କୁକୁର କାମୁଡ଼ା ଟିକା ନେଇ ବି ପ୍ରାଣ ହରାଇଲେ ମହାରାଷ୍ଟ୍ର ଯୁବତୀ

ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ରାବିଜ୍‌ ଟିକା ବି ପ୍ରଭାବୀ ନ ହୋଇପାରେ: ବିଶେଷଜ୍ଞ

ଭୁବନେଶ୍ବର: ମହାରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳର ଜଣେ ୨୧ବର୍ଷିୟା ଯୁବତୀଙ୍କୁ କୁକୁର କାମୁଡ଼ିଥିଲା। ରାବିଜ୍ ନ ହେବା ପାଇଁ ଟିକା ମଧ୍ୟ ନେଇଥିଲେ। ହେଲେ ଡୋଜ୍ ଶେଷ ହେବା ପରେ ୩ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ହସ୍ପିଟାଲରେ ତାଙ୍କର ବିଭିନ୍ନ ପରୀକ୍ଷା ହେବା ପରେ ସେ ରାବିଜ୍‌ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ହେଲେ ଏହା କିଭଳି ସମ୍ଭବ ହେଲା ? ତେବେ ଟିକା ନେବା ପରେ ମଧ୍ୟ ଯୁବତୀ ରାବିଜ୍‌ରେ ପ୍ରାଣ ହରାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାବିଜ୍ ହେଲେ ମୃତ୍ୟୁ ସୁନିଶ୍ଚିତ। ବିଶ୍ବରେ ଏହାର କୌଣସି ଚିକିତ୍ସା ବ୍ୟବସ୍ଥା ନାହିଁ। ରାବିଜ୍‌ରେ ଆକ୍ରାନ୍ତ ବା ସାଧାରଣଭାବେ ପାଗଳ କୁକୁର କାମୁଡ଼ିଲେ ଜଣେ ବ୍ୟକ୍ତିଙ୍କ ଶରୀରକୁ ଆରଏବିଭି ଭୂତାଣୁ ପ୍ରବେଶ କରିଥାଏ। ଭୂତାଣୁ ଧୀରେ ଧୀରେ କେନ୍ଦ୍ରୀୟ ସ୍ନାୟୁ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ଫଳରେ ବ୍ୟକ୍ତି ଜଣକ କୋମାକୁ ଚାଲିଯିବା ସହ ମୃତ୍ୟୁ ହୋଇଥାଏ। ତେବେ ଶରୀରକୁ ଦୁର୍ବଳ କରିବା ପୂର୍ବରୁ ଭୂତାଣୁ ଶରୀରରେ ବିକାଶିତ ହେବା ପାଇଁ ବେଶ୍‌ କିଛିଦିନ ନେଇଥାଏ। ତେଣୁ ଏହାକୁ ପ୍ରତିହତ କରିବା ପାଇଁ କୁକୁର କାମୁଡ଼ା ଇଞ୍ଜେକସନ୍‌ ନେବା ଜରୁରୀ।

ଡାକ୍ତର ଲଳିତ ‌ବେହେରାଙ୍କ କହିବା କଥା ରାବିଜ୍ ଭୂତାଣୁ କୌଣସି ବ୍ୟକ୍ତିଙ୍କ ଶରୀରକୁ ସଂପୂର୍ଣ୍ଣ ସଂକ୍ରମିତ କରିବା ଲାଗି ଅତିକମ୍‌ରେ ୩ମାସ ସମୟ ନେଇଥାଏ। କୁକୁର କାମୁଡ଼ା ଇଞ୍ଜେକସନ୍‌(ଏଆରଭି) ନେବା ଦ୍ବାରା ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ମାତ୍ର ଏଥିପାଇଁ ମଧ୍ୟ କିଛି ସପ୍ତାହ ଲାଗେ। ଯଦି କୌଣସି ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ତାହାଲେ ଟିକା ନେଲେ ମଧ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେବା ପୂର୍ବରୁ ବ୍ୟକ୍ତି ଜଣକ ରାବିଜ୍‌ରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏ ଦୃଷ୍ଟିରୁ କୋହ୍ଲାପୁର ଘଟଣା କୌଣସି ପ୍ରକାର ଏକ ବିରଳ ଘଟଣା ନୁହେଁ। ମାତ୍ର ସବୁ କୁକୁର କାମୁଡ଼ିଲେ ଯେ ରାବିଜ୍ ହେବ ତା ନୁହେଁ। ଯେଉଁ କୁକୁରଠାରେ ଏହି ଭୂତାଣୁ ରହିଛି ସେ କୁକୁର କାମୁଡ଼ିଲେ ଏହି ରୋଗ ହୋଇଥାଏ। ବିଶ୍ବରେ ମାତ୍ର ଜଣେ କିମ୍ବା ଦୁଇ ଜଣ ବ୍ୟକ୍ତି ରାବିଜ୍‌ରେ ସଂକ୍ରମିତ ହୋଇ ମଧ୍ୟ ବଞ୍ଚିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ଟିକା ରହିଛି ତାହା ଆସିବା ପୂର୍ବରୁ ଏକପ୍ରକାର ନିର୍ଦ୍ଦେଶାବଳୀ ରହିଥିଲା। କୌଣସି ଲୋକକୁ କୁକୁର କାମୁଡ଼ିଲେ ସଂପୃକ୍ତ ବ୍ୟକ୍ତିଙ୍କୁ କୁକୁର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ କୁହାଯାଉଥିଲା। କାରଣ ରାବିଜ୍‌ରେ ସଂକ୍ରମିତ କୁକୁର ୩-୫ ଦିନ କିମ୍ବା ସ୍ଥଳ ବିଶେଷରେ ୧୦ଦିନ ବଞ୍ଚିଥାଏ। ତେଣୁ ଏହି ସମୟରେ କୁକୁରରେ ମୃତ୍ୟୁ ନ ହେଲେ ସଂପୃକ୍ତ କୁକୁର ରାବିଜ୍‌ରେ ଆକ୍ରାନ୍ତ ନ ଥିବା ଜଣାପଡ଼ୁଥିଲା। ମାତ୍ର ଏବେ ପ୍ରତିଷେଧକ ବ୍ୟବସ୍ଥା ଦୃଷ୍ଟିରୁ ପ୍ରତ୍ୟେକ କୁକୁର କାମୁଡ଼ା ବ୍ୟକ୍ତିଙ୍କୁ ଇଞ୍ଜେକସନ ଦିଆଯାଉଥିବା ଡା.ବେହେରା କହିଛନ୍ତି। ଭୁବନେଶ୍ବରରେ ବୁଲା କୁକୁର ସ୍ଥିତି ଅତ୍ୟନ୍ତ ସଂଗୀନ। ପ୍ରତି ଗଳି କନ୍ଦିରେ ମାଳ ମାଳ ବୁଲା କୁକୁର। ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ୁଛନ୍ତି। ସ୍ଥିତି ଏମିତି ହୋଇଛି ଯେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ଟିକା ନେବା ପାଇଁ ଆକ୍ରାନ୍ତଙ୍କ ଗହଳି ଲାଗୁଛି। ହେଲେ ବୁଲା କୁକୁରଙ୍କ ସ୍ଥିତିରେ କୌଣସି ପ୍ରକାର ସୁଧାର ଆସୁନାହିଁ। ତେବେ ଭୁବନେଶ୍ବର ସହରରେ କେତେ କୁକୁର ଅଛନ୍ତି ବିଏମ୍‌ସି ପାଖରେ ହିସାବ ନାହିଁ। ହେଲେ ଭୁବନେଶ୍ବରକୁ ‘ରାବିଜ୍ ମୁକ୍ତ ସହର’ ଘୋଷଣା ପାଇଁ ବିଏମ୍‌ସି ଯୋଜନା କରିଛି। ଆକଳନ ଅନୁସାରେ, ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୩ ହଜାର କୁକୁର ରହନ୍ତି। ୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ବରରେ ଜନସଂଖ୍ୟା ୮ ଲକ୍ଷ ୪୩ ହଜାର ଥିଲା। ଏବେ ଭୁବନେଶ୍ବର ଲୋକସଂଖ୍ୟା ୧୫ଲକ୍ଷ ଅତିକ୍ରମ କରିଛି। ଏଣୁ ଏହି ହିସାବରେ କୁକୁରଙ୍କ ସଂଖ୍ୟା ୪୫ହଜାର ହୋଇଥିବ ବୋଲି ବିଏମ୍‌ସି ଆକଳନ କରୁଛି। ୨୦୨୫ ଶେଷସୁଦ୍ଧା ସହରର ସମସ୍ତ କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ଯୋଜନା ହୋଇଛି। ମାତ୍ର ଆବଶ୍ୟକ ଭିତ୍ତିଭୂମି, କର୍ମଚାରୀଙ୍କ ଆବଶ୍ୟକତାକୁ ନଜର ପକାଇଲେ ବିଏମ୍‌ସିର ଏହି ଯୋଜନା କେତେଦୂର ସଫଳ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର