲ୍‌କୁ ଦାୟିତ୍ବ ଦେଇଥିଲେ। ସେହି ଅନୁସାରେ ୨୦୧୬ ମସିହାରେ ଟେଣ୍ଡର ହୋଇ ସେହିବର୍ଷ ଜୁନ୍‌ ମାସରେ କାର୍ଯ୍ୟାଦେଶ ଆବଣ୍ଟନ ହୋଇଥିଲା। ସୂଚନା ମୁତାବକ, ଆରକେଡି ଇନ୍‌ଫ୍ରା ଓ ରାଇଟ୍‌ସ ଲିମିଟେଡ୍‌ ଠିକା ସଂସ୍ଥାକୁ ଏହାର କାର୍ଯ୍ୟାଦେଶ ମିଳିଥିଲା। ଓଭରବ୍ରିଜ୍‌ ନିର୍ମାଣ ପାଇଁ ୨ ବର୍ଷର ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ୨୦୧୮ ସୁଦ୍ଧା କାମ ସରିବାକୁ କଣ୍ଟ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ଅଧାଅଧି ବି ହୋଇନି। ଏହା ଭିତରେ ୮ ବର୍ଷ ବିତିଥିଲେ ସୁଦ୍ଧା ନିର୍ମାଣ କାମ ଅଧପନ୍ତରିଆ ହୋଇପଡ଼ିଛି। ଏବେ କେବଳ କିଛି ପିଲର ଛିଡ଼ା ହୋଇଛି। କାମ ବି ଏତିକିରେ ଅଟକି ରହିଛି। ତେଣୁ ନିକଟରେ ଏହି କାମ ସରିବାର ସମ୍ଭାବନା ଦିଶୁନି। କେବେ ସରିବ ତାହା ବି କେହି କହିପାରୁନାହାନ୍ତି।

ଅନୁଗୁଳ ଓ ତାଳଚେର ସହରକୁ ଯୋଡ଼ୁଥିବା ଏହି ରାସ୍ତାଟି ପ୍ରତିଦିନି ହାଣ୍ଡିଧୂଆ ଛକରୁ ଘଣ୍ଟପଡ଼ା ଦେଇ ସେଣ୍ଟ୍ରାଲ ହସ୍ପିଟାଲ୍‌, ଏଫ୍‌ସିଆଇ, ହିଙ୍ଗୁଳା ମନ୍ଦିର, ସାଉଥ୍‌ବଲଣ୍ଡା, ନାଲ୍‌କୋନଗର, ଥର୍ମାଲ୍‌ ଆଦି ଅଞ୍ଚଳର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି। ସେହିପରି ଅପର ପାର୍ଶ୍ବରେ ତାଳଚେର ସରକାରୀ ଆଇଟିଆଇ, ହାଟତୋଟାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ବିଭିନ୍ନ କୋଇଲା ଖଣି ଅଞ୍ଚଳକୁ ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକେ ଯାତାୟାତ କରିଥାନ୍ତି। କିନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ଓଭରବ୍ରିଜ ଶେଷ ହେଉନଥିବାରୁ ନିତି ଲକ୍ଷାଧିକ ଲୋକ ହଇରାଣ ହେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନଅସନ୍ତୋଷ ଦେଖା ଦେଇଛି। ଏହି ରାସ୍ତା ଦେଇ ପ୍ରତି ୧୦ରୁ ୧୫ ମିନିଟ୍‌ ବ୍ୟବଧାନରେ ମାଲବାହୀ ଟ୍ରେନ୍‌ ଚଳାଚଳ କରୁଛି। ପୁଣି ତାଳଚେର ମୁଖ୍ୟ ଷ୍ଟେସନ ପାଖାପାଖି ଏହି ରେଳପଥ ଥିବାରୁ ଟ୍ରେନ୍‌ ଗତି ଧୀର ରହିଥାଏ। ତେଣୁ ଅଧିକାଂଶ ସମୟରେ ରେଳ ଫାଟକ ବନ୍ଦ ରହୁଛି। ପ୍ରତି ଅଧ ଘଣ୍ଟାରେ ଥରେ ଫାଟକ ବନ୍ଦ କରିବାକୁ ପଡ଼ୁଥିଲାବେଳେ ଥରେ ଫାଟକ ପଡ଼ିଲେ ୧୦ ମିନିଟ୍‌ ପୂର୍ବରୁ ଖୋଲୁନି। ମୁଖ୍ୟ ରାସ୍ତାରେ ଏମିତି ଅବସ୍ଥା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏପରିକି ବହୁ ସମୟରେ ଉକ୍ତ ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ଫସି ରହୁଛି। ଏହାକୁ ନେଇ ଲୋକେ ତାତୁଥିବା ବେଳେ ଆଗକୁ ବଡ଼ ଜନ ଆନ୍ଦୋଳନ ମୁଣ୍ଡ ଟେକୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର