ରେଳବାଇର ରାତିଅଧିଆ କାମକୁ ରଙ୍ଗମାଟିଆ ଗ୍ରାମବାସୀଙ୍କ ବିରୋଧ

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ବର ରେଲୱେ ଷ୍ଟେସନ୍ ରାସ୍ତା ପାଇଁ ଆଜି ରାତିଅଧିଆ କାମ ଚାଲିଥିଲା ବେଳେ ସ୍ଥାନୀୟ ରଙ୍ଗମାଟିଆ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। ରେଲୱେ ଠିକାଦାର ଗ୍ରାମବାସୀଙ୍କ ବିନା ଅନୁମତିରେ ଗ୍ରାମ୍ୟ ରାସ୍ତାକୁ ଖୋଳି ଏକ ଡ୍ରେନ୍ ତିଆରି କରୁଥିଲା ବେଳେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରିଛନ୍ତି। ରଙ୍ଗମାଟିଆ ଗ୍ରାମ୍ୟ କମିଟି ସଭାପତି ଯୋଗେନ୍ଦ୍ର ମହାରଣା, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, ରଙ୍ଗମାଟିଆ ସମନ୍ବୟ କମିଟି ସଭାପତି ଗୋବିନ୍ଦ ବେହେରା ଓ ସମ୍ପାଦକ ଭାସ୍କରଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଶହଶହ ଗ୍ରାମବାସୀ ରେଲୱେ କାମ କରୁଥିବା ସ୍ଥାନରେ ଡୋଜରକୁ ଅଟକାଇ କାମ ବନ୍ଦ କରିଥିଲେ।

ଘଟଣା ଆନୁଯାୟୀ ରଙ୍ଗମାଟିଆ ସ୍କୁଲ ନିକଟରୁ ରେଳ‌ଫାଟକ ପର୍ଯ୍ୟନ୍ତ ଦେଢ଼ଶହ ମିଟର ଏକ ରାସ୍ତାକୁ ମରାମତି କରିବାପାଇଁ ଗତ ୧୭ ବର୍ଷ ହେବ ରେଲୱେ ଅନୁମତି ଦେଉନାହିଁ। ଫଳରେ ପ୍ରତିଦିନ ଶହଶହ ଯାନବାହନ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଷ୍ଟେସନକୁ ଆସୁଥିବା ଯାତ୍ରୀଙ୍କ ସହ ପାଞ୍ଚ ପଞ୍ଚାୟତ ଓ ସ୍ଥାନୀୟ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଏମ୍‌ସି ୱାର୍ଡ -୯ର ଏହି ରାସ୍ତା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରେଲବାଇ ନିଜେ ସେହି ରାସ୍ତାକୁ ମରାମତି କରୁନାହିଁ କିମ୍ବା ବିଏମ୍‌ସିକୁ ଅନୁମତି ଦେଉନାହିଁ। ଫଳରେ ଗତ ୧୭ବର୍ଷ ହେବ ‌ସ୍ଥାନୀୟ ଲୋକ ଏହି ମାଟି ଖାଲଖମା ପାଣି କାଦୁଆ ରାସ୍ତା ଦେଇ ଯାତାୟାତ କରୁଛନ୍ତି।

ଉକ୍ତ ରାସ୍ତା ପାଇଁ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ, କେନ୍ଦ୍ରମନ୍ତ୍ରୀ ‌ଧର୍ମେନ୍ଦ୍ର ପ୍ରଧାନ, ରେଲୱେ ଜିଏମ ଓ ଡିଆରଏମଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରି ଆଲୋଚନା କରିଥିଲେ ମଧ୍ୟ ରେଲୱେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବାରୁ ଅତିଷ୍ଠ ଗ୍ରାମବାସୀ ରେଲୱେ କାମକୁ ବିରୋଧ କରି ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ପ୍ରୟାସ କରିଛନ୍ତି। ଆଜି ରାତିରେ କାର୍ଯ୍ୟ ବନ୍ଦ ହେବା ପରେ ଠିକାଦାର ଖୋଳାଯାଇଥିବା ରାସ୍ତାକୁ ପୁଣି ମାଟିପକାଇ ବନ୍ଦ କରିବା ସହିତ ଉକ୍ତ ସ୍ଥାନରେ ସିମେଣ୍ଟର ଏକ ହମ୍ପ୍‌ସ ତିଆରି କରିଛି। ପ୍ରଥମେ ଗ୍ରାମବାସୀ ଦାବି କରୁଥିବା ରାସ୍ତାକୁ ନିର୍ମାଣ କରି ପରେ ରେଲୱେ ଡ୍ରେନକୁ ବିଏମସି ସହ ମିଶାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର