ହାଇକୋର୍ଟରେ ପାରିବାରିକ ବିବାଦ ମାମଲାର ଶୁଣାଣି: ଛାଡ଼ପତ୍ର ପାଇଁ ପତ୍ନୀଙ୍କୁ ଦେବେ ୫୦ ଲକ୍ଷ

କଟକ: ଏକ ପାରିବାରିକ ବିବାଦର ସମାଧାନ କରି ହାଇକୋର୍ଟ ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାମୀ ୫୦ ଲକ୍ଷ ଟଙ୍କା ପତ୍ନୀଙ୍କୁ ନିର୍ବାହ ବ୍ୟୟ(ଆଲିମୋନି) ବାବଦରେ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିବା ସହିତ ଦୁଇ ଜଣଙ୍କ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ଦୁଇ ମାସ ଭିତରେ ସ୍ବାମୀ ୨୦ ଲକ୍ଷ ଟଙ୍କା ପତ୍ନୀଙ୍କୁ ଦେବେ। ଏହାପର ଚାରିମାସ ଭିତରେ ଅବଶିଷ୍ଟ ୩୦ ଲକ୍ଷ ଟଙ୍କା ସ୍ବାମୀ ଏକକାଳୀନ ବା ତିନୋଟି କିସ୍ତିରେ ପ୍ରଦାନ କରିବେ। ଏହି ସମସ୍ତ ଅର୍ଥ ଅର୍ଥ ପତ୍ନୀ ଓ ନାବାଳିକା ଝିଅକୁ ଭରଣପୋଷଣ ବାବଦରେ ପ୍ରଦାନ କରାଯିବ। ଜଷ୍ଟିସ ଏସ.ତାଳପତ୍ର ଓ ଜଷ୍ଟିସ ଏମ.ଏସ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ରହ୍ମପୁରର କେ.ଶିବ ପ୍ରସାଦ ରାଓ ୨୦୧୧ରେ ଏମ.ସାରଳାଙ୍କୁ ବିବାହ କରିଥିଲେ। ବିବାହ ପରେ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥି‌ଲା। ବ୍ରହ୍ମପୁର ପରିବାର ଅଦାଲତରେ ପତ୍ନୀଙ୍କ ବିରୋଧରେ ସ୍ବାମୀ ରୁଜୁ କରିଥିବା ବିବାହ ବିଚ୍ଛେଦ ମାମଲା ୨୦୧୯ରେ ଖାରଜ ହୋଇଥିଲା। ପରିବାର ଅଦାଲତ ନିର୍ଦ୍ଦେଶ ବିରୋଧରେ ସ୍ବାମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପତ୍ନୀଙ୍କ ପକ୍ଷରୁ ଆଇନଜୀବୀ ଅଜୟ କୁମାର ନନ୍ଦ, ଅରୁଣ କୁମାର ମିଶ୍ର ଓ ତପନ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର