ଶ୍ରୀନୃସିଂହନାଥଙ୍କ ମନ୍ଦିରରୁ ୧୫ ଅଷ୍ଟଧାତୁ ମୂର୍ତ୍ତି ଚୋରି

ପୁଲିସ୍‌ ମୁତୟନ ସତ୍ତ୍ବେ ଲୁଟେରା ନେଇଗଲେ, ୨୦ ଦିନରେ ଚୋରି ହେଲାଣି ୨୫ ଅଷ୍ଟଧାତୁ ମୂର୍ତ୍ତି

ପିପିଲି :ପୁରୀ ଜିଲ୍ଲାରେ ମାତିଛନ୍ତି ମୂର୍ତ୍ତି ଚୋର। ମୂର୍ତ୍ତିଚୋରଙ୍କ ଯୋଗୁ ମନ୍ଦିରରୁ ଚଳନ୍ତି ପ୍ରତିମା ଉଭାନ ହୋଇଯାଉଛନ୍ତି। ଆଗରୁ ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଲୁଟେରାମାନେ ମୂଲ୍ୟବାନ ମୂର୍ତ୍ତି ଚୋରି କରିଛନ୍ତି । ସମାନ ଢଙ୍ଗରେ ପିପିଲି ଥାନା ନୂଆଶାସନ ଗାଁ’ର ଆରାଧ୍ୟ ଶ୍ରୀ ନୃସିଂହନାଥ ଦେବଙ୍କ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ୧୫ଟି ବିଭିନ୍ନ ମୂର୍ତ୍ତି ନେଇଯାଇଛନ୍ତି। ଏ ନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୁଇ ଗୋଷ୍ଠୀ ମଧ୍ୟ‌ରେ ଗଣ୍ଡଗୋଳ ପାଇଁ ଗ୍ରାମରେ ଉତ୍ତେଜନା ଲାଗିରହିଥିବାରୁ ମନ୍ଦିର ସାମ୍ନାରେ ଦୁଇଜଣ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ଏହାସତ୍ତ୍ବେ ମନ୍ଦିର ମଧ୍ୟରୁ ମୂର୍ତ୍ତି ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କୁ ଚକିତ କରିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ଦିନ ମନ୍ଦିରର ମୁଖ୍ୟ ସେବକ ଲକ୍ଷ୍ମୀକାନ୍ତ ପଣ୍ତା ଠାକୁରଙ୍କର ପୂଜାସାରି ମନ୍ଦିରରେ ଚାବି ପକାଇ ଘରକୁ ଫେରିଥିଲେ। ଆଜି ସକାଳ ପ୍ରାୟ ୬ଟାରେ ଠାକୁରଙ୍କର ଦୈନନ୍ଦିନ ନୀତି ନିମନ୍ତେ ସେ ମନ୍ଦିରକୁ ଯାଇ ଦେଖନ୍ତି ତ ସମସ୍ତ ଦ୍ବାର ତାଲା ଭଙ୍ଗାଯାଇଛି। ଏ ନେଇ ଶ୍ରୀ ପଣ୍ଡା ଅନ୍ୟ ସେବକ ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ମନ୍ଦିରର ମୁଖ୍ୟ ଠାକୁର ଶ୍ରୀ ନୃସିଂହନାଥଙ୍କର ପ୍ରାୟ ୨୫୦ ଗ୍ରାମର ରୁପା କିରୀଟ ଓ ହାତର ଦୁଇଟି ଖଡ଼ୁ , ମନ୍ଦିରର ଚଳନ୍ତି ପ୍ରତିମା ପ୍ରାଚୀନ ଅଷ୍ଟଧାତୁ ନିର୍ମିତ ପ୍ରାୟ ଦେଢ଼ଫୁଟ ଉଚ୍ଚ ବାସୁଦେବ ମୂର୍ତ୍ତି, ଏକ ଫୁଟ ଉଚ୍ଚ ଚନ୍ଦ୍ରଶେଖର ମୂର୍ତ୍ତି, ହର, ଦୁର୍ଗା, ପାର୍ବତୀ, ଚଣ୍ତି, ଚାମୁଣ୍ତା, ଶେଷଦେବ ଓ ବାସୁଦେବ ଆଦି ବିଭିନ୍ନ ଦେବାଦେବୀଙ୍କ ପ୍ରାୟ ୧୫ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିବା ଦେଖି ଗ୍ରାମବାସୀ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଦତ୍‌ବ୍ୟତୀତ ଦୁର୍ବୃତ୍ତମାନେ ହୁଣ୍ତିଭାଙ୍ଗି ଟଙ୍କା ଲୁଟି ଥିବା ମଧ୍ୟ ଅଭିଯୋଗ ହୋଇଛି। ମନ୍ଦିରର ମୁଖ୍ୟ ଠାକୁର ଅଷ୍ଟଧାତୁ ନିର୍ମିତ ପ୍ରଭୁ ଶ୍ରୀ ନୃସିଂହନାଥଙ୍କ ମୂର୍ତ୍ତିର ଓଜନ ପ୍ରାୟ ୧୫/୧୬କେଜି ହୋଇଥିବାରୁ ଦୁର୍ବୃତ୍ତମାନେ ଏହି ମୂର୍ତ୍ତିକୁ ନେଇ ପାରିନାହାନ୍ତି। ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିଛି। ପିପିଲି ଏସଡିପିଓ ଦେବଦତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ, ଏସ୍‌ଆଇ ସନ୍ଦୀପ ଦାସ, ଏଏସ୍‌ଆଇ ପ୍ରକାଶ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ମନ୍ଦିରର ବରିଷ୍ଠ ପୂଜକ ପ୍ରହଲ୍ଲାଦ ପଣ୍ତାଙ୍କ ସୂଚନା ମୁତାବକ ରାଜା ଲାଙ୍ଗୁଳା ନରସିଂହ ଦେବ ୧୧୧୩ ଖ୍ରୀଷ୍ଟାବ୍ଦରେ ଏହି ପ୍ରାଚୀନ ମନ୍ଦିରକୁ ନିର୍ମାଣ କରିଥିଲେ।

