ଶାରଳା ମନ୍ଦିର ଭିତିରି କଥା-୧ : ସଙ୍କଟରେ ମା ଶାରଳାଙ୍କ ମନ୍ଦିର, ସରୁଛି ସଞ୍ଚିତ ଅର୍ଥ – କେମିତି ହେବ ନୀତି କାନ୍ତି?

ଆଦାୟ ହୋଇନି ବକେୟା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, କେବେ ଖୋଲିବ ମନ୍ଦିର, ସେବାୟତଙ୍କ ପରିବାର ଚିନ୍ତାରେ

ଜଗତସିଂହପୁର ଟାଉନ୍ : ଛଅ ମାସ ହେବ ମନ୍ଦିର ବନ୍ଦ । ଦର୍ଶନରୁ ବଂଚିତ ଲକ୍ଷାଧିକ ଶ୍ରଦ୍ଧାଳୁ । ମନ୍ଦିର ପରିସର ଦୋକାନ ବଜାର ବି ବନ୍ଦ । ସେବାୟତଙ୍କ ଠାରୁ ଆରମ୍ଭ କରି ଝାଡୁଦାର ପର୍ଯ୍ୟନ୍ତ ସମସ୍ତେ ଦୁଃଖରେ ଅଛନ୍ତି । ଅନ୍ୟପଟେ ଧୀରେ ଧୀରେ ମା ଶାରଳାଙ୍କ ମନ୍ଦିରର ସଙ୍କଟ ବଢ଼ି ଚାଲିଛି । ଆୟ ନାହିଁ, ହେଲେ ବ୍ୟୟ ଲଗାମ ଛଡ଼ା । ବ୍ୟାଙ୍କରେ ଜମା ଅର୍ଥ ବି ସରିବାକୁ ବସିଲାଣି । ମନ୍ଦିରର ପାଂଚ ଶହ ଏକରରୁ ଅଧିକ ଜମି ଥାଇ ବି  ତାହା ଜବର ଦଖଲରେ । ଜମି ବାବଦକୁ ମନ୍ଦିର ଅମାରକୁ ଟଙ୍କା ଆସୁନାହିଁ । ଆଗକୁ କେମିତି ମା ଶାରଳାଙ୍କ ମନ୍ଦିରର ନୀତିକାନ୍ତି ହେବ ତାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।

ମା ଶାରଳାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ନେଇ ଆୟ ହୋଇଥାଏ । ମୁଖ୍ୟତଃ ମନ୍ଦିର ଭିତରେ ଭୋଗ ଓ ଦୀପ ଦୋକାନରୁ କୋଟିଏରୁ ଅଧିକ ଟଙ୍କା ଆୟ ହୋଇଥାଏ । ଗାଡ଼ି ପାର୍କିଂରୁ ପ୍ରାୟ ୩୦ ଲକ୍ଷ, ଶ୍ରଦ୍ଧାଳୁଙ୍କ ଦାନ ଧର୍ମ ବାବଦକୁ ୨୫ରୁ ୩୦ ଲକ୍ଷ, ଜମି ବାବଦକୁ ପ୍ରାୟ ୨୦ ଲକ୍ଷ, ହୁଣ୍ଡି ଓ ଦୋକାନ ବଜାରରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଆୟ ହୋଇଥାଏ । ମୋଟ ଆୟକୁ ଦେଖିଲେ ବର୍ଷକୁ ପ୍ରାୟ ଅଢ଼େଇ କୋଟି ଟଙ୍କା ଆୟ ହୋଇଥାଏ । ହେଲେ ପ୍ରତି ବର୍ଷ ମା’ଙ୍କ ଆଶ୍ୱିନୀ ପାର୍ବଣ, ଚୈତ୍ର ପାର୍ବଣ, ଚନ୍ଦନ ଯାତ୍ରା, ତିନୋଟି ମୁଖ୍ୟ ପୂଜା ଖର୍ଚ୍ଚ, ୫ ଥର ଭୋଜିରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ଏଥିସହ ବାର୍ଷିକ ପୂଜା ପାର୍ବଣ, ଦୌନିକ ରିତି ନୀତିରେ ଏସବୁ ଅର୍ଥ ଖର୍ଚ୍ଚ ହୋଇଯାଏ । ଆୟ ଯେତିକି ବ୍ୟୟ ମଧ୍ୟ ସେତିକି ବୋଲି ମନ୍ଦିର ପ୍ରଶାସନ ଦର୍ଶାଇଥାଏ । ପ୍ରତି ବର୍ଷ ଯଦି ଅତି ବେଶିରେ ୫ ଦଶ ଲକ୍ଷ ଟଙ୍କା ବଳେ ତାହା ଖୁବ୍ ବେଶୀ । ଏମିତି ଦୀର୍ଘ ୩୦ ବର୍ଷ ଧରି ଚାଲି ଆସିଛି । ମନ୍ଦିରରେ ସ୍ଥାୟୀ ପ୍ରଶାସକ ରହୁ ନଥିବାରୁ ମାଙ୍କ ଅର୍ଥ ବାଟମାରଣା ହେଉଛି ବୋଲି ବାରମ୍ବାର ଅଭିଯୋଗ ହେବା ପରେ ଏବେ ବର୍ଷେ ହେବ ସ୍ଥାୟୀ ନିର୍ବାହୀ ଅଧିକାରୀ ଦେବତ୍ୱର ବିଭାଗ ଦ୍ୱାରା ନିଯୁକ୍ତ କରାଯାଇଛି ।

ଏବେ ମାର୍ଚ୍ଚ ମାସରୁ ଯାତ୍ରୀ ଆସିବା ବନ୍ଦ ହୋଇ ଯାଇଛି । ମନ୍ଦିରକୁ ଆସୁଥିବା ସିଂହ ଭାଗ ଆୟ ମଧ୍ୟ ବନ୍ଦ ହୋଇଛି । ୨୦୨୦ ଆର୍ଥିକ ବର୍ଷ ପାଇଁ ଭୋଗ ଦୋକାନ ୮୧ ଲକ୍ଷ ଏବଂ ଦୀପ ଦୋକାନକୁ ୭୬ ଲକ୍ଷ ୭୫୦ ଟଙ୍କାର ନିଲାମ ହୋଇଥିଲା । ଦୀପ ଦୋକାନ ବାବଦକୁ ୨୨ ଲକ୍ଷ ୭୫ ୬୬୫ ଟଙ୍କା ଡିପୋଜିଟ୍ ସହ ଅମାନତ ୫୦ ହଜାର ଟଙ୍କା ଦେଇଥିଲେ ତ୍ରିଲୋଚନ ରାଉଳ । ସେହିପରି ଭୋଗ ଦୋକାନ ସୁଶାନ୍ତ କୁମାର ପଣ୍ଡା ୨୪ ଲକ୍ଷ ଟଙ୍କା ସହ ୫୦ ହଜାର ଟଙ୍କା ଅମାନତ ଡିପୋଜିଟ୍ କରିଥିଲେ । କିନ୍ତୁ କରୋନା ଯୋଗୁଁ ଏମାନେ ଆଦୌ ଦୋକାନ ଖୋଲି ନ ପାରିବାରୁ ତାଙ୍କୁ ଜମା ଅର୍ଥ ଫେରସ୍ତ କରାଯାଇ ଚଳିତ ବର୍ଷ ପାଇଁ ନିଲାମ ରଦ୍ଦ କରାଯାଇଛି । ଯାତ୍ରୀ ଆସୁ ନଥିବାରୁ ହୁଣ୍ଡି ମଧ୍ୟ ଫାଙ୍କା ପଡ଼ିଛି । ୨୦୧୯ ମସିହାରେ ଭୋଗ ଦୋକାନ ୭୨ ଲକ୍ଷ ଏବଂ ଦୀପ ଦୋକାନ ୬୦ ଲକ୍ଷ ଟଙ୍କାର ନିଲାମ ଦିଆଯାଇଥିଲା । ହେଲେ ଏଥିରେ ଦୁଇ ଦୋକାନ ନିଲାମ ଧାରୀଙ୍କ ଉପରେ ଲକ୍ଷରୁ ଅଧିକ ଟଙ୍କା ବାକି ରହିଛି । କିନ୍ତୁ ତାକୁ ଆଦାୟ କରିବାକୁ ପ୍ରଶାସନର ତତ୍ପରତା ନାହିଁ । ମାଙ୍କ ନୀତି କରାଯାଉଛି । ହେଲେ ଆୟ ନଥିବାରୁ ସଚିଂତ ଅର୍ଥକୁ ଖର୍ଚ୍ଚ କରାଯାଉଛି । ବିଶେଷ ସୂତ୍ରରୁ ସୂଚନା ଅନୁସାରେ ୩ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟାଙ୍କରେ ଜମା ରହିଛି । ତେଣୁ ବର୍ତ୍ତମାନ ସମୟରେ ମନ୍ଦିର ଉକ୍ତ ଅର୍ଥକୁ ଖର୍ଚ୍ଚ କରିବାକୁ ବସିଛି ।

ମତାମତ

ମନ୍ଦିର ଖୋଲିବା ନଖୋଲିବା ସରକାର ନିଷ୍ପତ୍ତିି  ନେବେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମୁଁ ଅନୁପାଳନ କରୁଛି ମାତ୍ର । କରୋନା ସମୟରେ ମାଙ୍କ ସମସ୍ତ ପୂଜା ଓ ବର୍ତ୍ତମାନ ଚାଲିଥିବା ପାର୍ବଣକୁ ସରକାରୀ ଗାଇଡ୍ ଅନୁସାରେ କରାଯାଉଛି । ଏହାସହ ଗତ ବର୍ଷ ପାର୍ବଣରେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଏଥର ୧୫ ଲକ୍ଷର ବଜେଟ୍ କରାଯାଇଛି । ଆଗକୁ ଆର୍ଥିକ ସଙ୍କଟ ଦେଖା ଦେବ । ତେଣୁ ଏନେଇ ମୁଁ ଫାଇଲ୍ ପ୍ରସ୍ତୁତ କରି ଏଣ୍ଡାମେଣ୍ଟ କମିସନର ଓ ଜିଲ୍ଳାପାଳଙ୍କୁ ଜଣାଇବି । ବକେୟା ଟଙ୍କା ଆଦାୟ ପାଇଁ ମଧ୍ୟ ପ୍ରୟାସ କରାଯିବ ବୋଲି ଶ୍ରୀ ପରିଜା କହିଛନ୍ତି ।
ସୌର୍ଯ୍ୟ ରଂଜନ ପରିଜା, ନିର୍ବାହୀ ଅଧିକାରୀ, ମା ଶାରଳା ମନ୍ଦିର

ମନ୍ଦିରର ସ୍ଥାୟୀ ଆୟ ଉପରେ ନିର୍ଭର କରାଯାଉଥିବା ଭୋଗ ଓ ଦୀପ ଦୋକାନକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ । ଜମି ବାଡ଼ି, ଓ ହାଟ ବଜାର ଆୟ ଆସୁନାହିଁ । ଯାତ୍ରୀମାନେ ଗୋରୁ, ଗାଇ, ଛେଳି ମେଣ୍ଡା, ଘିଅ, ଘଣ୍ଟ , ସୁନା ରୂପା, ଆଳି ଅଳଙ୍କାର, ବାସନ କୁସନ ଘଣ୍ଟି ଘଣ୍ଟା ଭକ୍ତମାନେ ଦିଅନ୍ତି । ଅଧିକାଂଶ ଏହି ଦାନ ଅର୍ଥ ମନ୍ଦିର ଖାତାରେ ରହେ ନାହିଁ। ତା ବାଟମାରଣା ହୁଏ । ମନ୍ଦିର ଅଫିସରେ ନାମକୁ ମାତ୍ର କର୍ମଚାରୀ ବସିଛନ୍ତି । ତେଣୁ ମନ୍ଦିର ପକ୍ଷରୁ ଏକ ନିଦ୍ଧିଷ୍ଟ ଦାନ ଘର କରାଯାଇ ପ୍ରତି ଦାନର ଆୟକୁ ସାର୍ବଜନୀନ କରାଯାଉ । ଦାନଧାରୀଙ୍କୁ ରସିଦ୍ ଦିଆଯାଉ । ଚାଷ ଓ ବାସର ଆୟକୁ ଗୁରୁତ୍ୱ ଦିଆଯାଉ। ବିସ୍ଥାପିତ ମାନଙ୍କୁ ଥଇଥାନ କରି ଅର୍ଥ ଆଦାୟ କରାଯାଉ । ଦୁଇ ଓ ତିନି ଚକିଆ ଗାଡିକୁ ଛାଡ଼ି ପାର୍କି ଫି ନିଆଯାଉ । ଜଗନ୍ନାଥଙ୍କ ମନ୍ଦିର ପ୍ରଶାସନ ପୁରୀ ଭଳି ଶାରଳା ମନ୍ଦିର ପକ୍ଷରୁ ବର୍ଷକୁ ଏକ ପୁସ୍ତକ ବାହାର କରାଯାଉ । ଯାହା ଦ୍ୱାରା ମନ୍ଦିରର ପ୍ରଚାର ପ୍ରସାର ହେବ । ଏବଂ ଆର୍ଥିକ ଆୟ ହୋଇ ପାରିବ ।
ରମାକାନ୍ତ ରାଉଳ, ଶାରଳା ସାହିତ୍ୟ ସଂସ୍କୃତି ମହିମା ପ୍ରଚାରକ

କରୋନା ସମୟରେ ଆୟ ଆଦୌ ନାହିଁ । ଗଚ୍ଛିତ ଅର୍ଥରୁ ଖର୍ଚ୍ଚ ହେଉଛି  । ଯାତ୍ରୀଙ୍କ ଆୟ ଓ ଭୂସମ୍ପତ୍ତି ଆୟ ବଢ଼ାଇବା ପାଇଁ ଗୁରୁତ୍ୱ ଦିଆଯାଉ । ମନ୍ଦିର ଅର୍ଥର ଉପଯୁକ୍ତ ବିନିଯୋଗ କରାଯାଉ । ମନ୍ଦିରରେ ଅବାଞ୍ଛିତ ଖର୍ଚ୍ଚ ଉପରେ ରୋକ୍ ଲଗାଯାଉ । ନୀତି ଗତିରେ ମଧ୍ୟ କିଛି ଖର୍ଚ୍ଚ ରହିଛି ତାହା ଅବାଞ୍ଛିତ । ବର୍ତ୍ତମାନ ଜିଲ୍ଲାପାଳ ଓ ଦେବତ୍ତୋର କମିସନରଙ୍କ ପ୍ରତ୍ୟେକ୍ଷ ପରିଚାଳନା ଯୋଗୁଁ ମନ୍ଦିର ବାଟକୁ ଆସିଛି । କିନ୍ତୁ ତାହା ପୂର୍ବରୁ ଗତ ୩୦ ବର୍ଷ ଧରି ଆୟ ବ୍ୟୟର ହିସାବ ନଥିବା ଯୋଗୁଁ ଏଭଳି ଦୂରାବସ୍ଥା ଦେଖା ଦେଇଛି । ପ୍ରତି ବର୍ଷ ଆୟ ଅର୍ଥକୁ ଖର୍ଚ୍ଚ କରିବାକୁ ଯାଇ ଅନେକ ହେର୍ ଫେର୍ କରାଯାଉଛି । ଏଥି ପ୍ରତି ପ୍ରଶାସନ ଓ ଏଣ୍ଡାମେଣ୍ଟ କମିସନର ଦୃଷ୍ଟି ଦେବା ଆବଶ୍ୟକ ।
ରଂଜନ କୁମାର ପଣ୍ଡା, ବଡ଼ ପଣ୍ଡା, ଶାରଳା ମନ୍ଦିର

ସମ୍ବନ୍ଧିତ ଖବର