ବ୍ୟବସାୟୀଙ୍କ ଘରକୁ ବୋମାମାଡ଼: ଗାଡ଼ି ଭଙ୍ଗାରୁଜା, ପେଟ୍ରୋଲ୍‌ ଢାଳି ଜାଳିଦେଲେ

ନିର୍ବାଚନ ପୂର୍ବରୁ କାମାକ୍ଷାନଗରରେ ଆତଙ୍କ, ସିସିଟିଭିରେ କଏଦ୍‌ ଦୁର୍ବୃତ୍ତଙ୍କ କାରନାମା

କାମାକ୍ଷାନଗର: ସାଧାରଣ ନିର୍ବାଚନ ପୂର୍ବରୁ କାମାକ୍ଷାନଗରରେ ପୁଣି ଅଶାନ୍ତି ସୃଷ୍ଟି କରାଯିବାକୁ ପ୍ରୟାସ ଆରମ୍ଭ ହୋଇଛି। ଅସାମାଜିକ ତତ୍ତ୍ବମାନେ ଅଞ୍ଚଳରେ ଆତଙ୍କରାଜ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କ ଘରର ଗ୍ୟାରେଜ୍‌କୁ ବୋମାମାଡ଼ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖୋଳିଯାଇଛି। ରାଜନୈତିକ କାରଣ କିମ୍ବା ବ୍ୟାବସାୟିକ ଶତ୍ରୁତାକୁ ନେଇ ଏପରି ଆକ୍ରମଣ କରାଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ୍‌ ପଛପାଖରେ ଥିବା ବ୍ୟବସାୟୀଙ୍କ ସରୋଜ ଭୂଷଣ ମହାନ୍ତିଙ୍କ ଘର ଗ୍ୟାରେଜ୍ ଉପରେ ଏହି ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ପେଟ୍ରୋଲ୍‌ ଢାଳି ଗ୍ୟାରେଜ୍‌ରେ ଥିବା ଏକ ପିକ୍‌ଅପ୍‌ ଗାଡ଼ି ଜାଳି ଦେବା ସହ ଏକ ଫର୍ଚୁନର୍‌ ଗାଡ଼ିକୁ ମଧ୍ୟ ଭାଙ୍ଗିରୁଜି ଦେଇଛନ୍ତି। ଦୁର୍ବୃତ୍ତମାନେ ନିର୍ବାଚନ ପୂର୍ବରୁ ବୋମାମାଡ଼ କରି ନିଜର ସ୍ଥିତି ଜାହିର କରିଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଏ ଘଟଣା ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ବୁଧବାର ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଛି। ସେ ସମୟରେ ରାସନ୍ ସାମଗ୍ରୀର ବ୍ୟବସାୟୀ ଶ୍ରୀ ମହାନ୍ତିଙ୍କ ଘରର ସମସ୍ତ ସଦସ୍ୟ ଶୋଇଥିଲେ। ହଠାତ୍ ବୋମା ପଡ଼ିବାର ଶବ୍ଦ ଶୁଣି ସମସ୍ତେ ସଙ୍ଗେ ସଙ୍ଗେ ବାହାରକୁ ଆସିଥିଲେ। ତାଙ୍କ ଘର ସଂଲଗ୍ନ ଗ୍ୟାରେଜ୍‌ ଉପରେ ବୋମାମାଡ଼ ହୋଇଥିବା ଦେଖିଥିଲେ। ଏଥିସହ ତାଙ୍କ ପିକ୍‌ଅପ୍‌ ଗାଡ଼ି ଜଳିଯାଉଥିବା ଓ ଫର୍ଚୁନର୍‌ ଗାଡ଼ି ଭଙ୍ଗାରୁଜା ହୋଇଥିବା ଦେଖି ତୁରନ୍ତ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଏ ସଂପର୍କରେ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ପୁଲିସ ପହଞ୍ଚି ତଦନ୍ତ କରିଛି। ସେଠାରେ ଥିବା ସିସିଟିଭିରୁ ଜଣାପଡ଼ିଛି ଯେ ୨ ରୁ ୩ ଜଣ ଦୁର୍ବୃତ୍ତ ମୁହଁକୁ କପଡ଼ାରେ ଘୋଡ଼ାଇ ଶ୍ରୀ ମହାନ୍ତିଙ୍କ ଘର ପାଚେରି ଡେଇଁ ଭିତରକୁ ଆସିଛନ୍ତି। ଦୁର୍ବୃତ୍ତମାନେ ପିକ୍‌ଅପ୍‌ ଗାଡ଼ି ଉପରକୁ ବୋମାମାଡ଼ କରିବା ସହିତ ପେଟ୍ରୋଲ୍‌ ଢାଳି ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଉକ୍ତ ଗାଡ଼ିରେ ଥିବା ସମସ୍ତ ସାମଗ୍ରୀ ଜଳିଯାଇଛି। ନିକଟରେ ଥିବା ଏକ ଫର୍ଚୁନର୍‌ ଗାଡ଼ିକୁ ମଧ୍ୟ ବୋମାମାଡ଼ କରିବା ସହ ଭଙ୍ଗାରୁଜା କରିଛନ୍ତି। ଏସବୁ କାଣ୍ଡ କରିବା ପରେ ଦୁର୍ବୃତ୍ତମାନେ ତୁରନ୍ତ ସେଠାରୁ ଖସି ପଳାଇ ଯାଇଛନ୍ତି। ତେ‌ବେ କେଉଁ କାରଣରୁ ଦୁର୍ବୃତ୍ତମାନେ ବୋମାମାଡ଼ ସହ ଗାଡ଼ି ଜାଳିଲେ ତାହା ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ କାହା ସହିତ ତାଙ୍କର ଶତ୍ରୁତା ନଥିବା କିମ୍ବା ସେ କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ନୁହନ୍ତି ବୋଲି ବ୍ୟବସାୟୀ ଶ୍ରୀ ମହାନ୍ତି କହିଛନ୍ତି। ବୋମାମାଡ଼ ଘଟଣା ପରେ କାମାକ୍ଷାନଗର ଏସ୍‌ଡିପିଓ ସ୍ନେହାଶିଷ ସାହୁ ଓ ଥାନା ଅଧିକାରୀ ଧୀରେନ କୁମାର ବେହେରା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସିସିଟିଭି ଚିତ୍ର ସହିତ ଅନ୍ୟ ଦିଗକୁ ନଜର ରଖି ତଦନ୍ତ ଚାଲୁଥିବା ଥାନା ଅଧିକାରୀ ଧୀରେନ କୁମାର ବେହେରା କହିଛନ୍ତି। ଖୁବଶୀଘ୍ର ବୋମାମାଡ଼ର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

କିଛିବର୍ଷ ହେଲା ଶାନ୍ତିର ସହର କାମାକ୍ଷାନଗର ସମ୍ପୂର୍ଣ୍ଣ ଭାବରେ ଅଶାନ୍ତ ହୋଇଉଠିଛି। ସହରରେ କଥା କଥାକେ ଗୁଳି, ବୋମା ଫୁଟିବା ଏକ ସାଧାରଣ ଘଟଣା ହୋଇଯାଇଛି। ୨୦୧୮ ପରଠାରୁ ଏଭଳି ଘଟଣା ବାରମ୍ବାର ହେଉଛି। ପୂର୍ବରୁ ରାଜନେତା ଓ ଲଘୁ ଖଣି ବ୍ୟବସାୟୀଙ୍କ ଉପରେ ଆକ୍ରମଣ ହେଇଥିବା ବେଳେ ଏଥର କିନ୍ତୁ ରାସନ୍ ସାମଗ୍ରୀ ବ୍ୟବସାୟୀଙ୍କ ଘର ଉପରେ ବୋମାମାଡ଼ ହୋଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଭଳି ଘଟଣା ଜନସାଧାରଣଙ୍କ ମଧ୍ୟ‌ରେ ଆତଙ୍କ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର