ଲକ୍‌ଡାଉନ୍‌ ଯୋଗୁଁ ଝାରସୁଗୁଡ଼ା ନିସ୍ତବ୍ଧ, ଗୀତ ଗାଇ ସଚେତନ କରୁଛନ୍ତି ହାବିଲଦାର

ଝାରସୁଗୁଡ଼ା: ପ୍ରଚଣ୍ଡ ଖରାକୁ ଲକ୍‌ଡାଉନ୍‌। ନିସ୍ତବ୍ଧ ରାଜରାସ୍ତା। ତା ଭିତରେ ସୁମଧୁର ସଂଗୀତ। ଆଉ ଏହି ସଂଗୀତରେ ରହିଥିଲା ମହାମାରୀ କରୋନାକୁ ମୁକାବିଲା କରିବାର ବାର୍ତ୍ତା। ଲକ୍‌ଡାଉନ୍‌ ସମୟରେ ଘରୁ ନ ବାହାରିବାକୁ ବାରମ୍ବାର କହିବା ପରେ ମଧ୍ୟ ଲୋକେ ଅମାନିଆ ‌ହେଉଥିବାରୁ ଝାରସୁଗୁଡ଼ା ପୁଲିସ ଏପରି ସଂଗୀତ ଫର୍ମୁଲା ଆପଣାଇଥିବା ଦେଖିବାକୁ ମିଳିଛି। ଅବଶ୍ୟ କିଛି ସ୍ଥାନରେ ଅମାନିଆଙ୍କୁ ସାବାଡ୍‌ କରିବାକୁ ପୁଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଛି।

ସାରା ଜିଲ୍ଲାରେ ଲକ୍‌ଡାଉନ୍‌କୁ ଶୃଙ୍ଖଳିତ ଭାବରେ ପାଳନ କରିବାକୁ ଏସ୍‌ପି ଅଶ୍ବିନୀ ମହାନ୍ତିଙ୍କ ନେତୃତ୍ବରେ ପୁଲିସ ବାହିନୀ ଲାଗି ପଡ଼ିଛି। ଆଜିଠାରୁ ଝାରସୁଗୁଡ଼ା ସହରରେ ବାଇକ୍‌ ଚଳାଚଳକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ହେଲେ ନିକଟସ୍ଥ ଦୋକାନରୁ ଜଣେ ଚାଲି ଚାଲି ଯାଇ କିଣିବାକୁ ପୁଲିସ ଲୋକଙ୍କୁ ଅନୁରୋଧ କରୁଛି। ସକାଳ ୬ ଠାରୁ ୧୧ ମଧ୍ୟରେ ଏହି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଛି। ଏହାପରେ ସାରା ସହର ଶୂନଶାନ୍‌ ହୋଇ ଯାଉଛି। ଏଥିସହ ଲକ୍‌ଡାଉନ୍‌କୁ ଭଲ ଭାବେ ପାଳନ କରି ଲୋକେ ଘର ଭିତରେ ରହିଲେ କରୋନାକୁ ଆମେ ପରାଜିତ କରି ପାରିବା ଏଥିରେ ସଂଦେହ ନାହିଁ ବୋଲି ପୁଲିସ ସଂଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛି। ବାଦ୍ୟଯନ୍ତ୍ରର ତାଳେ ତାଳେ ସଂଗୀତ ପରିବେଷଣ କରୁଛନ୍ତି ଟାଉନ୍‌ ଥାନା ହାବିଲଦାର ଦେବେନ୍ଦ୍ର ପଶାୟତ। ଶନିବାର ମୁଖ୍ୟରାସ୍ତା, ଟାଟାଗଳି, ସରବାହାଲ ଆପାର୍ଟମେଣ୍ଟ, ମଙ୍ଗଲବଜାର, ପୁରୁଣାବସ୍ତି ପ୍ରଭୃତି ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ମାଜିଷ୍ଟ୍ରେଟ୍‌ ଗୋଲକ ବିହାରୀ ମଙ୍ଗରାଜ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନୃପଚରଣ ଦଣ୍ଡସନା, ଆଇଆଇସି ସାବିତ୍ରୀ ବଳ, ଇନ୍‌ସପେକ୍ଟର ପବିତ୍ର କିସାନଙ୍କ ସମେତ ବହୁ ଅଧିକାରୀ ସହଯୋଗ କରିଛନ୍ତି। ଲୋ‌କେ ମଧ୍ୟ ଘରେ ଓ ଛାତ ଉପରେ ରହି ଗୀତ ଶୁଣିବା ସହିତ ତାଳି ମାରି ପୁଲିସର ମନୋବଳ ବଢ଼ାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର