ମାଟ୍ରିକ୍‌ ପରୀକ୍ଷା: ଭୂତଭୟ ଛାଡ଼ି ସାହସର ସହ ଉତ୍ତର ଲେଖିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ପ୍ରଭାବ ପକାଇ ପାରିଲାନି ଟ୍ରେନ୍ ଦୁର୍ଘଟଣା ଭଳି ପ୍ରତିକୂଳ ପରିସ୍ଥିତି

ବାଲେଶ୍ବର(ରୁଦ୍ରରଂଜନ ଶେଜପଡ଼ା): ‘‘ଆମ ପରୀକ୍ଷାକେନ୍ଦ୍ର ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ଶବ ଚିହ୍ନଟ ଉଦ୍ଦେଶ୍ୟରେ ରଖାଯାଇଥିବା ବାହାନଗା ଉଚ୍ଚବିଦ୍ୟାଳୟରେ ହୋଇଛି। ସେଠାକୁ ଯିବା ପାଇଁ ମୋତେ ତ ଡର ଲାଗୁଛି। ପ୍ରାଣ ହରାଇଥିବା ଲୋକମାନେ ଭୂତ ହୋଇ ଘୂରି ବୁଲୁ ନଥିବେ ତ? ଆମକୁ ଡରାଇବେନି ତ?’’ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବା ଆଗରୁ ନିଜ କାକା ଶ୍ରୀକାନ୍ତ ପରିଡ଼ାଙ୍କୁ ଉକ୍ତ ପ୍ରଶ୍ନ କରିଥିଲେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଆରୁହା ଗ୍ରାମର ଭାଗ୍ୟଶ୍ରୀ ପରିଡ଼ା। ତେବେ ଝିଆରୀଙ୍କ ପ୍ରଶ୍ନ ଶୁଣିବା ପରେ ସେ ତାଙ୍କୁ ବୁଝାଇଥିଲେ। କହିଥିଲେ, ଭୂତପ୍ରେତ କିଛି ନାହିଁ ମାଆ। ଡରଭୟ ଛାଡ଼, ମନ ଲଗାଇ ପରୀକ୍ଷା ଦେ।
ଏମିତି ପରିସ୍ଥିତିକୁ କେବଳ ଭାଗ୍ୟଶ୍ରୀ ନୁହଁନ୍ତି, ବାହାନଗା ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ସାମ୍ନା କରିଥିଲେ। ହେଲେ ଦୁର୍ଘଟଣା, ମୃତ୍ୟୁ, ଶବ; ଏସବୁର ପ୍ରଭାବ ଭାଗ୍ୟଶ୍ରୀଙ୍କ ସହ ଅନ୍ୟ ପରୀକ୍ଷାର୍ଥୀଙ୍କ ଉପରେ ପଡ଼ି ନାହିଁ। ସମସ୍ତେ ସାହସ ଓ ବିଶ୍ବାସର ସହ ପରୀକ୍ଷା ଦେଇଥିବା ଛାତ୍ର ଜୀବନାଦିତ୍ୟ ଗିରି, ସଞ୍ଜୟ ସାହୁ, ଜୀବନ ମଲ୍ଲିକ, ପବିତ୍ର ମହାନ୍ତି ପ୍ରମୁଖ ‘ସମ୍ବାଦ’କୁ କହିଛନ୍ତି।
ଉଲ୍ଲେଖ ଥାଉକି; ଫେବ୍ରୁଆରି ମାସ ୨୦ ତାରିଖରେ ଆରମ୍ଭ ହୋଇଥିବା ମାଟ୍ରିକ୍‌ ପରୀକ୍ଷା ଗତକାଲି ସରିଛି। ଏଥିପାଇଁ ବାଲେଶ୍ବର ଜିଲ୍ଲାରେ ମୋଟ ୧୮୬ଟି କେନ୍ଦ୍ର କରାଯାଇଥିଲା। ଯେଉଁ କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଥିଲା ବାହାନଗା ଉଚ୍ଚବିଦ୍ୟାଳୟ। ଏଠାରେ ଆରୁହା, ପଣପଣା ଓ ଈଶ୍ୱରପୁର ଉଚ୍ଚବିଦ୍ୟାଳୟର ମୋଟ ୧୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଦେଇଥିଲେ ୧୮୧ ଜଣ।
ତେବେ ଏହି ପ୍ରସଙ୍ଗରେ ବାହାନଗା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଯଦୁନାଥ ଶିଅଳଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ରେଳ ଦୁର୍ଘଟଣା ପରେ ଶବ ରଖାଯାଇଥିବା ବିଦ୍ୟାଳୟର କୋଠାକୁ ଭାଙ୍ଗିଦିଆଯାଇଛି। ରାଜ୍ୟ ସରକାର ଏହାକୁ ଆଦର୍ଶ ବିଦ୍ୟାଳୟ ଘୋଷଣା କରିବା ସହ ନୂଆ ଦୁଇମହଲା କୋଠା ନିର୍ମାଣ ପାଇଁ ଅଢ଼େଇ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଯେଉଁ ଅନୁଦାନରେ କୋଠାର ତଳମହଲା କାମ ସରିଯାଇଥିବା ବେଳେ ଉପର ମହଲା କାମ ଚାଲିଛି। ତେବେ ମାଟ୍ରିକ୍‌ ପରୀକ୍ଷା ନୂତନ କୋଠାରେ ନହୋଇ ବିଦ୍ୟାଳୟର ୫ଟି ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ହୋଇଥିଲା। ତେଣୁ ଛାତ୍ରଛାତ୍ରୀମାନେ ମନରେ କୌଣସି ଭୟ ରଖି ନଥିଲେ। ପରୀକ୍ଷାରେ ସେମାନେ କିପରି ଭଲ କରିବେ, ସେନେଇ ସୁପରିନ୍‌ଟେଣ୍ଡେଣ୍ଟ, ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ଓ ଇନ୍‌ଭିଜିଲେଟର ଉପଯୁକ୍ତ ପରାମର୍ଶ ଦେଇଥିଲେ। ଅନ୍ୟପଟେ ଫକୀରମୋହନ ବିଶ୍ବବିଦ୍ୟାଳୟ ମନସ୍ତତ୍ବ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଶଶାଙ୍କ ଶେଖର ଗଡ଼ନାୟକଙ୍କ ମଧ୍ୟ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଆତ୍ମାର କୌଣସି ଆକାର ନାହିଁ। ଭୂତପ୍ରେତ ନାହାନ୍ତି। ଆମେ ସମାଜରେ ଅନେକ ଅନ୍ଧବିଶ୍ବାସକୁ ଧରି ବଞ୍ଚୁଛୁ। ନାନା କାଳ୍ପନିକ ଗପ ଓ କାହାଣୀ ଆମ ଭିତରେ ଭୂତପ୍ରେତର ଭୟ ଜନ୍ମାଉଛି। ଆମେ ଫୋବିଆ (ଅସ୍ବାଭାବିକ ଭୟ) ଏବଂ ଫାସ୍‌ମୋ ଫୋବିକ୍‌ (ଭୂତପ୍ରେତ ସଂପର୍କିତ ଭୟ)ର ଶିକାର ହେଉଛୁ। ଏହାକୁ ସମସ୍ତେ ମନ ଭିତରୁ କାଢ଼ି ଫିଙ୍ଗିଦେବା ଉଚିତ। ବାହାନଗା ହାଇସ୍କୁଲ୍‌ କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ମଧ୍ୟ ଭୂତପ୍ରେତ ଭଳି ଅପ୍ରସଙ୍ଗର ଊର୍ଦ୍ଧ୍ବକୁ ଯାଉ ପରୀକ୍ଷା ଦେଇଛନ୍ତି। ତେଣୁ ଭଲ ଫଳାଫଳ ହେବ ବୋଲି ଆଶା।
ସୂଚନାଯୋଗ୍ୟ; ଗତବର୍ଷ ଜୁନ୍‌ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଘଟିଥିଲା ଦେଶର ଅନ୍ୟତମ ବଡ଼ ଟ୍ରେନ୍‌ ଦୁର୍ଘଟଣା। ସିଗ୍‌ନାଲ୍‌ ତ୍ରୁଟି ଯୋଗୁଁ ଷ୍ଟେସନ୍‌ ବଜାର ନିକଟ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ବାଲେଶ୍ବର ପଟୁ ଆସୁଥିବା ଦ୍ରୁତଗାମୀ କରମଣ୍ଡଳ ଏକ୍ସପ୍ରେସ୍‌ ଧକ୍କା ଦେଇଥିଲା। ସେହି ସମୟରେ ଡାଉନ୍‌ ଲାଇନ୍‌ରେ ଭଦ୍ରକ ପଟୁ ଆସୁଥିବା ଚେନ୍ନାଇ-ହାଓଡ଼ା ଯଶୋବନ୍ତପୁର ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି ସହ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ଧକ୍କା ହୋଇଥିଲା। ଫଳରେ ୨୯୫ ଜଣ ଯାତ୍ରୀଙ୍କର ଜୀବନ ଯାଇଥିବା ବେଳେ ପ୍ରାୟ ୧୧ ଶହ ଯାତ୍ରୀ ଆହତ ଓ ଗୁରୁତର ଆହତ ହୋଇଥିଲେ।
ସମ୍ବନ୍ଧିତ ଖବର