ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ସଂରକ୍ଷଣ ତାଲିକା

ପଛୁଆ ବର୍ଗ ପାଇଁ ୪, ଅଣସଂରକ୍ଷିତ ୧୨

ଭୁବନେଶ୍ୱର : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଚିଠା ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଚାରିଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପଛୁଆ ବର୍ଗ ପାଇଁ ସଂରକ୍ଷିତ ରଖାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି। ଏହା ସହ ୪ଟି ଜିଲ୍ଲା କଟକ, ଜଗତସିଂପହୁର, ଭଦ୍ରକ ଓ ଯାଜପୁରକୁ ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ସେଗୁଡ଼ିକ ହେଲା କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ବାଲେଶ୍ବର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼ ଓ ସୋନପୁର। ଅବଶିଷ୍ଟ ୧୨ଟି ଜିଲ୍ଲାକୁ ଅଣସଂରକ୍ଷିତ ରଖାଯାଇଛି। ମୋଟ୍ ଉପରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ବିଜ୍ଞପ୍ତି ଅନୁଯାୟୀ ଚିଠା ସଂରକ୍ଷଣ ତାଲିକା ଉପରେ ଜନସାଧାରଣ ସେମାନଙ୍କ ଅଭିଯୋଗ/ ପରାମର୍ଶ ଆସନ୍ତା ୨୫ ତାରିଖ ଅପରାହ୍ନ ସୁଦ୍ଧା ଜଣାଇବେ। ଏଥିପାଇଁ ଦିଆଯାଇଥିଲା ଇ-ମେଲ୍ ହେଲା [email protected]/ [email protected]। ଏହା ଉପରେ ଆବଶ୍ୟକ ତର୍ଜମା କରି ଆସନ୍ତା ୨୬ ତାରିଖରେ ସରକାର ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ ଓ ୨୯ ତାରିଖରେ ତାହାକୁ ନିର୍ବାଚନ କମିସନ୍‌ଙ୍କୁ ପ୍ରଦାନ କରିବେ।

ଗତ ୮ ତାରିଖରେ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ପାଇଁ ପ୍ରକାଶ ପାଇଥିବା ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇବା ପ୍ରକ୍ରିୟା ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଜିଲ୍ଲାପାଳମାନେ ୨୧ ତାରିଖ ସୁଦ୍ଧା ଆପତ୍ତି, ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ। ୨୬ ତାରିଖରେ ଜିଲ୍ଲାପାଳମାନେ ସିଧାସଳଖ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ଦେବେ। ସେହିପରି ଜିଲ୍ଲା ପରିଷଦ ସଦସ୍ୟ ପାଇଁ ପ୍ରକାଶ ପାଇଥିବା ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ୧୮ ତାରିଖ ସୁଦ୍ଧା ଜଣାଇପାରିବେ। ଜିଲ୍ଲାପାଳମାନେ ୨୨ ତାରିଖ ସୁଦ୍ଧା ଆପତ୍ତି, ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ। ତାହା ପରେ ଏହି ତାଲିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବେ। ରାଜ୍ୟ ସରକାର ୨୯ ତାରିଖରେ ଏହାକୁ ଅନୁମୋଦନ ଦେବା ସହ ୩୦ ତାରିଖରେ ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ଚୂଡ଼ାନ୍ତ ତାଲିକା ହସ୍ତାନ୍ତର କରିବେ।

ସମ୍ବନ୍ଧିତ ଖବର