ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା: ତତ୍ପରତା ଦେଖାଇଲା ଉଚ୍ଚଶିକ୍ଷା ବିଭାଗ, ଜାରି ହେଲା ୮ ଦଫା ସମ୍ବଳିତ ନିର୍ଦ୍ଦେଶନାମା

ବ୍ରହ୍ମପୁର/ଭୁବନେଶ୍ବର: ବ୍ରହ୍ମପୁର ସହରର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ‘ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ’ରେ ରାଗିଂ ଘଟଣାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହି ସମ୍ବେଦନଶୀଳ ଘଟଣା ନେଇ ବ୍ରହ୍ମପୁର ଆଂଚଳିକ ନିର୍ଦ୍ଦେଶକ ତନାଘନା ଆରମ୍ଭ କରିଦେଇଛନ୍ତି। ଆଞ୍ଚଳିକ ନିର୍ଦ୍ଦେଶକ ୮ ଦଫା ସମ୍ବଳିତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁସାରେ ସରକାରଙ୍କ ରାଗିଂ ଗାଇଡଲାଇନକୁ କଡାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ହୋଇଛି। ସେହିପରି ଛାତ୍ର ଓ ଅଭିଭାବକଙ୍କ ଠାରୁ ସି-୧ ଓ ସି-୨ ଫର୍ମରେ ଅଣ୍ଡରଟେକିଂ ରଖିବା, ଆଣ୍ଟି ରାଗିଂ ସ୍କ୍ବାର୍ଡକୁ ସୁଦୃଢ କରିବା, ଯୌନ ଶୋଷଣ ସେଲକୁ ଶକ୍ରୀୟ କରିବା, ଶୃଙ୍ଖଳାଗତ କମିଟି ଗଠନ କରିବା, ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା, ରାଗିଂ ଘଟଣା ନେଇ ତୁରନ୍ତ ପୁଲିସକୁ ଜଣାଇବା, ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗଂଜାମ, ଗଜପତି ଓ କନ୍ଧମାଳ କଲେଜର ସମସ୍ତ ଅଧ୍ଯକ୍ଷଙ୍କ ସହ ଭର୍ଚୁଆଲ ସାକ୍ଷାତ କରିଛନ୍ତି। ଏହି ଭର୍ଚୁଆଲ ସାକ୍ଷାତ ପରେ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୂଚନାଯୋଗ୍ୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଗତ ୧୬ ତାରିଖରେ ଘଟିଥିବା ଲଜ୍ଜାଜନକ ରାଗିଂ ଘଟଣା ସବୁ ମହଲକୁ ଆନ୍ଦୋଳିତ କରିଛି। ଚଳିତ ବର୍ଷ +୨ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଜଣେ ନବାଗତା ଛାତ୍ରୀଙ୍କୁ ବରିଷ୍ଠ ଛାତ୍ର ଅନ୍ୟ ଛାତ୍ରଛାତ୍ରୀଙ୍କ ସମକ୍ଷରେ ହାତରେ ଏକ ପିଭିସି ପାଇପ୍‌ ଖଣ୍ଡ ଧରି ଅତି କଦର୍ଯ୍ୟ ବ୍ୟବହାର କରି ରାଗିଂ କରୁଥିବା ଓ ଏହାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରିବାକୁ ଅନ୍ୟ ସିନିୟର୍‌ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଉଥିବା ଏକ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଛାତ୍ରୀ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କ ବ୍ୟାଗ୍‌ ଏବଂ ମୋବାଇଲ୍ ଛଡ଼ାଇ ନେଉଥିବା, ଅନ୍ୟ ଜଣେ ଛାତ୍ରଙ୍କୁ ସେହି ଛାତ୍ରୀଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ବସି ପ୍ରେମ ନିବେଦନ କରିବା, ହାତକୁ ଚୁମ୍ବନ କରିବାକୁ ବାଧ୍ୟ କରି ମାନସିକ ନିର୍ଯାତନା ଦେଉଥିବା, ଆଇ ଲଭ୍‌ ୟୁ କହିବା ପାଇଁ ବାଧ୍ୟ କରିବା, ଛାତ୍ରୀଙ୍କ ହାତ ଓ ମୁଣ୍ଡକୁ ଜବରଦସ୍ତି ଟାଣି କ୍ୟାମେରା ଆଡ଼କୁ ମୁହଁ କରିବାକୁ ତାଗିଦ୍‌ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ଅନ୍ୟ କିଛି ଛାତ୍ରଛାତ୍ରୀ ଏହାର ମଜା ନେଉଥିବା ଭଳି ଏହି ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା।

ସମ୍ବନ୍ଧିତ ଖବର