ସ୍କୁଲ ମାଲିକ ଗୋବିନ୍ଦ ସାହୁ ‘ମୋଷ୍ଟ ୱାଣ୍ଟେଡ୍’ ଘୋଷିତ, ସୂଚନା ଦେଲେ ମିଳିବ ୨୦ ହଜାର ପୁରସ୍କାର

ବଲାଙ୍ଗୀର: ପୁଲିସ୍ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ବାବଦରେ ସୂଚନା ଦେଲେ ମିଳିବ ୨୦ ହଜାର ଟଙ୍କା ପୁରସ୍କାର। ଏଭଳି ଘୋଷଣା କରିଛି ବଲାଙ୍ଗୀର ପୁଲିସ। ତାଙ୍କୁ  ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରାଯାଇଛି। ଏଥିସହ ଗୋବିନ୍ଦ ସାହୁର ପୋଷ୍ଟର୍ ଜାରି କରିଛି ପୁଲିସ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜର କିଛି ଦିନ ପରେ ସ୍କୁଲ୍ ମାଲିକ ଗୋବିନ୍ଦ ସାହୁ ଟିଟଲାଗଡ଼ ପୁଲିସ ବାରାକରୁ ଚମ୍ପଟ ମାରିଥିଲେ। ଫଳରେ, ଘଟଣା ଭିନ୍ନମୋଡ଼ ନେଇଛି। ଗୋବିନ୍ଦଙ୍କ ଫେରାର ପରେ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପୁଲିସର ନିଦ ହଜିଯାଇଛି। ସୋମବାର ସନ୍ଧ୍ୟାରେ କଳାହାଣ୍ଡି ଓ ବଲାଙ୍ଗୀର ପୁଲିସ ପକ୍ଷରୁ ବୋର୍ଡ଼ା ଫାଣ୍ଡିରେ ସ୍କୁଲ୍ ଓ କଲେଜର କିଛି କର୍ମଚାରୀଙ୍କୁ ଜେରା କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ କଲେଜର ଅଧ୍ୟକ୍ଷ ରଣଜିତ ସାହୁଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି।

ଏଣେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣାର ତଦନ୍ତ ନୂଆ ମୋଡ଼ ନେଇଛି। ଆଜି ସକାଳୁ କଳାହାଣ୍ଡି ଓ ଗୋଳାମୁଣ୍ଡା ପୁଲିସ ମହାଳିଙ୍ଗ ହାଇସ୍କୁଲର ନିର୍ମାଣାଧୀନ ଷ୍ଟାଡିୟମରେ ଜେସିବି ସହାୟତାରେ ଖୋଳିବା ଆରମ୍ଭ କରିଥିଲେ। ପୁଲିସ୍ ଏକ ଦଗ୍ଧ ତଥା ଗଳିତ ମୃତଦେହ ମାଟି ତଳୁ ଉଦ୍ଧାର କରିଛି। ଏହି ଶବ ନିଖୋଜ ମମିତାଙ୍କର କି ନୁହେଁ ସେଥିପାଇଁ ପୁଲିସ ପକ୍ଷରୁ ପରିବାରକୁ ଡକାଯାଇଛି। ବଲାଙ୍ଗୀର ପୁଲିସ ପକ୍ଷରୁ ଗଳିତ ଶବର ଡିଏନଏ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର