ଶେଷରେ ପିଡବ୍ଲୁଡିରୁ ଜବରଦଖଲ ଉଚ୍ଛେଦ ହେଲା 

ବୁର୍ଲା: ଶେଷରେ ପୁଲିସ୍ ପ୍ରଶାସନ ଆଗରେ ହାର୍‌ ମାନିଲେ ସ୍ଥାନୀୟ ବାସିନ୍ଦା। ଆଜି ଦିନ ପ୍ରାୟ ୧୨ଟାରେ ତହସିଲଦାର ଲକ୍ଷ୍ମଣ ଅମାତ, ଆର୍‌ଆଇ ହରିବଂଶ ନାୟକ, ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି, ଏସ୍‌ଡିପିଓ ସତ୍ୟବ୍ରତ ଦାଶଙ୍କ ସମେତ ବୁର୍ଲା ଥାନାର ବହୁ ଅଧିକାରୀ ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଓ ଜେସିବି ଗାଡ଼ି ଧରି ପିଡବ୍ଲୁଡି କଲୋନି ଶକ୍ତିନଗର ଅଞ୍ଚଳରେ ପହଞ୍ଚିଥିଲେ। ପଡ଼ାବାସୀଙ୍କ ବିରୋଧ ସତ୍ତ୍ଵେ ସରକାରୀ ଜମିରେ ଗଢ଼ି ଉଠିଥିବା ବେଆଇନ କୋଠାକୁ ଭାଙ୍ଗିଥିଲେ। ପୁଲିସ୍ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ସ୍ଥାନୀୟ ଦୋଳ ଗୋବିନ୍ଦ ସାହୁଙ୍କ ପରିବାରର ଜଣେ ମହିଳା ନବନିର୍ମିତ କୋଠାରୁ ବାହାରକୁ ବାହାରିବା ପାଇଁ ନାରାଜ ଥିଲେ। କିନ୍ତୁ ପୁଲିସ୍ ପକ୍ଷରୁ ପ୍ରାୟ ଚାରିଜଣ ମହିଳାଙ୍କୁ ଜୋର୍ ଜବରଦସ୍ତ ସେଠାରୁ ବାହାର କରିଥିଲେ। ଏହି ଜବରଦଖଲ ଉଚ୍ଛେଦକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଗରିବ ଜନତାଙ୍କୁ ପକ୍କାଘର ତଥା ସ୍ଥାୟୀ ପଟ୍ଟା ପ୍ରଦାନ କରୁଥିବା ବେଳେ ବୁର୍ଲାରେ ଏହାର ବ୍ୟତିକ୍ରମ ଦେଖା ଦେଇଥିବା ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ଗୁରୁବାର ପୁଲିସ୍ ପ୍ରଶାସନ ଦୋଳ ଗୋବିନ୍ଦ ସାହୁଙ୍କ ସରକାରୀ ଜମିରେ ନିର୍ମାଣ ହୋଇଥିବା ବେଆଇନ କୋଠାକୁ ଉଚ୍ଛେଦ କରିବା ପାଇଁ ଆସିଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନଥିଲା।

ସମ୍ବନ୍ଧିତ ଖବର