ଆର୍‌ଏସ୍‌ପି କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲୁଟିନେଲେ ୨୦ ଲକ୍ଷର ସୁନାଗହଣା

ରାଉରକେଲା: ନୂଆଗାଁ ବ୍ଲକ ଅନ୍ତର୍ଗତ ଖୁଣ୍ଟଗାଁରେ ଆଜି ରାତିରେ ସଶସ୍ତ୍ର ଡକାୟତି ହୋଇଛି। ଚାରି ଡକାୟତ ମାରଣାସ୍ତ୍ର ଦେଖାଇ ଅବସରପ୍ରାପ୍ତ ଆର୍‌ଏସ୍‌ପି କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘରୁ ୨୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୬୦ହଜାର ଟଙ୍କା ଲୁଟି ଚମ୍ପଟ ମାରିଛନ୍ତି। ଡକାୟତମାନେ ଯିବାବେଳେ ପୂର୍ଣ୍ଣଚନ୍ଦ୍ର ହିରୋହୁଣ୍ଡା ମୋଟରବାଇକ୍‌କୁ ଧରି ପଳାଇଛନ୍ତି। ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁଣ୍ଟଗାଁରୁ ନୂଆଗାଁ ଓ ରାଉରକେଲାକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରି ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିଛି।

ଖବର ଲେଖାହେବା ପର୍ଯ୍ୟନ୍ତ ପୁଲିସ ଡକାୟତମାନଙ୍କ କୌଣସି ସନ୍ଧାନ ପାଇପାରିନି। ଖୁଣ୍ଟଗାଁରେ କିଛି ମାସ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ବଡ ଡକାୟତକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ଖୁଣ୍ଟଗାଁରେ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ସାହୁ ପରିବାର ସହ ରହନ୍ତି। ଗତ ତିନି ଦିନ ତଳେ ତାଙ୍କ ପୁଅର ବିବାହ ହୋଇଥିଲା। ଆଜି ରାତିରେ ପୂର୍ଣ୍ଣଚନ୍ଦ୍ର, ତାଙ୍କ ଦୁଇ ପୁଅ ସହ ଅନ୍ୟମାନେ ଘରେ ଥିଲେ। ଯାହାର ଖବର ପାଇଥିଲେ ୪ ଡକାୟତ।

ଯୋଜନାବଦ୍ଧ ଭାବେ ରାତି ପ୍ରାୟ ୯ଟାରେ ୪ ଡକାୟତ ହାତରେ ଭୂଜାଲି, ଚାପଡ ଧରି ପୂର୍ଣ୍ଣଚନ୍ଦ୍ରଙ୍କ ଘର ଭିତରକୁ ଜୋରଜବରଦସ୍ତ ପଶିଥିଲେ। ମାର୍କେଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଡକାୟତମାନଙ୍କ ସମ୍ପର୍କରେ କେହି କିଛି ଜାଣିପାରି ନଥିଲେ। ଚାରି ଡକାୟତଙ୍କ ମଧ୍ୟରୁ ଜଣେ ପୂର୍ଣ୍ଣଚନ୍ଦ୍ରଙ୍କ ବଡପୁଅକୁ ଭୂଜାଲି ଦେଖାଇ ଭୟଭିତ କରିବା ସହ ମାଡ଼ ମାରିଥିଲେ। ପରେ ପରିବାର ସମସ୍ତଙ୍କ ସଦସ୍ୟଙ୍କୁ ଗୋଟିଏ ଘରେ ପୁରାଇ ଦେଇ ଚୁପ୍‌ ହୋଇ ବସି ରହିବାକୁ ଧମକ ଦେଇଥିଲେ। ଜୀବନ ଚାଲିଯିବା ଭୟ​ରେ ପରିବାର ସମସ୍ତ ସଦସ୍ୟ ଗୋଟିଏ ରୁମ୍‌ରେ ଚୁପ୍‌ ହୋଇ ବସି ରହିଥିଲେ। ଚାରି ଡକାୟତଙ୍କ ମଧ୍ୟରୁ ଦୁଇଜଣ ପୂର୍ଣ୍ଣଚନ୍ଦ୍ରଙ୍କ ଘରର ଦୁଇଟି ଆଲମିରାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିଲେ।

ଯିବାବେଳେ ଘର ଆଗରେ ଛିଡା ହୋଇଥିବା ପୂର୍ଣ୍ଣଚନ୍ଦ୍ରଙ୍କ ମୋଟରବାଇକ୍‌କୁ ଧରି ଫେରାର ହୋଇଯାଇଥିଲେ। ସୂଚନାଯୋଗ୍ୟ, କିଛି ମାସ ତଳେ ଖୁଣ୍ଟଗାଁରେ ଅନ୍ୟ ଜଣେ ବ୍ୟବସାୟୀ ସଞ୍ଜିବ ସାହୁ ଘରେ ଚୋରମାନେ ପଶି ଲକ୍ଷା ଟଙ୍କାର ସାମଗ୍ରୀ ଚୋରି କରିନେଇଥିଲେ। କେବଳ ଏତିକି ନୁହେଁ ଏହାର କିଛି ମାସ ପୂର୍ବରୁ ଖୁଣ୍ଟଗାଁର ଜଣାଶୁଣା ବ୍ୟବସାୟୀ ମନୋଜ ସାହୁଙ୍କ ଘରୁ ମଧ୍ୟ ସଶସ୍ତ୍ର ଡକାୟତି ହୋଇଥିଲା। ଡକାୟତମାନେ ବନ୍ଧୁକ ଦେଖାଇ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର ହୋଇଥିଲେ। ବାରମ୍ବାର ଖୁଣ୍ଟଗାଁ ବଜାରରେ ଏମିତି ଚୋରି ହେଉଥିଲେ ହେଁ ସ୍ଥାନୀୟ ବିଶ୍ରା ପୁଲିସ ପକ୍ଷରୁ ସେମିତି କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।

ସମ୍ବନ୍ଧିତ ଖବର