ଶ୍ରମିକ ଧର୍ମଘଟ; ପାରାଦୀପ ବନ୍ଦର ଅଚଳ

ଜଗତସିଂହପୁର : ବେତନ ପ୍ରଦାନରେ ଅନିୟମିତତା ଅଭିଯୋଗକୁ ନେଇ ପାରାଦୀପ ବନ୍ଦରରେ ପୁଣି ଶ୍ରମିକ ଅଶାନ୍ତି ଦେଖା ଦେଇଛି। ଷ୍ଟିଭେଡର୍ସ ଅଧୀନରେ କାର୍ଯ୍ୟରତ ଭାରୀଯାନର ଶ୍ରମିକ, କର୍ମଚାରୀ, ଅପରେଟର୍‌, ହେଲପର୍‌ ଓ ସୁପରଭାଇଜରମାନେ ଆଜି ଆନ୍ଦୋଳନକୁ ଓହ୍ଲାଇବାରୁ ବନ୍ଦରର ପଣ୍ୟ କାରବାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଗତକାଲି ଓଏସ୍‌ଏଲ୍‌ କମ୍ପାନି ଲୋଡର, ଅପରେଟର ଓ ହେଲପର୍‌ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜି ସେମାନଙ୍କ ସହିତ ସମସ୍ତ କମ୍ପାନିର କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଗୋଟିଏ ଦିନରେ ପାଖାପାଖି ୩ ନିୟୁତ ଟନ୍‌ ପଣ୍ୟ କାରବାର ହୋଇ ପାରିନାହିଁ। ଅନ୍ୟପଟେ ଅପେକ୍ଷା କରି ରହିଥିବା ୧୪ଟି ଜାହାଜର କାରବାର ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।

ଆନ୍ଦୋଳନକାରୀ ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୧୦ ବର୍ଷ ହେଲା ସେମାନଙ୍କର ଦରମା ବୃଦ୍ଧି କରାଯାଇ ନାହିଁ। ସମାନ କାମକୁ ସମାନ ଦରମା ପାଇଁ ଦାବି କରାଯାଉଥିଲେ ବି କର୍ତ୍ତୃପକ୍ଷ ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଠିକ୍‌ ସମୟରେ ଦରମା ପ୍ରଦାନ କରାଯାଉ ନାହିଁ କି ଇପିଏଫ୍‌, ଇଏସ୍‌ଆଇ ମିଳୁନାହିଁ। ନିୟମ ମୁତାବକ ନିରାପତ୍ତା ଉପକରଣ ଦିଆଯାଉ ନାହିଁ। ବନ୍ଦର କର୍ତ୍ତୃପକ୍ଷ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁଚରଣ ମିଶ୍ର ଓ ଆଇଆଇସି ଶୁଭ୍ରାଂଶୁ ନାୟକ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର