ଲକ୍ଷ୍ମୀଦତ୍ତ ହତ୍ୟା ଘଟଣା : ଗୋଲକଙ୍କ ଗିରଫ ଦାବିରେ ପୋଷ୍ଟର

ବ୍ରହ୍ମପୁର :  ବହୁଚର୍ଚ୍ଚିତ ଯୁବ ବିଜେଡି ନେତା ତଥା ଛତ୍ରପୁର ଏନ୍‌ଏସି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ମାମଲାରେ ବରିଷ୍ଠ ବିଜେପି ନେତା ତଥା ଗଂଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ପଚରାଉଚରା କରିଛି। ଏହା ପରେ ଗୋଲକଙ୍କୁ ତୁରନ୍ତ ଗିରଫ ଦାବିରେ ଗଂଜାମ ଜିଲ୍ଲା ବିଜେଡି ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଫେରାଦ୍‌ ହୋଇଥିଲା। ହେଲେ ଗୋଲକଙ୍କୁ ଗିରଫ କରିବା ଦାବିରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ବ୍ରହ୍ମପୁର ସହରରେ ଗୋଲକଙ୍କ ନାମରେ ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର୍‌ ମରାଯାଇଛି। ଗୋଲକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଗଞ୍ଜାମ ଜିଲ୍ଲା ବୁଦ୍ଧିଜୀବୀ ମଞ୍ଚ ନାମକ ଏକ ସଂଗଠନ ଏଥିରେ ଉଲ୍ଲେଖ କରିଛି।

ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ପରେ କେଉଁ ବୁଦ୍ଧିଜୀବୀ ମଞ୍ଚ ହଠାତ୍‌ ଏତେ ସକ୍ରିୟ ହୋଇ ଏମିତି ପୋଷ୍ଟର୍‌ ଲଗାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେହି ପୋଷ୍ଟର୍‌ରେ ଗୋଲକଙ୍କୁ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି କୁହାଯାଇ ତୁରନ୍ତ ତାଙ୍କୁ ଗିରଫ କରିବାକୁ ଉଲ୍ଲେଖ କରାଯାଇଛି। ସହରର ବିଜିପୁର, ଗୋସାଇଁନୂଆାଗାଁ, ଗାନ୍ଧୀନଗର, ଖଲ୍ଲିକୋଟ କଲେଜ ସମ୍ମୁଖ ଭଳି ସ୍ଥାନରେ ଏଭଳି ପୋଷ୍ଟର୍‌ ଲଗାଯାଇଛି।

ଏ ସମ୍ପର୍କରେ ବିଜେପି ଜିଲ୍ଲା ସଭାପତି କାହ୍ନ ଚରଣ ପତିଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ। ଗଞ୍ଜାମ ଜିଲ୍ଲାରେ ବୁଦ୍ଧିଜୀବୀ ମଞ୍ଚ ନାଁରେ କୌଣସି ଫୋରମ୍‌ ନାହିଁ। ଏଭଳି ପୋଷ୍ଟର ଲଗାଇ ବିଜେଡି ଶସ୍ତା ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେପଟେ ବିଜେଡି ନେତା ତଥା ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା କହିଛନ୍ତି, ବ୍ରହ୍ମପୁର ହେଉଛି ଦକ୍ଷିଣ ଓଡ଼ିଶାର ଏଜୁକେସନ୍‌ ହବ୍‌।  ଏଠାରେ ବହୁ ଶିକ୍ଷିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ରହିଛନ୍ତି। ଯଦି ବିଜେପି କୌଣସି ବୁଦ୍ଧୀଜୀବୀ ମଞ୍ଚ ନାହିଁ ବୋଲି କହୁଛି ତେବେ ସେମାନେ ବ୍ରହ୍ମପୁରବାସୀଙ୍କୁ ଅଶିକ୍ଷିତ କହିବା ସଙ୍ଗେ ସମାନ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର