ବିଜେପି ବିଧାୟକଙ୍କୁ ରାସ୍ତା ମଝିରେ ଅଟକାଇ ବାକିଆ ଟଙ୍କା ମାଗି ହଙ୍ଗାମା କଲେ ଚା’ ବାଲା

ଭୋପାଳ: ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ ଜିଲ୍ଲା ସିହୋରରେ ବିଜେପି ବିଧାୟକଙ୍କୁ ରାସ୍ତା ମଝିରେ ଘେରିଲେ ଜଣେ ଚା’ ବାଲା। ବିଧାୟକ ତାଙ୍କ ଠାରୁ ୩୦ ହଜାର ଟଙ୍କାର ଚା’ ପିଇ ଦୀର୍ଘ ଦିନ ହେବ ବାକି ରଖିଥିବା ସେ ଅଭିଯୋଗ ଆଣିଛନ୍ତି। ସେ ବିଧାୟକଙ୍କ ଗାଡ଼ି ଅଟାକାଇ ତାଙ୍କୁ ବାକି ଟଙ୍କା ମାଗିବା ସହ ଆହୁରି ଅନେକ କଥା ଶୁଣାଇଛନ୍ତି।

ସେହି ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓଟି ଜିଲ୍ଲାର ଇଚ୍ଛାବର ବିଧାନସଭାକ୍ଷେତ୍ରସ୍ଥିତ ବରଖେଡ଼ି ଗ୍ରାମର। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଇଚ୍ଛାବର ବିଧାନସଭା ନିର୍ବଚନମଣ୍ଡଳୀର ବିଜେପି ବିଧାୟକ କରଣ ସିଂହ ବର୍ମା ଏକ କାର୍ଯ୍ୟକ୍ରମରେ ସାମିଲ୍‌ ହେବା ପାଇଁ ବରଖେଡ଼ି ଗାଁକୁ ଯାଉଥିଲେ। ସେହି ସମୟରେ ଜଣେ ଚା’ ବାଲା ଆସି ବିଜେପି ବିଧାୟକଙ୍କ ଗାଡ଼ିକୁ ରୋକି ଦେଇଥିଲେ ଓ ତାଙ୍କର ବାକି ୩୦ ହଜାର ଟଙ୍କା ମାଗିବା ଆରମ୍ଭ କରିଥିଲେ।

ଚା’ ବାଲା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ୨୦୧୮ ମସିହା ବିଧାନସଭା ନିର୍ବାଚନ ସମୟରେ ବିଜେପି ନେତା କରଣ ସିଂହ ବର୍ମା ନିଜ ସମର୍ଥକମାନଙ୍କୁ ତାଙ୍କ ଦୋକାନରେ ଚା’ ପିଆଇଥିଲେ। ସେହି ସମୟରୁ ବିଧାୟକଙ୍କ ଉପରେ ୩୦ ହଜାର ଟଙ୍କା ବାକି ପଡ଼ିଥିଲା। ବିଧାୟକ ତା’ପରେ ଏହା ପୈଠ କରି ନଥିଲେ। ଯେତେବେଳେ ପ୍ରାୟ ୪ ବର୍ଷ ପରେ ବିଧାୟକ ସେହି ବାଟ ଦେଇ ଗଲେ ତ ଚା’ ବାଲା ଜଣକ ତାଙ୍କୁ ରୋକି ବାକି ଟଙ୍କା ମାଗିଥିଲେ।

ଚା’ ବାଲା ଜଣକ ଆହୁରି କହୁଥିବାର ଶୁଣିବାକୁ ମିଳିଛି ଯେ ମୁଁ ଅନେକ ବାର ଆପଣଙ୍କ ପାଖକୁ ଯିବା ପରେ ବି ମୋ ଟଙ୍କା ମିଳିନି। ତାପରେ ବିଧାୟକ ଜଣକ କହୁଛନ୍ତି କି ପହରଦିନ ମୋ ଘରକୁ ଆସ।

ସମ୍ବନ୍ଧିତ ଖବର