ପୂର୍ତ୍ତ ବିଭାଗ ଉପରେ ଦେଢ଼ କୋଟି ହୋଲଡିଂ ଟିକସ ବାକି

ଭୁବନେଶ୍ବର : ପୂର୍ତ୍ତ ବିଭାଗର ରାଜ୍ୟର ବିଭିନ୍ନ ସ୍ଥାନରେ ଅଫିସ ଖୋଲିଥିଲେ ହେଁ ଠିକ୍‌ ସମୟରେ ହୋଲଡିଂ ଟିକସ ଦେଉନି। ଏପରିକି ୮ଟି ପୌର ସଂସ୍ଥା ପୂର୍ତ୍ତ ବିଭାଗଠାରୁ ୧କୋଟି ୫୧ଲକ୍ଷ ୪୯ହଜାର ୯୦୧ଟଙ୍କା ପାଇବାକୁ ଥିଲେ ହେଁ କେହି ଟଙ୍କା ଦେଉନାହାନ୍ତି। ପୌରସଂସ୍ଥାଗୁଡ଼ିକ ବାରମ୍ବାର ଚିଠି ଲେଖିବା ପରେ ବି ହୋଲଡିଂ ଟିକସ ଆଦାୟ ନହେବାରୁ ଏବେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖିଛନ୍ତି। କେଉଁ କାର୍ଯ୍ୟାଳୟ ଉପରେ କେତେ ଟଙ୍କା ବାକି ଅଛି, ଚଳିତ ଆର୍ଥିକ ବର୍ଷରେ କେତେ ଟଙ୍କା ହେଉଛି ତା’ର ତାଲିକା ପୂର୍ତ୍ତ ସଚିବଙ୍କୁ ପଠାଇଛନ୍ତି। ମାର୍ଚ୍ଚ ୩୧ସୁଦ୍ଧା ଏହି ବକେୟା ହୋଲଡିଂ ଟିକସ ପୈଠ କରିବାକୁ କହିଛନ୍ତି।

ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ ସୂଚନା ଅନୁଯାୟୀ,ଭୁବନେଶ୍ବରରେ ସବୁଠୁ ଅଧିକ ହୋଲଡିଂ ଟିକସ ବାକି ପଡ଼ିଛି। ଏଠାରେ ୭୦ଲକ୍ଷ ୨୪ ହଜାର ୧୪୩ଟଙ୍କା ବିଏମ୍‌ସିକୁ ଦେବାକୁ ଅଛି। ପୂର୍ତ୍ତ ବିଭାଗର ଭୁବନେଶ୍ବର-୩ ଡିଭିଜନର ସବୁଠୁ ଅଧିକ ୬୮ଲକ୍ଷ ୬୩ହଜାର ୫୦୦ଟଙ୍କା ବାକି ଅଛି। ସେହିପରି ସିଏମ୍‌ସିକୁ ୬୪ଲକ୍ଷ ୭୧ହଜାର ୧୧୧ଟଙ୍କା ଦେବାକୁ ଥିବାବେଳେ ଏଥିରୁ କଟକ ଡିଭିଜନ-୧ର ୩୧ଲକ୍ଷ ୧୯ହଜାର ୮୦୦ଟଙ୍କା, କଟକ ଡିଭିଜନ-୨ ଉପରେ ୩୧ଲକ୍ଷ ୮ହଜାର ୮୦୦ଟଙ୍କା ବାକି ପଡ଼ିଛି। ଅପରପକ୍ଷେ ପୂର୍ତ୍ତ ବିଭାଗ ଭଦ୍ରକ ମ୍ୟୁନିସପାଲଟିକୁ ୧ଲକ୍ଷ ୯୫ହଜାର ୭୮୯ଟଙ୍କା, ପୁରୀ ମ୍ୟୁନିସପାଲଟିକୁ ୧ଲକ୍ଷ ୭୨ହଜାର ୪୬୩ଟଙ୍କା, ବ୍ରହ୍ମପୁର ମ୍ୟୁନିସପାଲଟିକୁ ୨୬,୬୫୧ଟଙ୍କା, ରାଉରକେଲା ମ୍ୟୁନିସପାଲଟିକୁ ୬ଲକ୍ଷ ୫୭ହଜାର ୯୯୪ଟଙ୍କା, ବାରିପଦା ମ୍ୟୁନିସପାଲଟିକୁ ୫ଲକ୍ଷ ୪୭ହଜାର ୭୫୦ଟଙ୍କା, ବାଲେଶ୍ବର ମ୍ୟୁନିସପାଲଟିକୁ ୫୪ହଜାର ଟଙ୍କା ଦେବାକୁ ଅଛି।

ସମ୍ବନ୍ଧିତ ଖବର