ମେଡିକାଲ୍‌ ସାମଗ୍ରୀ ପରେ ମୋବାଇଲ କିଣାରେ ବ୍ୟାପକ ଦୁର୍ନୀତି: କଂଗ୍ରେସ

ବିଦେଶୀ କମ୍ପାନି ଓ ଶିଳ୍ପପତିମାନଙ୍କୁ ରେଳସେବା ହସ୍ତାନ୍ତର କରିବାକୁ ଉଦ୍ୟମ

ଭୁବନେଶ୍ବର : ମହାମାରୀ କରୋନା ସମୟରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ମାସ୍କ୍‌, ପିପିଇ, ସାନିଟାଇଜର, ନେବୁଲାଇଜର କିଣାରେ ବ୍ୟାପକ ଦୁର୍ନୀତି ଏବେ ଲୋକଙ୍କ ମନରୁ ଯାଇନି। ଏବେ ଆଶା କର୍ମୀଙ୍କ ପାଇଁ ମୋବାଇଲ୍‌ କିଣାରେ ଦୁର୍ନୀତି ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଆଜି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ମୋବାଇଲ କିଣାରେ କିପରି ବଡ଼ ଘୋଟାଲା ହୋଇଛି ତାର ପର୍ଦ୍ଦାଫାସ୍‌ କରାଯାଇଛି। ଏହାସହିତ ଭାରତ ସରକାର ରେଳସେବାକୁ ବିଦେଶୀ କମ୍ପାନି ଓ ଶିଳ୍ପପତିମାନଙ୍କ ହାତକୁ ଟେକିଦେବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ଦଳ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତା ସୁଦର୍ଶନ ଦାସ ଅଭିଯୋଗ କରି କହିଥିଲେ, ଆଶାକର୍ମୀମାନଙ୍କ ପାଇଁ ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିସନ ପକ୍ଷରୁ ମୋବାଇଲ୍‌ କିଣିବା ପାଇଁ ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶାଳୟକୁ ଅର୍ଥ ଯୋଗାଇ ଦିଆଯାଇଛି। ଏହି ଅର୍ଥରେ ୧୦ ହଜାର ୯୨୫ଟି ମୋବାଇଲ୍‌ କିଣିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌କୁ ଉଲଂଘନ କରି ହରିୟାଣା ଗୁଡ଼ଗାଓଁ ସ୍ଥିତ ସାମସଙ୍ଗ କମ୍ପାନିର ଏକ ନିର୍ଦ୍ଦିଷ୍ଟ ଡିଲରକୁ ସୁହାଇଲା ଭଳି ଦର ଧାର୍ଯ୍ୟ କରାଯାଇଛି। ସାମସଙ୍ଗ୍‌ ଗାଲାକ୍ସି ଏ୧୦ଏସ୍‌ ମଡେଲ୍‌ ମୋବାଇଲ ଅନ୍‌ଲାଇନ୍‌ରେ ୮୯୦୦ ଟଙ୍କାରେ ଉପଲବ୍ଧ ହେଉଥିବାବେଳେ ଏହାକୁ ୧୦ ହଜାର ୯୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଆଶାକର୍ମୀଙ୍କ ପାଇଁ ଭାରତ ସରକାର ଧାର୍ଯ୍ୟ କରିଥିବା ବୈଷୟିକ କ୍ଷମତା ଠାରୁ ଅଧିକ କ୍ଷମତା ସମ୍ପନ୍ନ ମୋବାଇଲ ଦେବାରେ ଯଥାର୍ଥତା କଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଓଡ଼ିଶାରେ ଏହି ମୋବାଇଲ ୟୁନିଟ୍‌ ମିଳୁଥିବାବେଳେ ୨୦୧୭ ମସିହାରୁ ରାଜ୍ୟ ସରକାର ହରିୟାଣାର ନିର୍ଦ୍ଦିଷ୍ଟ ଡିଲରଠାରୁ ଇଲେକ୍ଟ୍ରୋନିକ୍‌ସ୍‌ ସାମଗ୍ରୀ କିଣି ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି।

ଶ୍ରୀ ଦାସ ଆହୁରି କହିଥିଲେ, ଯେତେବେଳେ ସରକାର ନିଜେ କମ୍ପାନିମାନଙ୍କଠାରୁ ସିଧାସଳଖ ଟେଣ୍ଡର ଜରିଆରେ ସାମଗ୍ରୀ କିଣିବା ପାଇଁ ଆହ୍ବାନ କରିଥାନ୍ତି, ସେତେବେଳେ ଏହାର ମୂଲ୍ୟ ବଜାର ମୂଲ୍ୟଠାରୁ ଯଥେଷ୍ଟ କମ୍‌ ହୋଇଥାଏ। ହରିୟାଣା ଡିଲରଠାରୁ କିଣାଯିବା ଦ୍ବାରା ସରକାରୀ ରାଜକୋଷରୁ ଆନୁମାନିକ ୪ କୋଟି ଟଙ୍କା କ୍ଷତି ହେଉଛି। ଏହାର ବିଧିବଦ୍ଧ ତଦନ୍ତ କରି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଦାସ ଦାବି କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଅଭିଯୋଗ କରିଥିଲେ, ଦୀର୍ଘ ୧୫୦ ବର୍ଷରୁ ଉର୍ଦ୍ଧ୍ବକାଳ ଭାରତୀୟ ଜନସେବାରେ ନିୟୋଜିତ ରେଳବାଇ ବ୍ୟବସ୍ଥାକୁ ଏବେ ଭାରତ ସରକାର ଘରୋଇ ସଂସ୍ଥା ହାତକୁ ଟେକିଦେବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦୦ଟି ଯାତ୍ରୀବାହି ଟ୍ରେନ୍‌କୁ ଘରୋଇ ସଂସ୍ଥାକୁ ଟେକି ଦେବାର ନିଷ୍ପତ୍ତି ମୋଦୀ ସରକାର ନେଇଛନ୍ତି। ଆସ୍ତେ ଆସ୍ତେ ସମ୍ପୂର୍ଣ୍ଣ ରେଳବାଇକୁ ଘରୋଇକରଣ କରିବାର ଯୋଜନା କରାଯାଇଛି। ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରୁଛି। ମୋଦୀ ସରକାରଙ୍କ ଗତ ୬ ବର୍ଷ ଭିତରେ ରେଳବାଇ କ୍ଷେତ୍ରରେ ବିଦେଶୀ ପ୍ରଭାବ ୧୪ ଗୁଣ ବୃଦ୍ଧି ପାଇଛି। ବିଦେଶୀ ରାଷ୍ଟ୍ର ଭିତରେ ଚୀନ୍‌ ଓ ଜାପାନ୍‌ ମୁଖ୍ୟ ଦେଶ ରହିଛି। ଏବେ ଚୀନ୍‌ ସହିତ ମତଭେଦ ହେବାରୁ ଅନେକ କଥା ସାମନାକୁ ଆସିଲାଣି। ରେଳବାଇକୁ ଘରୋଇକରଣ ନ କରି ସମସ୍ତ ଉତ୍ପାଦନ ସ୍ଥାନୀୟ ଭିତ୍ତିରେ କରିବାକୁ ଶ୍ରୀ କାନୁନଗୋ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର