ତ୍ରୁଟିପୂର୍ଣ୍ଣ ଟିକେଟ ବଣ୍ଟନ ଅଭିଯୋଗ, ୨ କମିଟିରୁ ଇସ୍ତଫା ଦେଲେ ଜଗନ୍ନାଥ ପଟ୍ଟନାୟକ

ସମ୍ବଲପୁର : ତ୍ରୁଟିପୂର୍ଣ୍ଣ ଟିକେଟ ବଣ୍ଟନ ଯୋଗୁଁ ରାଜ୍ୟରେ କଂଗ୍ରେସ ଆଶାନୁରୂପ ପ୍ରଦର୍ଶନ କଲା ନାହିଁ। ନିର୍ବାଚନ ପରିଚାଳନା ପାଇଁ ଗଠିତ ଇସ୍ତାହାର କମିଟିକୁ ବାଦ ଦେଲେ ଅନ୍ୟ କୌଣସି କମିଟି ଠିକ ଭାବରେ କାର୍ଯ୍ୟ କରି ନାହିଁ। ସମନ୍ବୟ କମିଟିରେ ଜିତେନ୍ଦ୍ର ପ୍ରସାଦ ସଭାପତି ଥାଇ କୌଣସି କାମକୁ ଆସିଲା ନାହିଁ। ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପୂର୍ବରୁ ଏହି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ। ଏଥିପାଇଁ ସେ ପ୍ରଦେଶ ନିର୍ବାଚନ କମିଟି ଏବଂ ସମନ୍ବୟ କମିଟିରୁ ଇସ୍ତଫା ଦେଇଥିବା ନେଇ ସମ୍ବଲପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କଂଗ୍ରେସର ଏଭଳି ପ୍ରଦର୍ଶନ ପାଇଁ କିଏ ଦାୟୀ ଏବଂ ଏଥିପଛରେ କାରଣ କଣ, ଏ ନେଇ ପିସିସି ଏବଂ ଏଆଇସିସି ଫୋରମରେ ଆଲୋଚନା ହେବା ଉଚିତ। ଆଲୋଚନାରେ ସେ ନିଜ ମତ ରଖିବେ ବୋଲି କହିଛନ୍ତି।

ସେ କହିଛନ୍ତି, କେନ୍ଦ୍ର ବିଜେପି ସରକାର ବିରୋଧରେ କୃଷି ଏବଂ ସାମ୍ପ୍ରଦାୟକିତା ନେଇ ଏବଂ ରାଜ୍ୟ ସରକାରଙ୍କ କ୍ରମାଗତ ବିଫଳତା ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପରେ କଂଗ୍ରେସ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା। ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସର ଭଲ ପ୍ରଦର୍ଶନର ପ୍ରଭାବ ଓଡ଼ିଶା ବିଶେଷକରି ପଶ୍ଚିମ ଓଡ଼ିଶାରେ ପଡ଼ିବ ବୋଲି ଆଶା ଥିଲା। ତାହା ହେଲା ନାହିଁ। ଟିକେଟ ବଣ୍ଟନ ନେଇ ଯେଉଁ ମାପଦଣ୍ଡ ନିରୂପଣ କରାଯାଇ ଥିଲା ଏହା ଠିକ ଭାବରେ କାର୍ଯ୍ୟକାରୀ ହେଲା ନାହିଁ। ପ୍ରତିପକ୍ଷ ତୁଳନାରେ ପ୍ରଚାର-ପ୍ରସାରରେ କଂଗ୍ରେସ ପଛରେ ପଡ଼ିଯାଇ ଥିଲା। ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ପ୍ରକାର କମିଟି ଗଠନ ହୋଇଥିଲା ଏଥିମଧ୍ୟରେ ପ୍ରଚାର କମିଟି, ସମନ୍ବୟ କମିଟି. ପବ୍ଲିସିଟି କମିଟି, ଷ୍ଟାର କେମ୍ପନର କମିଟି ଗଠନ ହୋଇଥିଲା। କେବଳ ଇସ୍ତହାର କମିଟିକୁ ବାଦ ଦେଲେ ଅନ୍ୟ କୌଣସି କମିଟି କାର୍ଯ୍ୟକ୍ଷମ ହେଲା ନାହିଁ। କେନ୍ଦ୍ର କଂଗ୍ରେସ ପକ୍ଷରୁ ଲୋକାଭିମୁଖୀ ଇସ୍ତହାର ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏହା ଲୋକଙ୍କ ନିକଟକୁ ପହଞ୍ଚି ପାରିଲା ନାହିଁ। ସମନ୍ବୟ କମିଟିରେ ଜିତେନ୍ଦ୍ର ପ୍ରସାଦ ସଭାପତି ଏବଂ ସେ ନିଜେ ଆବାହକ ଥିଲେ। ଏହି କମିଟି ସମେତ ଅନ୍ୟ କୌଣସି କମିଟିର ଗୋଟିଏ ମଧ୍ୟ ବୈଠକ ହେଲା ନାହିଁ। କଂଗ୍ରେସର ଏହି ବିଫଳତା ପାଇଁ କ୍ୟାପଟେନ ହିସାବରେ ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଆମେ ସମସ୍ତେ ଦାୟୀ ବୋଲି ସେ କହିଛନ୍ତି। ତେବେ, ନିର୍ବାଚନ ଫଳ ପ୍ରକାଶ ପାଇବା ପୂର୍ବରୁ କଂଗ୍ରେସର ପ୍ରଦର୍ଶନକୁ ନେଇ ଶ୍ରୀ ପଟ୍ଟନାୟକଙ୍କ ସନ୍ଦେହ ପ୍ରକାଶ କରିବା ପରାଜୟ ସ୍ବୀକାର କରିବା ଭଳି ହୋଇଛି।

ସମ୍ବନ୍ଧିତ ଖବର