ତାତି ବଢ଼ାଉଛି ଇଟାଭାଟି: ଧୂଆଁରେ ଅତିଷ୍ଠ ସାଧାରଣ ଜନତା

ଖଣ୍ଡପଡ଼ା: ଖଣ୍ଡପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ଇଟାଭାଟି ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ବେଆଇନ ଇଟାଭାଟି ଯୋଗୁ କିଛିଦିନ ହେବ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ଜନବସତି, ରାସ୍ତାକଡ଼, ନଇପଠା, ଗୋଚର ଜମି, ଜଙ୍ଗଲ ଜମିରେ ପ୍ରତ୍ୟେକ ସ୍ଥାନରେ ଏଭଳି ମାଳମାଳ ବେଆଇନ ଇଟାଭାଟି ଏବେ ସମସ୍ୟା ବଢ଼ାଇଛି। ଖଣ୍ଡପଡ଼ା ତହସିଲ ଅଞ୍ଚଳର ବିଭିନ୍ନ ରାଜସ୍ବ ଗ୍ରାମରେ ମଧ୍ୟ ଇଟା ମାଫିଆମାନେ ସକ୍ରିୟ ହେବା ସହ ଏକର ଏକର ଗୋଚର ଜାଗା, ଅନାବାଦୀ ଜମି, ନଈପଠା ଓ ଜଙ୍ଗଲ ଜମିରେ ଅବାଧ କାରବାର କରୁଥିବା ବେଳେ ସରକାରଙ୍କ ରାଜସ୍ୱ ହାନି ସହ ବ୍ୟାପକ ଅଞ୍ଚଳରେ ମୃତ୍ତିକା କ୍ଷୟ ହେଉଛି। ଏସବୁ ଦିଗରେ ପଦକ୍ଷେପ ନେବାକୁ କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ରାଜସ୍ୱ ବିଭାଗ ପଛଘୁଞ୍ଚା ଦେଉଛି। ବ୍ଲକ୍‌ ଅଧୀନ ଖଳିସାହି, ଶିଖରପୁର, ବନମାଳିପୁର, କୋସକା ଆଦି ବିଭିନ୍ନ ପଞ୍ଚାୟତ ସମେତ ଏକାଧିକ ରାଜସ୍ବ ସର୍କଲରେ ବେଧଡ଼କ ଭାବେ ଏହି ଶିଳ୍ପ ଗଢ଼ିଉଠିଛି।

ଇଟାଭାଟିରୁ ବାହାରୁଥିବା କଳା ଧୂଆଁ ଓ ଧୂଳିରେ ଅଞ୍ଚଳବାସୀ ଅତିଷ୍ଠ ହେବା ସହ ନିଆଁ ପ୍ରକୋପରେ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ବିଶେଷ କରି ଶିଖରପୁର ଏବଂ ଖଣ୍ଡପଡ଼ା ଉପକଣ୍ଠ ତଥା ଖଳିସାହିକୁ ଲାଗିକରି ହୋଇଥିବା ଇଟାଭାଟି ଯୋଗୁ ଲୋକମାନେ ନାନା ସମସ୍ୟାରେ ପଡ଼ୁଛନ୍ତି। ଖାଲି ଶିଖରପୁର ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ୱ ବେଆଇନ ଇଟାଭାଟି ଶିଳ୍ପ ଗଢିଉଠିଛି। ତେବେ ଏମାନଙ୍କ ପଛରେ ସ୍ଥାନୀୟ ତହସିଲ ପ୍ରଶାସନର ସହଯୋଗ ଯୋଗୁ ରାଜସ୍ବକୁ ଠକି ଛୋଟମୋଟ ଟ୍ୟାକ୍ସ ଆଦାୟ କରିବା ସହ ଏଭଳି ବେଆଇନ କାରବାର ପାଇଁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜସ୍ୱ ସର୍କଲର ନିରୀକ୍ଷକମାନେ ମାଫିଆମାନଙ୍କ ସହ ସୁସମ୍ପର୍କ ରଖି ଏଭଳି ବେଆଇନ କାରବାରକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପର ପୋଡ଼ା ଇଟାଭାଟି ସମ୍ପୂର୍ଣ୍ଣ ବେଆଇନ। ଇଟାଭାଟି ଯୋଗୁ ଶହ ଶହ ଏକର ଚାଷ ତଥା ସରକାରୀ ଜମିରୁ ମାଟି କ୍ଷୟ ହୋଇଚାଲିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର