ଅନୁମୋଦନ ନ ଥାଇ ଖର୍ଚ୍ଚ ହୋଇଛି ସରକାରୀ ଅର୍ଥ

ନ‌ାକଚୁଣି ପାଟ ଇକୋ ଟୁରିଜିମ୍‌ ପ୍ରକଳ୍ପରେ ସ୍ଥିତାବସ୍ଥା ଜାରି କଲେ ହାଇକୋର୍ଟ

କଟକ: ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ର ପ୍ରସ୍ତାବିତ ନୂଆପାଟଣା ନ‌ାକଚୁଣି ପାଟ ଇକୋ ଟୁରିଜିମ୍‌ ପ୍ରକଳ୍ପକୁ ଧକ୍କା ଲାଗିଛି। ବେଆଇନ ଭାବେ ଚିହ୍ନଟ କରାନଯାଇ ନାକଚୁଣି ପାଟକୁ ଖୋଲାଯାଉଥିବା ସଂପର୍କରେ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିବା ସହ ଟାଙ୍ଗୀ-ଚୌଦ୍ବାର ବିଡିଓ, କନିଷ୍ଠଯନ୍ତ୍ରୀ, କୟଳପଡା ପଂଚାୟତ ଓ ରଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ତେବେ, ଏଭଳି କୌଣସି ଅନୁମୋଦିତ ପ୍ରକଳ୍ପ ପାଇଁ ରୂପରେଖ(‌ଲେ’ଆଉଟ୍‌) କରାଯାଇ ନଥିବା ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିବା ବେଳେ ଏପଟେ ପ୍ରକଳ୍ପ ପାଇଁ ୧୯ଏକର ପାଣିପାଟକୁ ବେଆଇନ ଭାବେ ଖୋଳାଯାଉଥିବା ଓ ସଂଯୋଗୀକରଣ ରାସ୍ତା ନିର୍ମାଣ ନେଇ ହୋଇଥିବା ସରକାରୀ ଅନୁଦାନ ଖର୍ଚ୍ଚ ଉପରେ ଏବେ ପ୍ରଶ୍ନ ଉଠିଲାଣି। ଏହି ପ୍ରକଳ୍ପ ପାଇଁ କ୍ରିଟିକାଲ୍‌ ଫଣ୍ଡ ଓ ବିଧାୟକ ପାଣ୍ଠିରୁ କୋଟିଏ ଟଙ୍କା ମଂଜୁର କରାଯାଇଥିବା‌ ବେଳେ ଏହି ଟଙ୍କା ଖର୍ଚ୍ଚକୁ ନେଇ ଏବେ ଆପତ୍ତି ଉଠିଲାଣି। କେବଳ ସେତିକି ନୁହେଁ, ଏହି ପାଟକୁ ଖୋଳି ବେଆଇନ ଭାବେ ଟ୍ରିପ୍‌ ଟ୍ରିପ୍‌ ମାଟି ଉଠାଯାଇ କଟକରେ ହେଉଥିବା ଏକ କାମରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏସଂପର୍କରେ ଟାଙ୍ଗୀ-ଚୌଦ୍ବାର ବିଡିଓ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କୁ କିଛି ଗ୍ରାମବାସୀ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ନୂଆପାଟଣା ମୌଜାର ନ‌ାକଚୁଣି ପାଟରେ ଇକୋ ଟୁରିଜିମ୍‌ ପ୍ରକଳ୍ପ କରାଯିବା ନେଇ ଘୋଷଣା କରାଯାଇଥିଲା । ୧୯ଏକର ସ୍ଥାନରେ ପର୍ଯ୍ୟଟନସ୍ଥଳୀର ବିକାଶ ହେବ। ଏହି ପ୍ରକଳ୍ପ ହେଲେ ସେହି ଅଂଚଳରେ ପର୍ଯ୍ୟଟନର ବିକାଶ ହେବା ସହ ଅନେକ ନୂଆ ଭିତ୍ତିଭୂମି ହୋଟେଲ ଶିଳ୍ପ ଆଦି ସ୍ଥାପନ ହେବ।

ଏଥିପାଇଁ ଜିଲ୍ଲା ଯୋଜନା ବୋର୍ଡର କ୍ରିଟିକାଲ ପାଣ୍ଠିରୁ ୨୦୧୭-୧୮ରେ ଆସିଥିବା ୨କୋଟି ୬୨ଲକ୍ଷ ଅନୁଦାନରୁ ୫୦ଲକ୍ଷ ଟଙ୍କା ସ୍ବତନ୍ତ୍ର ଭାବେ ପ୍ରକଳ୍ପ ପାଇଁ ଦିଆଯାଇଥିଲା। ସେହି ଟଙ୍କାରେ ପ୍ରକଳ୍ପସ୍ଥଳୀର ଉନ୍ନତି, ବିଦ୍ୟୁତ୍‌କରଣ ଇତ୍ୟାଦି ଉନ୍ନୟନ କାର୍ଯ୍ୟ କରାଯିବା ନେଇ ନିଷ୍ପତ୍ତ ନିଆଯାଇଥିଲା। ‌ତେବେ ଆଜି ପର୍ଯ୍ୟନ୍ତ ଏହି ଅନୁଦାନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, କେଉଁସ୍ଥାନରେ ଖର୍ଚ୍ଚ କରାଯାଇଛି ସେ ସଂପର୍କରେ କୌଣସି ତଥ୍ୟ ବା କାର୍ଯ୍ୟର ବିନିଯୋଗ ପ୍ରମାଣପତ୍ର ସଂପର୍କରେ ବାରମ୍ବାର ତଥ୍ୟ ମଗାଯାଉଥିଲେ ସୁଦ୍ଧା ଟାଙ୍ଗୀ-ଚୌଦ୍ବାର ବିଡିଓ ଦେଉ ନଥିବା ଜଣାପଡିଛି। ଫଳରେ ଉକ୍ତ ଅର୍ଥ ପ୍ରସ୍ତାବିତ କାମରେ ବିନିଯୋଗ କରା ନଯାଇ ଅନ୍ୟ କାର୍ଯ୍ୟରେ ତଥା ସଂଯୋଗୀକରଣ ରାସ୍ତା ନିର୍ମାଣରେ ଖର୍ଚ୍ଚ କରାଯାଇଥିବା କୁହାଯାଉଛି। ଉକ୍ତ ଅନୁଦାନକୁ ଅନ୍ୟତ୍ର ଖର୍ଚ୍ଚ କରାଯିବାକୁ ହେଲେ ଜିଲ୍ଲା ଯୋଜନା ଓ ସମନ୍ବୟ ବିଭାଗକୁ ଏସଂପର୍କରେ ସୂଚିତ କରାଯିବା କଥା। ହେଲେ ସେଭଳି କିଛି କରାଯାଇ ନଥିବା ଜଣାପଡିଛି। ଅନ୍ୟପଟେ ସେହି ଅନୁଦାନରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାରୁ ଏନ୍‌-ଏଚ୍‌ ୫୫କୁ ସଂଯୋଗ କରୁଥିବା ରାସ୍ତା ତିଆରି ହୋଇଛି। ସେହି ପର୍ଯ୍ୟଟନ ପ୍ରକଳ୍ପ ପାଇଁ ବିଧାୟକ ଉନ୍ନୟନ ପାଣ୍ଠିରୁ ବି ୫୦ଲକ୍ଷ ଟଙ୍କା ଦିଆଯାଇଥିଲା। ଏବେ ଏଭଳି ପର୍ଯ୍ୟଟନ ପ୍ରକଳ୍ପ ହେବା ନେଇ ଏକପ୍ରକାର ଅନିଶ୍ଚିତତା ଦେଖାଦେବା ପରେ ଅନୁଦାନ ପାଣ୍ଠି ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠିଛି। ହାଇକୋର୍ଟ ନାଗଚୁଣି ପାଟ ପୋଖରୀ ଖନନକୁ ନେଇ ସ୍ଥିତାବସ୍ଥା ଜାରି କରିବା ପରେ ଏହି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ସମ୍ବନ୍ଧିତ ଖବର