ସାମୁଦ୍ରିକ ଝଡ଼ ‘ଜୋଓ୍ୱାଦ’ ପ୍ରଭାବରେ ସ୍ଥଳଭାଗକୁ ମାଡି ଆସିବ ସମୁଦ୍ର ଜଳ, ଜାଣନ୍ତୁ କେଉଁଠି କେତେ କିଲୋମିଟର

ଭୁବନେଶ୍ୱର : ଆସୁଛି ବାତ୍ୟା ଜୋଓ୍ୱାଦ। ଏହାର ପ୍ରଭାବରେ ଅଶାନ୍ତ ହୋଇଉଠିଛି ସମୁଦ୍ର। ଆସନ୍ତାକାଲି ଅମାବାସ୍ୟା ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ସାମୁଦ୍ରିକ ଝଡ଼ ପ୍ରଭାବରେ ସ୍ଥଳ ଭାଗରେ କେତେ ଦୂର ‌ଯାଏଁ ସାମୁଦ୍ରିକ ଜୁଆର ମାଡି ଆସିବ ତାହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ, ଭୁବନେଶ୍ୱର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତୁ ଜାଣିବା ରାଜ୍ୟର କେଉଁସବୁ ସ୍ଥାନରେ ସ୍ଥଳଭାଗର କେତେ ଦୂର ଯାଏ ମାଡି ଆସିବ ସମୁଦ୍ର ଜଳ।

ସାମୁଦ୍ରିକ ଝଡ଼ ଜୋଓ୍ୱାଦ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ଟିକାୟତ ନଗର ନିକଟରେ ସମୁଦ୍ରରେ ଜୁଆର ୦.୩ରୁ ୦.୭ ମିଟର ଉଚ୍ଚତାର ଉଠିବା ସହ ୨.୬୪ କି.ମି ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ମାଡି ଆସିବ। ସେହିପରି ଭଦ୍ରକ ଜିଲ୍ଲାର ମୋହନପୁର ନିକଟରେ ଜୁଆର ୦.୪ରୁ ୦.୬ ମିଟର ଉଚ୍ଚତାର ଉଠିବା ସହ ସ୍ଥଳଭାଗ ଆଡକୁ ୦.୬୪ କିମି ପର୍ଯ୍ୟନ୍ତ ମାଡିଆସିବ। ଜଗତସିଂହପୁର ଜିଲ୍ଲାର ମୁଷାଡ଼ିଆ ନିକଟରେ ୦.୩ରୁ୦.୬ ମିଟର ଉଚ୍ଚତାରେ ସମୁଦ୍ରର ଜଳ ଆସିବା ସହ ୨.୩୭ କି.ମି ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ମାଡି ଆସିବ। ପୁରୀ ଜିଲ୍ଲାର ଛୁରିଆନା ନିକଟରେ ୦.୨ରୁ ୦.୬ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସହ ୧.୦୩ କି.ମି ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ମାଡିଆସିବ ସମୁଦ୍ର ଜଳ। ବାଲେଶ୍ୱର ଜିଲ୍ଲାର ଶ୍ରୀକୋଣ ନିକଟରେ ୦.୨ରୁ ୦୪ ମିଟର ଉଚ୍ଚତାରେ ସମୁଦ୍ର ଜଳ ଉଠିବା ସହ ୦.୭୮ କି.ମି ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ମାଡିଆସିବ। ସେହିପରି ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧ ନିକଟରେ ୦.୨ରୁ ୦.୩ ମିଟର ଉଚ୍ଚତାର ଉଠିବା ସହ ୦.୮୧ କିଲୋମିଟର ଏବଂ ଛତ୍ରପୁରର ପ୍ରୟାଗିଠାରେ ୦.୨ରୁ ୦.୩ ମିଟର ଉଚ୍ଚତାର ଜୁଆର ଉଠିବା ସହ ୦.୭୬ କି.ମି. ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ସମୁଦ୍ରର ଜଳ ମାଡି ଆସିବ ବୋଲି ଜଣାପଡିଛି।

ବାତ୍ୟା ଏବେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତି କରୁଥିବାବେଳେ ଆସନ୍ତା ୫ ତାରିଖରେ ଏହା ଉପକୂଳ ଛୁଇଁପାରେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର