ପୌର ନିଗମ ଜମିରେ ବେଆଇନ ନିର୍ମାଣ: ଅଭିଯୋଗ ପରେ ବି ପଦକ୍ଷେପ ନେଉନି ପ୍ରଶାସନ

କଟକ: ସିଏମ୍‌ସି ଜମିରେ ବେଆଇନ ନିର୍ମାଣ ନେଇ ଅଭିଯୋଗ ହୋଇଛି। କଟକ ସହର ୟୁନିଟ୍‌ ନମ୍ବର-୧୬ ଅନ୍ତର୍ଗତ କାଠଗଡ଼ାସାହି‌ ମୌଜାରେ ପୌର ନିଗମ ନାଁରେ ଥିବା ଦୁଇଟି ପ୍ଲଟ୍‌ରେ ବେଆଇନ ଭାବେ ଜଣେ ବ୍ୟକ୍ତି ନିର୍ମାଣ କାର୍ଯ୍ୟ କରୁଥିବା ନେଇ ପୁରୀଘାଟ ଥାନା ଓ ୱାଟ୍‌କୋ ମହାପ୍ରବନ୍ଧକଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ୨୨ ନମ୍ବର ୱାର୍ଡର ସୁତପା ସରକାରଙ୍କ ତରଫରୁ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ, ପୌର ନିଗମ ନାଁରେ ଥିବା ଦୁଇଟି ଖାଲି ପ୍ଲଟ୍‌ରେ ଜଣେ ନିର୍ଦିଷ୍ଟ ବ୍ୟକ୍ତି କୋଠା ନିର୍ମାଣ କରୁଛନ୍ତି। ପାନୀୟ ଜଳ ପାଇପ୍‌ ଯାଇଥିବା ସ୍ଥାନକୁ ଖୋଳାଯାଉଛି। ଫଳରେ ପାଇପ୍‌ ପ୍ରତି ବିପଦ ଦେଖାଦେଇଛି। ଏହି ନିର୍ମାଣ କରୁଥିବା ସମୟରେ ପୌର ନିଗମ ଜମି ସଂଲଗ୍ନ ଅଭିଯୋଗକାରୀଙ୍କ ପାଚେରି ମଧ୍ୟ ସଂପୃକ୍ତ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି। ଅଭିଯୋଗକାରୀ ବସାଇଥିବା ସିସିଟିଭି କ୍ୟାମେରାରେ ଏଭଳି ବେଆଇନ ନିର୍ମାଣ କାର୍ଯ୍ୟର ଫଟୋ ରହିଛି। ପୌର ନିଗମ ଜମିରେ କରାଯାଉଥିବା ନିର୍ମାଣ ପାଇଁ ସିଏମ୍‌ସି, ସିଡିଏ ବା ୱାଟ୍‌କୋର କୌଣସି ଅନୁମତି ନାହିଁ। ଏଭଳି ବେଆଇନ କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସିଏମ୍‌ସି, ପୁରୀଘାଟ ଥାନା ଓ ୱାଟ୍‌କୋ କର୍ତ୍ତୃପକ୍ଷଙ୍କ ନିକଟରେ ଶ୍ରୀମତୀ ସରକାର ଜଣାଇଥିଲେ ଓ ଫଟୋ ମଧ୍ୟ ଦାଖଲ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଏହି ପ୍ରସଂଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର