ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ‘ଶ୍ରୀକ୍ଷେତ୍ର’କୁ ବିଶ୍ବ ଐତିହ୍ୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଛି। ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମେଘନାଦ ପାଚେରି ସଂଲଗ୍ନ ସରକାରୀ, ବେସରକାରୀ କୋଠା, ଦୋକାନ ଉଚ୍ଛେଦ ପରେ ଏବେ ବେଳାଭୂମି ଉପରେ ନଜର ପକାଇଛି ଜିଲ୍ଲା ପ୍ରଶାସନ। ଗତକାଲି ବେଳାଭୂମିରୁ ଦୁଇଟି ଛୋଟ ଛୋଟ ମନ୍ଦିର ଭାଙ୍ଗିବା ପରେ ଆଜି ବହୁତଳ ପାର୍କିଂ ବ୍ୟବସ୍ଥା ପାଇଁ ଚିହ୍ନଟ ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଏ ନେଇ ପୁରୀ ବଳିଆପଣ୍ଡାସ୍ଥିତ ବେଳାଭୂମିର ଲାଇଟ୍ ହାଉସ ନିକଟରେ ଥିବା ହୋଟେଲ ‘ଯାତ୍ରିକା’କୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳୁ ପ୍ରଶାସନର ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ‘ଯାତ୍ରିକା’ରେ ରହୁଥିବା ଯାତ୍ରୀମାନେ ପ୍ରଶାସନ ଠାରୁ ନୋଟିସ୍ ପାଇ ରୁମ୍ ଛାଡ଼ି ଚାଲି ଯାଇଥିଲେ। ଆଜି ସକାଳୁ ପ୍ରଶାସନ ‘ଯାତ୍ରିକା’ର ୧୭ଟି କୋଠରୀକୁ ଜେସିବି ଲଗାଇ ଭାଙ୍ଗି ଦେଇଛି। ଏଥିପାଇଁ ୬ରୁ ଅଧିକ ଜେସିବି ମୁତୟନ କରାଯାଇଥିଲା। ବହୁତଳ ପାର୍କିଂ ପାଇଁ ୧.୫୩ ଏକର ଜମିରେ ଥିବା ‘ଯାତ୍ରିକା’ ସହ ଏହାର ଆଖପାଖ ଅଞ୍ଚଳକୁ ଜବରଦଖଲମୁକ୍ତ କରାଯାଇଛି। ଏହି ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ରକ୍ଷା ପାଇଁ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ପୁରୀ ପୌରପାଳିକା ‘ହୋଟେଲ ଯାତ୍ରିକା’ ନିର୍ମାଣ କରିବା ପରେ ୧୯୮୪ ମସିହାରେ ୨୦ ବର୍ଷ ପାଇଁ ଜଣେ ବ୍ୟକ୍ତି ଲିଜ୍ ସୂତ୍ରରେ ଏହାକୁ ନେଇଥିଲେ। ୨୦୧୪ ମସିହାରେ ଏହି ଲିଜ୍ ଅବଧି ଶେଷ ହୋଇଥିଲେ ମଧ୍ୟ ୫ ବର୍ଷ ହେବ ଏହି ହୋଟେଲଟିକୁ ସେ ଅବୈଧ ଭାବେ ଚଳାଇ ଆସୁଥିଲେ।। ଏ ନେଇ ଜିଲ୍ଲା ପ୍ରଶାସନର ବି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବହୁବର୍ଷର ବ୍ୟବଧାନ ପରେ ଏହି କୋଠାକୁ ଜିଲ୍ଲା ପ୍ରଶାସନ ଭାଙ୍ଗି ମାଟିରେ ମିଶାଇ ଦେଇଛି। ‘ଯାତ୍ରିକା’ରେ ମୋଟ ୧୭ଟି ରୁମ୍ ରହିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ଅଧିକ ଭଡ଼ା ଦେଇ ରହି ଆସୁଥିଲେ। ସୂଚନା ଥାଉକି, ପୁରୀରେ ଏକାଧିକ ବହୁତଳ ପାର୍କିଂ ବ୍ୟବସ୍ଥା ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ରାଜ୍ୟ ସରକାର ନିକଟରେ ୨୬୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ ବହୁତଳ ପାର୍କିଂକୁ ଗୁରୁତ୍ବ ଦିଆଯାଇଛି। ଏ ମଧ୍ୟରେ ବେଳାମାର୍ଗ ବହୁତଳ ପାର୍କିଂ ଯୋଜନା ଅନ୍ୟତମ। ଏହି ପ୍ୟାକେଜ୍ ଘୋଷଣା ପରେ ଗତ କିଛିଦିନ ହେବ ଜିଲ୍ଲା ପ୍ରଶାସନ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଛି। ଚାରିଦିନ କାଳ ଲାଗି ଶ୍ରୀମନ୍ଦିର ଚାରିପାର୍ଶ୍ବକୁ ଜବରଦଖଲ ମୁକ୍ତ କରିବା ପରେ ଏବେ ବେଳାଭୂମିକୁ ଜବରଦଖଲମୁକ୍ତ କରିବା ଅଭିଯାନ ଆରମ୍ଭ ହୋଇଛି। ଏ ସଂପର୍କରେ ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି, ବହୁତଳ ପାର୍କିଂ ପାଇଁ ଆଜି ଯାତ୍ରିକାକୁ ଭଙ୍ଗାଯାଇଛି। ଶାନ୍ତିଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି।
‘ଯାତ୍ରିକା’ର ୫ ବର୍ଷ ଆୟର ହିସାବ ଦେବ କିଏ?
ପୁରୀ : ବହୁତଳ ପାର୍କିଂ ପାଇଁ ଲାଇଟ୍ ହାଉସ ନିକଟ ବେଳାମାର୍ଗରେ ଥିବା ହୋଟେଲ ‘ଯାତ୍ରିକା’କୁ ଜିଲ୍ଲା ପ୍ରଶାସନ ଆଜି ଭାଙ୍ଗି ଦେଇଛି। ୧୭ ଗୃହ ବିଶିଷ୍ଟ ଏହି ହୋଟେଲକୁ ମାଟିରେ ମିଶାଇ ଦିଆଯାଇଛି।। ତେବେ ଦୀର୍ଘ ୫ ବର୍ଷ ଧରି ଯାତ୍ରିକାକୁ ନେଇ ଚାଲିଥିବା ହରିଲୁଟର ହିସାବ କିଏ ଦେବ ସେ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଥାଉକି, ପୌରସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ଯାତ୍ରିକା ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷିଆ ଲିଜରେ ଦିଆଯାଇଥିଲା। ୧୯୮୪ ମସିହାରୁ ୨୦୧୪ ପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତି ଏହି ହୋଟେଲକୁ ଲିଜରେ ନେଇଥିଲେ। ୨୦୧୪ରୁ ଲିଜ ଅବଧି ଶେଷ ପରେ ବି ସଂପୃକ୍ତ ବ୍ୟକ୍ତି ଆଜି ପର୍ଯ୍ୟନ୍ତ ବେଆଇନ୍ ଭାବେ ଏହି ହୋଟେଲକୁ ଚଲାଇ ଆସୁଥିଲେ। ଯାହାର ହିସାବ ବି ପୌରସଂସ୍ଥା ପାଖରେ ନାହିଁ। ଏ ଭିତରେ ବହୁ ପର୍ଯ୍ୟଟକ ଏଠାରେ ରହି ହଜାର ହଜାର ଟଙ୍କା ଗଣିଛନ୍ତି। ତଥାପି ଏହାର ହିସାବ କାହାପାଖରେ ନାହିଁ। ଦୀର୍ଘ ୫ ବର୍ଷ ବେଆଇନ୍ ଭାବେ ଚାଲିବା ପରେ ଏହାକୁ ଆଜି ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି। ଏପରି ପରିସ୍ଥିତିରେ ଏହି ୫ ବର୍ଷରେ ହୋଇଥିବା ବେଆଇନ୍ ଆୟର ହିସାବ କିଏ ଦେବ ତାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ଏ ସଂପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ଏହି ଘଟଣାର ତଦନ୍ତ ହେବ। ଯିଏ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।