୬୨୯.୭୭ ଫୁଟ୍‌ରେ ପହଞ୍ଚିଲା ହୀରାକୁଦ ଜଳସ୍ତର

ସମ୍ବଲପୁର: ଶୁକ୍ରବାର ମଧ୍ୟାହ୍ନ ୧୨ଟା ବେଳକୁ ହୀରାକୁଦ ଜଳସ୍ତର ୬୨୯.୭୭ ଫୁଟ୍‌ରେ ପହଞ୍ଚିଥିଲା। ଜଳଭଣ୍ଡାରର ସ୍ତର ଏହାର ସର୍ବୋଚ୍ଚ କ୍ଷମତାଠାରୁ ଆଉ ମାତ୍ର ଅଢ଼େଇ ଇଞ୍ଚ ତଳକୁ ରହିଥିଲା। ସେତିକିବେଳେ ବି ଦେଢ଼ ଲକ୍ଷରୁ ଅଧିକ ଘନଫୁଟ୍‌ ପାଣି ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଥିଲା। ତେଣୁ ୧୨ଟା ପରେ ପରେ ଆଉ ୪ଟି ଗେଟ୍‌ ଖୋଲିବାକୁ ନିର୍ଦେଶ ଦିଆଗଲା। ପୂର୍ବରୁ ୭ଟି ଗେଟ୍ ଖୋଲାଥିବା ବେଳେ ଏହା ୧୧କୁ ବୃଦ୍ଧି ପାଇଥିଲା। ଏହାପରେ ଦିନ ୩ଟା ପର୍ଯ୍ୟନ୍ତ ଜଳସ୍ତର ସ୍ଥିର ଥିବା ବେଳେ ରାତିରେ ସାମାନ୍ୟ ଖସିଛି। ଶୁକ୍ରବାର ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୬୨୯.୬୨ ଫୁଟ୍‌ ରହିଛି। ସେହି ସମୟରେ ଜଳଭଣ୍ଡାରକୁ ୧,୬୪,୭୬୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ହାରାହାରି ୨,୨୧,୯୪୩ କ୍ୟୁସେକ୍ ନିଷ୍କାସିତ ହେଉଥିଲା।

ସେଥିରୁ ସ୍ପିଲ୍‌ୱେ ବାମ ପାର୍ଶ୍ବର ୭ ଓ ଡାହାଣ ପାର୍ଶ୍ବର ୪ଟି ସ୍ଲୁଇସ୍ ଗେଟ୍ ଦେଇ ୧,୮୦,୫୪୩ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୩୬,୬୮୦ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩୮୯୬ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୪୮୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍ ଓ ଶିଳ୍ପ ସଂସ୍ଥା ପାଇଁ ୨୩୬ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୦.୮୧ ମିଲିମିଟର୍‌ ଓ ତଳ ମୁଣ୍ଡରେ ୭.୯୨ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର