ସାମ୍ବାଦିକଙ୍କୁ ଲୋକସେବା ଭବନରେ ପ୍ରବେଶ ଅନୁମତି ମିଳୁ, ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲେ ସାମ୍ବାଦିକ

ଭୁବନେଶ୍ବର : ଭୁବନେଶ୍ବରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏବେ ଲୋକସେବା ଭବନକୁ ପ୍ରବେଶ ପାଇଁ କଟକଣା ଜାରି କରାଯାଇଛି। କରୋନା ଆଳରେ ଦୀର୍ଘ ତିନି ମାସ ହେଲା ଅନୁମତି ଦିଆଯାଉ ନାହିଁ। ଏହାକୁ ପ୍ରତିବାଦ କରିଛନ୍ତି କାର୍ଯ୍ୟରତ ସାମ୍ବାଦିକମାନେ। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସାମ୍ବାଦିକମାନେ ଏକଜୁଟ୍‌ ହୋଇ ଆଜି ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଅଭିଯୋଗ ହୋଇଛି ଯେ ଭୁବନେଶ୍ବରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମ୍ବାଦ ସଂଗ୍ରହ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରୁଛନ୍ତି। କୌଣସି ବିଧିବଦ୍ଧ ଆଦେଶ ନ ଥାଇ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ସାମ୍ବାଦିକମାନଙ୍କୁ ଲୋକସେବା ଭବନକୁ ଯିବାରେ ବାଧା ଦିଆଯାଉଛି। ପ୍ରେସ୍‌ ସ୍ବାଧୀନତାର ଏହି ଉଲ୍ଲଂଘନ ବିରୋଧରେ ଗତ ଜୁନ୍‌ ୧୭ ତାରିଖରେ ଭୁବନେଶ୍ବରର ସାମ୍ବାଦିକଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଥିଲା। କିନ୍ତୁ ତାହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଆଜି ସାମ୍ବାଦିକମାନେ ଏ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ପ୍ରେସ୍‌ ସ୍ବାଧୀନତା ଉପରେ ଏପରି ହସ୍ତକ୍ଷେପ ହୋଇ ନ ଥିଲା ବୋଲି ସାମ୍ବାଦିକମାନେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିଲେ। ସ୍ମାରକପତ୍ର ପ୍ରଦାନ ସମୟରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର, ଦୁଲାଲ ମିଶ୍ର, ଅଜିତ ମହାନ୍ତି, ବିଭୂତି ଭୂଷଣ କର, ବିବେକାନନ୍ଦ ଜେନା, ବୈଷ୍ଣବ ଚରଣ ଜେନା ଓ ରମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର