୭୬ ବର୍ଷରେ ନବୀନ, କରୋନା ପାଇଁ ପାଳିଲେନି ଜନ୍ମଦିନ

ଭୁବନେଶ୍ୱର : ୭୬ ବର୍ଷରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ। ସେଥିପାଇଁ ନବୀନ ନିବାସକୁ କୌଣସି ନେତା ଶୁଭେଚ୍ଛା ଜଣାଇବା ପାଇଁ ଯାଇ ନ ଥିଲେ। ତେବେ ସୋସିଆଲ୍ ମିଡିଆରେ ନବୀନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଶୁଭେଚ୍ଛ, ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଦଳୀୟ ନେତା ଓ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ସେବା ପାଇଁ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା, ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜନ୍ମଦିନ ପାଳନ କରିବେ ନାହିଁ ବୋଲି ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ ଯେ ଓଡ଼ିଶାବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ। କୋଭିଡ୍ ଯୋଗୁ ଗତ ଦେଢ଼ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ। ତେଣୁ ୧୬ ତାରିଖରେ ନବୀନ ନିବାସ ନ ଆସି କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ରକ୍ତଦାନ ପରି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହେଲେ ତାଙ୍କ ତାଙ୍କ ପାଇଁ ସବୁଠାରୁ ବଡ଼ ଶୁଭେଚ୍ଛା ହେବ ବୋଲି ନବୀନ କହିଥିଲେ। ତାଙ୍କ ଆହ୍ବାନ କ୍ରମେ ବିଜେଡି କର୍ମକର୍ତ୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ନିଜର ପ୍ରିୟ ନେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ‘ଓଡ଼ିଶା- ମୋ ପରିବାର’ ଆନୁକୂଲ୍ୟରେ ହୋଇଥିବା ଏହି ରକ୍ତଦାନ ଶିବିରଗୁଡ଼ିକରେ ୫ ହଜାରରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର