୨୦୧୯ରେ ସାମୁଦ୍ରିକ ପର୍ଯ୍ୟବେକ୍ଷଣାଗାର

ଜମି ବିବାଦ ଯୋଗୁଁ ବିଳମ୍ବ ହେଉଛି ପ୍ରକଳ୍ପ, ସାମିଲ ହେବାକୁ ଦେଶର ବହୁ ପ୍ରମୁଖ ସଂସ୍ଥା ଆଗ୍ରହୀ

ଭୁବନେଶ୍ୱର : ଗଂଜାମ ଜିଲ୍ଲାର ଲଉଡି ଗାଁରେ ପ୍ରତିଷ୍ଠା ହେବ ସାମୁଦ୍ର୍ରିକ ପର୍ଯ୍ୟବେକ୍ଷଣାଗାର। ୨୦୧୫ ଅଗଷ୍ଟରେ ଏନେଇ ଭୁବନେଶ୍ୱର ଆଇଆଇଟି ଏବଂ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟ ମଧ୍ୟରେ ରାଜିନାମା ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରି ନାହିଁ। ରାଜ୍ୟ ସରକାର ଲଉଡ଼ି ଗାଁରେ ୪୦ ଏକର ଜମି ଯୋଗାଇ ଦେଇଥିବା ବେଳେ ତାହାକୁ ନେଇ ବିବାଦ ଦେଖାଦେବାରୁ ପ୍ରକଳ୍ପ ବିଳମ୍ବ ହେଉଥିବା ଆଇଆଇଟି ନିର୍ଦେଶକ ଆର.ଭି. ରାଜାକୁମାର କହିଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ଜାତୀୟ ଗବେଷଣା ପ୍ରତିଷ୍ଠାନ ଏଥିରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ବ୍ରେନ୍‌ ଷ୍ଟର୍ମିଂ ଅଧିବେଶନରେ ଦେଶର ୨୫ଟି ସଂସ୍ଥା ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୮ଟି ସଂସ୍ଥା ସାମିଲ୍‌ ହେବାକୁ ଏବେଠାରୁ ସହମତି ପ୍ରକାଶ କରିଛନ୍ତି।

ଆଇଆଇଟି ନିର୍ଦେଶକ ପ୍ରଫେସର ରାଜାକୁମାର କହିଛନ୍ତି, ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ୧୦ କୋଟି ଟଙ୍କା ମିଳିଛି। ସେଥିରେ ସାମଗ୍ରୀ କିଣା ସରିଛି। ପର୍ଯ୍ୟବେକ୍ଷଣାଗାର ପାଇଁ ସରକାର ଯେଉଁଠି ଜମି ଯୋଗାଇ ଦେଇଛନ୍ତି, ସେଠାରେ ବିବାଦ ରହିଛି। ଜାଗାକୁ ପୁଣିଥରେ ଚିହ୍ନଟ କରିବାକୁ ପଡ଼ୁଛି। ଏଥିପାଇଁ ବିଳମ୍ବ ହେଉଛି। ତଥାପି ୨୦୧୯ ଆରମ୍ଭରୁ ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଏହାଦ୍ୱାରା ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଉତ୍ତର ପଶ୍ଚିମବଙ୍ଗର ଲୋକେ ପାଣିପାଗ ସମ୍ପର୍କରେ ସୂଚନା ପାଇବା କ୍ଷେତ୍ରରେ ଉପକୃତ ହେବେ।

ଆଇଆଇଟି ବିଶେଷଜ୍ଞଙ୍କ ମତରେ ପର୍ଯ୍ୟବେକ୍ଷଣାଗାର ମାଧ୍ୟମରେ ବଙ୍ଗୋପସାଗରର ସମୁଦ୍ର, ଭୂସ୍ଥଳ ଏବଂ ବାୟୁ ପ୍ରଭୃତି ଉପରେ ଗବେଷଣା ହୋଇପାରିବ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶା ଉପରେ କିଭଳି ପଡ଼ିବ, ତାହାର ପୂର୍ବାନୁମାନ କରିହେବ। ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ଲୋକଙ୍କୁ ଆଗୁଆ ସତର୍କ କରାଇ ଦିଆଯାଇପାରିବ। ଦେଶର ପୂର୍ବାଞ୍ଚଳ ତଥା ବଙ୍ଗୋପସାଗର ଉପକୂଳରେ ପ୍ରତିଷ୍ଠା ହେବାରେ ଏହି ପର୍ଯ୍ୟବେକ୍ଷଣାଗାର ପ୍ରଥମ। କେବଳ ଯେ ଦେଶର ବିଭିନ୍ନ ଅନୁଷ୍ଠାନ ଏଥିରେ ସହଯୋଗ କରିବେ, ତାହା ନୁହେଁ; ଅନ୍ତର୍ଜାତୀୟ ସଂସ୍ଥା ଅମେରିକାର ଉଡ୍ସ୍‌ ହୋଲ୍‌ ଓସିଓନୋଗ୍ରାଫିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ନ୍ୟାସନାଲ ଓସିଓନୋଗ୍ରାଫିକ୍‌ ସେଣ୍ଟର ମଧ୍ୟ ଏହାର ସଦସ୍ୟ ରହିବେ। ପର୍ଯ୍ୟବେକ୍ଷଣାଗାରରେ ଗବେଷଣା କରାଯିବା ପରେ ସେଥିରୁ ସଂଗୃହୀତ ତଥ୍ୟ ରଖାଯିବ, ଯାହାକି ପରବର୍ତୀ ସମୟରେ ଜଳବାୟୁ ପୂର୍ବାନୁମାନରେ ସହାୟକ ହେବ।

ସମ୍ବନ୍ଧିତ ଖବର