ମଥୁରାନଗରୀରେ ଆଜିଠୁ କଂସରାଜ୍‌

ବରଗଡ଼: ସୋମବାର ୧୫ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ପାଲଟିଯିବ ମଥୁରାନଗରୀ। ଚାଲିବ କଂସ ରାଜୁତି। କଂସଙ୍କ ଅଟ୍ଟହାସ୍ୟ ଓ ଇଙ୍ଗିତରେ ଥରହର ହେବ ମଥୁରାନଗରୀ। ସେଥିପାଇଁ ପ୍ରସ୍ତୁତ ହୋଇଗଲାଣି ରାଜଦରବାର। ମହାରାଜ କଂସଙ୍କ ପାଇଁ ରାଜମୁକୁଟ ବି ପ୍ରସ୍ତୁତ ହୋଇସାରିଛି। ଏଥିସହ ମହାରାଜଙ୍କ ହସ୍ତୀ ‘ରାଜବାହାଦୁର’ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ୪ଟି ଓଟ, ଗୋଟିଏ ଘୋଡ଼ା, ୫ଟି ଘୋଡ଼ା ଗାଡ଼ି ମହାରାଜଙ୍କ ସେବାରେ ଲାଗିବାକୁ ପ୍ରସ୍ତୁତ ହୋଇ ରହିଛି। ଆସନ୍ତା ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ବରଗଡ଼ ହେବ ମଥୁରାନଗରୀ ଓ ଅମ୍ବାପାଲି ହେବ ଗୋପପୁର। ଜୀରାନଦୀ ପାଲଟିଯିବ ଯମୁନା। ସମସ୍ତେ ଫେରିଯିବେ ସେହି ଦ୍ୱାପର ଯୁଗକୁ।

ସୂଚନା ଅନୁସାରେ, ୮ କିମି ପରିଧି ଭିତରେ ୩ଟି ଦରବାର (ରାଜଦରବାର, ରଙ୍ଗମହଲ, ନନ୍ଦ ରାଜାଙ୍କ ଦରବାର) ଓ ୧୦ରୁ ଊର୍ଦ୍ଧ୍ୱ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅଭିନୀତ ହେବ। ବହୁ ଦିନ ଧରି ଯାତ୍ରା ପାଇଁ ଚାଲିଥିବା ମଞ୍ଚ, ତୋରଣ କଳାକାରମାନଙ୍କ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବାକୁ ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା ଯାଇ ହାଟପଦାଠାରେ ଥିବା ରାଜଦରବାର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଧନୁଯାତ୍ରା ରାଜଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ ଓ ଅନ୍ୟମାନେ ଉପସ୍ଥିତଥିଲେ। ଅନ୍ୟପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉଦ୍‌ଘାଟନୀ ଦିବସରେ ଅପରାହ୍ନ ୨ଟାରୁ ଗାନ୍ଧୀଛକଠାରୁ ସାଂସ୍କୃତିକ ଶୋଭାଯାତ୍ରା ସମଲେଶ୍ୱରୀ ମନ୍ଦିରକୁ ଯିବ। ସେଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ହାଟପଦା ରାଜଦରବାରକୁ ପହଞ୍ଚିବ। ଶୋଭାଯାତ୍ରାରେ ୨୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଦଳ, ବିଭିନ୍ନ କଳାକାର, ଧନୁଯାତ୍ରା ସହ ଜଡ଼ିତ ବିଭିନ୍ନ କଳାପ୍ରେମୀ ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଉଦ୍‌ଘାଟନୀ ଦିବସରେ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଓ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା ଯୋଗଦେବେ ବୋଲି କମିଟି ସଦସ୍ୟଙ୍କ ସୂତ୍ରରୁ ସୂଚନା ମିଳିଛି। ଏଥର ମିନି ଷ୍ଟାଡିୟମରେ ସବୁ ବର୍ଷ ଭଳି ବୟନିକା ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା, ଜର୍ଜ ହାଇସ୍କୁଲ ପଡ଼ିଆରେ ମିନାବଜାର, ଅମ୍ବାପାଲି ନଦୀକୂଳ ପଡ଼ିଆରେ ମିନାବଜାର, ମୋଦୀ ପଡ଼ିଆରେ ସର୍କସ୍‌ ସହ ହସ୍ତତନ୍ତ ମେଳା ଲାଗିଛି। ସଂଧ୍ୟା ୭ଟାରେ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ଦିନ ରାମଜୀ ମନ୍ଦିରରେ ଦେବକୀ-ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସର ସିଂହାସନ ଆରୋହଣ ସହ ଆରମ୍ଭ ହେବ କଂସଙ୍କ ରାଜୁତି।

ସମ୍ବନ୍ଧିତ ଖବର