ଯାଜପୁର: ଜଣେ ମୁସ୍ଲମାନ ପୁଅ ଓ ହିନ୍ଦୁ ଝିଅଙ୍କ ପ୍ରେମ କାହାଣୀ ଏବେ ସୋସିଆଲ୍ ମିଡିଆ ଫେସବୁକରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟିରେ ଉଭୟ ପ୍ରେମିକ-ପ୍ରେମିକା ପରସ୍ପରକୁ ଭଲପାଉଥିବା କଥା ପ୍ରକାଶ କରିଛନ୍ତି। ସେମାନେ ପରସ୍ପରଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଥିବା ବେଳେ ବାଧକ ସାଜିଛନ୍ତି ଉଭୟଙ୍କ ପରିବାର ବର୍ଗ। ଏପରିକି ଝିଅଟି ନିଜ ଇଚ୍ଛାରେ ଘରଛାଡ଼ି ଯାଇଥିବା ସତ୍ତ୍ୱେ ଝିଅର ପରିବାର ଲୋକ ପୁଅ ବିରୋଧରେ ମିଛ ଅପହରଣ ମାମଲା ରୁଜୁ କରି ସେମାନଙ୍କୁ ଅଲଗା କରିବାକୁ ଚାହାନ୍ତି ବୋଲି ଭିଡିଓରେ ଝିଅ ଜଣକ ନିଜେ କହୁଥିବାର ଶୁଣିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଉଭୟଙ୍କ ଘର ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ।
Sambad is now on WhatsApp
Join and get latest news updates delivered to you via WhatsApp
ଫେସବୁକରେ ଜିତ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ ହୋଇଛି। ଭିଡିଓରେ ଦିଶୁଥିବା ଯୁବକ ଜଣକ ନିଜ ନାମ ଏସ୍କେ ହସନ ବୋଲି କହୁଛନ୍ତି। ତାଙ୍କ ପାଖରେ ବସିଥିବା ଯୁବତୀ ଜଣଙ୍କୁ ସେ ନିଜ ପତ୍ନୀର ପରିଚୟ ଦେଉଛନ୍ତି। ସେମାନେ ପରସ୍ପକୁ ବିବାହ କରିଛନ୍ତି ଓ ପରିବାର ଲୋକ ସମର୍ଥନ ନ କରିବାରୁ ସେମାନେ ସୋସିଆଲ୍ ମିଡିଆ ଜରିଆରେ ନ୍ୟାୟ ଚାହୁଁଛନ୍ତି ବୋଲି କହୁଛନ୍ତି। ଏହି ଭିଡିଓ ପୋଷ୍ଟ କରିଥିବା ବ୍ୟବହାରକାରୀ ଏହି ଘଟଣାକୁ ‘ଲଭ ଜିହାଦ’ର ଅାଖ୍ୟା ଦେଇଛନ୍ତି। ତେବେ ଯୁବକ-ଯୁବତୀ ନିଜର ସତ ପରିଚୟ ଦେଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ସୋସିଆଲ୍ ମିଡିଆରେ ଏପରି ଘଟଣା ପ୍ରଥମ ଥର ଘଟିନାହିଁ। ପୂର୍ବରୁ ବି ସୋସିଆଲ୍ ମିଡଆରେ ବହୁ ଘଟଣା ଓ ଦୁର୍ଘଟଣାର ଭିଡିଓ ସେୟାର ହୋଇଛି ଏବଂ ତାହାର ସମାଧାନ ବି ହୋଇଛି। ଏହି ପ୍ରେମୀଯୁଗଳ ଅନ୍ୟ କୌଣସି ରାସ୍ତା ନ ପାଇ ଶେଷରେ ଫେସ୍ବୁକ୍ରେ ଭିଡିଓ ସେୟାର୍ କରି ନ୍ୟାୟ ଚାହିଁଥିବାର ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳିଛି।