କୁସୁମୀ ଓ ଦୁଆନ୍ତ ନଦୀ ଯନ୍ତ୍ରୀ-ଠିକାଦାରଙ୍କ ଭାତହାଣ୍ତି: କାମର ନାଁଗନ୍ଧ ନାହିଁ, ଉଠୁଛି ଲକ୍ଷ ଲକ୍ଷ ବିଲ୍

ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ଶରଣକୁଳଠାରୁ ବହି ଯାଇଥିବା କୁସୁମୀ ଓ ଦୁଆନ୍ତ ନଦୀ ଏବେ ଠିକାଦାର–ଯନ୍ତ୍ରୀଙ୍କ ଭାତହାଣ୍ତି ପାଲଟିଛି। କାମର ନା ଗନ୍ଧ ନାହିଁ ଉଠୁଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍। ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ସବୁ ଠିକ୍‌ଠାକ୍ ଥିବା କହି ଦୋଷ ଖସେଇବାରେ ଲାଗିଛନ୍ତି ଜଳସଂପଦ ବିଭାଗ ଅଧିକାରୀ। ସୂଚନାଯୋଗ୍ୟ, ଦୁଆନ୍ତ ନଦୀର ଉନ୍ନତୀକରଣ ପାଇଁ ଧୁଷୁମାଠାରୁ ପାଟୁଳିସାହି ପର୍ଯ୍ୟନ୍ତ ପଥର ପ୍ୟାକିଂ କରିବାକୁ ଜଳ ସଂପଦ ବିଭାଗ ପକ୍ଷରୁ ୨୦୨୧–୨୨ ମସିହାରେ ୨ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକାଦାର ନଦୀର ଉଭୟ ପାର୍ଶ୍ବ, ପୋଲ ତଳ ଭାଗ ପଥର ପ୍ୟାକିଂ କରି ବାହାରପଟର ଅଳ୍ପ କାମ ସାରି ଦେଇଛି। ପାଟୁଳିସାହି ପଟକୁ କାମ କରିବାର ନିୟମ ଥିଲେ ମଧ୍ୟ ତାହା ନ କରି ସବୁ ଟଙ୍କା ଠିକାଦାର ଓ ଯନ୍ତ୍ରୀ ଚଳୁ କରି ନେଇଥିବା ପାଟୁଳିସାହି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା କାମ ଆରମ୍ଭ ସମୟରେ ନିୟମ ଅନୁଯାୟୀ କରାଯାଇନାହିଁ। ଫଳରେ ପୋଲ ତଳେ ଦିଆଯାଇଥିବା ପଥର ପ୍ୟାକିଂ ଉଠି ପୂର୍ବ ଭଳି ଖାଲ ହୋଇଯାଇଛି। ସେହିପରି ଆଙ୍ଗିସିଙ୍ଗି ନିକଟସ୍ଥ କୁସୁମୀ ନଦୀର ଉନ୍ନତୀକରଣ ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ୨୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏହି ଅର୍ଥରେ ପଥରବନ୍ଧ କରାଯାଇ ପଥରପ୍ୟାକିଂ କରାଯିବ। କିନ୍ତୁ ସବୁ ନିୟମ ଉଲ୍ଲଂଘନ କରି କାମ କରୁଛନ୍ତି ବିଭାଗୀୟ ଅଧିକାରୀ। ପଥରପ୍ୟାକିଂ କରିବା ପୂର୍ବରୁ ପଥରବନ୍ଧ କରିବା କଥା କିନ୍ତୁ ତାହା ଏଠାରେ କରାଯାଇନାହିଁ। କିଭଳି ଯନ୍ତ୍ରୀଙ୍କୁ ହାତବାରିସି ସଜେଇ ଯାହିତାହି କାମ କରି ଅର୍ଥ ଲୁଟ୍‌ କରିବେ ସେହି ଲକ୍ଷ୍ୟରେ ଅଛନ୍ତି।

କଳା ଓଜନିଆ ପଥର ଲାଗିବା ବଦଳରେ ହାଲ୍‌କା ପଥର ବ୍ୟବହାର ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତୃପ୍ତିମୟୀ ନାୟକ ଏହାକୁ ଗ୍ରହଣ କରିନାହାନ୍ତି। ସେ ସବୁକିଛି ଠିକ୍‌ଠାକ୍ ଥିବା କହି ମୁଣ୍ତରୁ ଦୋଷ ଖସେଇଛନ୍ତି। ଏପଟେ ପଥରବନ୍ଧ ନ କରି ପ୍ୟାକିଂ କଲେ ନଦୀ ବଢ଼ିରେ ସବୁ ପଥର ଭାସିଯିବ ବୋଲି ଗ୍ରାମବାସୀ କହିଛନ୍ତି। ଆଙ୍ଗିସିଙ୍ଗିଠାରୁ ମାତ୍ର ୨ଶହ ମିଟର ଦୂରରେ ବଡ଼ଗୋରଡ଼ାଠାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବିଭାଗ ପକ୍ଷରୁ ନଦୀବନ୍ଧ ପଥରପ୍ୟାକିଂ କରିବାକୁ ୨୧ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲେ ମଧ୍ୟ ଠିକାଦାର ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ନାଲି ଆଖି ଦେଖାଇ କାମ ହାସଲ କରିବାକୁ ଚେଷ୍ଟା କରିଛନ୍ତି। ପାହାଡ଼ରୁ ଯାହିତାହି ପଥର ଆଣି ପ୍ୟାକିଂ କାର୍ଯ୍ୟରେ ଲଗାଯାଉଛି। ଜଳସଂପଦ ବିଭାଗ ପ୍ରତିବର୍ଷ ନଦୀର ପଥର ପ୍ୟାକିଂ କରି ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆତ୍ମସାତ୍ କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ତେଣୁ ବିଭାଗ ଏହି ନଦୀଗୁଡ଼ିକୁ ଏକ ରୋଜଗାର ସ୍ଥଳ ଭାବେ ବାଛି ନେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାର ତଦନ୍ତ ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ଅସଲ ମୁଖା ଖୋଲନ୍ତା। ଏହି ଘଟଣାରେ ଜଳସଂପଦ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ୍ କରିଥିଲେ ମଧ୍ୟ ସେ ଇଚ୍ଛାକୃତ ଭାବେ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର