କରୋନା କାଳରେ ଦେବଦୂତ ସାଜିଲେ ହୋଟେଲ କର୍ମଚାରୀ, ରକ୍ତ ଦାନ କରି ବଞ୍ଚାଇଲେ ଥାଲେସେମିଆ ଶିଶୁର ଜୀବନ

ରାଉରକେଲା, (ମଳୟ ରଞ୍ଜନ ସାହୁ) : କରୋନା ସଂକ୍ରମଣ ଭୟ ‌ଯୋଗୁ ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ। ରକ୍ତ ପାଇଁ କଲବଲ ହେଉଛନ୍ତି ଥାଲେସେମିଆ, ସିକିଲସେଲ୍‌ ରୋଗୀ ଓ ଗର୍ଭବତୀ ମହିଳା। ଦିନେ କି ଦୁଇ ନୁହେଁ ପ୍ରାୟ ୧୫ ଦିନ ହେବ ରାଉରକେଲା ସରକାରୀ ହସ୍ପିଟାଲରେ ଦେଖାଦେଇଛି ଏଭଳି ସମସ୍ୟା। ଥାଲେସେମିଆ ଝିଅ ଅବା ପୁଅର ଜୀବନ ପହଞ୍ଚାଇବାକୁ ଦୂରଦୂରାନ୍ତରୁ ରକ୍ତଭଣ୍ଡାରୁ ଆସୁଥିବା ପିତାମାତାଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି।

ସୋମବାର ଦିନ ରାଜାମୁଣ୍ଡାରୁ ନିଜର ୮ ବର୍ଷର ଥାଲେସେମିଆ ପୁଅକୁ ଧରି ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ପହଞ୍ଚିଥିବା ଦିନ ମଜୁରିଆ ମା’ ପଦ୍ମିନୀ ବାଗଙ୍କୁ ଭୋଗିବାକୁ ପଡିଥିଲା ଏମିତି ସମସ୍ୟା। ପୁଅ ମଙ୍ଗଳର ଜୀବନ ବଞ୍ଚାଇବାକୁ ଆବଶ୍ୟକ ‘ଏ’ ପଜିଟିଭ୍‌ ରକ୍ତ ପାଇଁ ଦୌଡିଥିଲେ ରକ୍ତ ଭଣ୍ଡାରକୁ। ‘ ଏ’ ପଜିଟିଭ୍‌ ନଥିବାରୁ ନିରାଶ ହୋଇ କାନ୍ଦିଥିଲେ। ସମ୍ପର୍କୀୟ ରୋଗୀଙ୍କୁ ରକ୍ତ ଦେବାକୁ ରକ୍ତ ଭଣ୍ଡାରକୁ ଆସୁଥିବା ଲୋକଙ୍କୁ ‘ଏ’ ଗ୍ରୁପ୍ ଯୋଗାଡ କରି ଦେବାକୁ ଅନୁରୋଧ କରିଥିଲେ। କିଛି ଫଳ ମିଳି ନଥିଲା। ଶେଷରେ ‘ଏ’ ଗ୍ରୁପ୍‌ ତାଲିକାରେ ନାଁ ଥିବା କିଛି ଯୁବକଙ୍କ ନାମ ରକ୍ତଭଣ୍ଡାର କର୍ମଚାରୀଙ୍କ ଠାରୁ ସଂଗ୍ରହ କରିଥିଲେ। ଜଣେ ପରେ ଜଣେ ଯୁବକଙ୍କୁ ଫୋନ୍‌ କରିଥିଲେ। ନିଜ ୮ ବର୍ଷ ପୁଅ ଜୀବନ ବଞ୍ଚାଇବାକୁ କାକୁତି ମିନତୀ ହୋଇଥିଲେ। କରୋନା ସଂକ୍ରମଣ ଭୟରେ ଆସିବାକୁ ମନା କରି ଦେଇଥିଲେ। ଏମିତି ୩/୪ ଜଣଙ୍କୁ ଫୋନ କରିଥିଲେ। ସମସ୍ତେ ସେହି ସମାନ କଥା କହିଥିଲେ।

ଶେଷରେ ତାଙ୍କ କଲ୍‌ ଲାଗିଥିଲା ବନ୍ଧମୁଣ୍ଡାର ବି ସେକ୍ଟର ନେପାଳୀ ବସ୍ତିରେ ହୋଟେଲ କର୍ମଚାରୀ ରାହୁଲ ଛତ୍ରୀଙ୍କୁ । ନିଜ ପୁଅର ଜୀବନ ବଞ୍ଚାଇବାକୁ କହି ଭୋ ଭୋ ହୋଇ କାନ୍ଦିଥିଲେ। ପଦ୍ମିନୀଙ୍କ ଦୁଃଖ ଶୁଣି ପୁଅ ମଙ୍ଗଳଙ୍କ ପାଇଁ ମଙ୍ଗଳ କରିବାକୁ ସାଜିଥିଲେ ଦେବଦୂତ। ଛୁଆ ପ୍ରତି ମା’ର ଦରଦକୁ ବୁଝି ଥିଲେ ରାହୁଲ। ପ୍ରାୟ ୨୦ କିଲୋମିଟର ଅଟୋ ଭଡା କରି ଅପରାହ୍ନ ପ୍ରାୟ ଦେଢ଼ଟାରେ ପହଞ୍ଚିଥିଲେ ରାଉରକେଲା ରକ୍ତ ଭଣ୍ଡାରରେ। ରକ୍ତଦାନ କରି ମୃତ୍ୟୁ ସହ ସଂଘର୍ଷ କରୁଥିବା ମଙ୍ଗଳର ଜୀବନ ବଞ୍ଚାଇଥିଲେ। ଦୁଃଖରେ ଭାଙ୍ଗି ପଡିଥିବା ମା’ ପଦ୍ମିନୀଙ୍କ ଆଖିରୁ ଗଡିପଡିଥିଲା ହସର ଲୁହ। ହୋଟେଲ କର୍ମଚାରୀ ଯୁବକଙ୍କୁ ପୁଅ ବୋଲି କହି କୁଣ୍ଢାଇ ପକାଇଥିଲେ ପଦ୍ମିନୀ। ପିଠିରେ ଥାପୁଡା ମାରି କହିଥିଲେ, ତୁ ହିଁ ମୋ ପାଇଁ ଭଗବାନ। ତୋରି ପାଇଁ ହିଁ ଆଜି ‌ମୋ ପୁଅ ଜୀବନ ବଞ୍ଚିଗଲା। କେବଳ ମୋ ପୁଅ ନୁହେଁ ଏମିତି ଅନେକ ଥାଲେସେମିଆ ରୋଗୀଙ୍କ ବାପା- ମା’ ଏଭଳି ସଙ୍କଟ ସମୟରେ ଭାଙ୍ଗି ପଡିଛନ୍ତି। ରାହୁଲ ପୁଅ ଭଳି ଯୁବକମାନେ ରକ୍ତଦାନ କରିବାକୁ ଏମାନଙ୍କ ଜୀବନ ବଞ୍ଚାନ୍ତୁ।

ରାହୁଲ କହିଛନ୍ତି, ଏଭଳି ମହତକାର୍ଯ୍ୟ ମୋକତେ ଆତ୍ମସନ୍ତୋଷ ଦେଇଛି। କରୋନା ଭଳି ଜଟିଳ ସମୟରେ ରକ୍ତଭଣ୍ଡାରର ରକ୍ତାଭାବ ଦୂର କରିବାକୁ ବିଭିନ୍ନ ସଙ୍ଗଠନ ଓ ଯୁବକମାନେ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର