ଅମଳ ହୋଇ ଖଳାରେ ପଡ଼ିରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ, ଚିନ୍ତାରେ ଯାଜପୁର ଜିଲ୍ଲାର ଚାଷୀ

ଯାଜପୁର: ଯାଜପୁର ଜିଲ୍ଲାରେ ଚାଷୀଙ୍କ ନିଦ ହଜେଇ ଦେଲାଣି ସାମୁଦ୍ରିକ ବାତ୍ୟା ଅମ୍ଫାନ । ସମ୍ଭାବ୍ୟ ବାତ୍ୟା ନେଇ ଏବେ ଆତଙ୍କରେ ଯାଜପୁର ଜିଲ୍ଲାର ଚାଷୀ । ଅମଳ ହୋଇ ଖଳାରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ । ବାତ୍ୟା ହେଲେ ଉଜୁଡ଼ି ଯିବ ଚାଷୀର ଭାତ ହାଣ୍ଡି । ପାଣିରେ ପଡ଼ିବ ଚାଷୀର ବର୍ଷକର ପରିଶ୍ରମ ।

ଚଳିତ ବର୍ଷ ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ରବି ଧାନ ଅମଳ ସରିଛି , ହେଲେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ିରହିଛି ଖଳାରେ । ଏବେ ବାତ୍ୟା ଦାଉରୁ କେମିତି ଧାନକୁ ସୁରକ୍ଷିତ ରଖିବା ତାକୁ ନେଇ ଚିନ୍ତାରେ ପଡ଼ିଲେଣି ଜିଲ୍ଲାର ଚାଷୀ । କାରଣ କେଉଁ ସ୍ଥାନରେ ବିଲ ମଝିରେ ତ ଆଉ କେଉଁଠି ଖଳାରେ ଗଦା ହୋଇ ପଡିରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ।

ସେପଟେ ଅମଳ ଧାନକୁ କେମିତି ସୁରକ୍ଷିତ ସ୍ଥାନକୁ ବୋହି ନିଆଯିବ ସେ ନେଇ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛି ଚାଷୀ । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ୧୦ ହଜାର ୨୦୦ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ୩୨ଟି ପେକ୍ସ ଜରିଆରେ ୫ ହଜାର ୫ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ । ହେଲେ ୨୦ ତାରିଖ ବେଳକୁ ରାଜ୍ୟରେ ବାତ୍ୟା ସମ୍ଭାବନା ଥିବାରୁ ଏହାକୁ ନେଇ ଯାଜପୁର ଜିଲ୍ଲାର କୋରେଇ ବ୍ଲକର ଧାନଚାଷୀଙ୍କ ମନରେ ଛନକା ପଶିଛି । ଏପରି ସ୍ଥିତିରେ ଧାନ କ୍ଷତିଗ୍ରସ୍ତ ହେଲେ କେମିତି ଶୁଝିବେ ଋଣ, କେମିତି ଚଳିବେ ବର୍ଷ ଟିଏ ତାକୁ ନେଇ ଘାରିଛି ଚିନ୍ତା । ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚାଷୀ ଧମକ ଦେଇଛନ୍ତି ।

 

ସମ୍ବନ୍ଧିତ ଖବର