ଏହି ଘଟଣା ପୂର୍ବରୁ ସ୍ଥାନୀୟ ରାଜତଇ ସିଦ୍ଧେଶ୍ବର ଦେବଙ୍କ ମନ୍ଦିରରୁ ଦୁର୍ବୃତ୍ତମାନେ ଗତ ମାସ ୧୨ ତାରିଖ ବିଳମ୍ବିତ ରାତିରେ ୧୦ଟି ବିଭିନ୍ନ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ନେଇଯାଇଥିଲେ। ଏହା ଥିଲା ଜିଲ୍ଲାର ପ୍ରଥମ ବଡ଼ଧରଣର ମୂର୍ତ୍ତି ଚୋରି ଘଟଣା। ଅଦ୍ୟାବଧି ସେହି ଚୋରିର ସୁରାକ ପୁଲିସ ପାଇନଥିବା ବେଳେ ପୁଣି ଅଞ୍ଚଳରେ ଏକ ବଡ଼ଧରଣର ମୂର୍ତ୍ତି ଚୋରି ହେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଶୀତଳଷଷ୍ଠୀ ବା ଦେବବିବାହ ନିମନ୍ତେ ମନ୍ଦିର ମଧ୍ୟରେ ପୂଜା ପାଉଥିବା ଚନ୍ଦ୍ରଶେଖର ଓ ପାର୍ବତୀଙ୍କର ଆଜି ମଙ୍ଗଳକୃତ୍ୟ ଓ ଆସନ୍ତାକାଲି ଶନିବାର ମହା ଆଡ଼ମ୍ବରରେ ବିବାହ କାର୍ଯ୍ୟ ଦେବନୀତି ଅନୁସାରେ ସମ୍ପନ୍ନ ହୋଇଥାନ୍ତା। ଏହି ମୂର୍ତ୍ତି ଚୋରି ହୋଇଯିବାରୁ ଦେବ ବିବାହ ନୀତିଚଳିତ ବର୍ଷ ବନ୍ଦ ହୋଇଗଲା ବୋଲି ମନ୍ଦିରର ପୂଜକମାନେ କହିଛନ୍ତି। ଏହି ଅଭାବନୀୟ ଘଟଣା ସ୍ଥାନୀୟ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧିତ ଖବର