ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ଅତିରିକ୍ତ ପରିବହନ କମିସନର କହିଲେ- ମିନିବସ୍‌ର ଅବସ୍ଥା ଏତେ ଖରାପ ନଥିଲା, ସରକାରୀ ବସ୍ ହେଭି ଥିଲା

ଆସନ୍ତା ସେପଟେମ୍ବର ଶେଷ ସୁଦ୍ଧା ଯାତ୍ରୀବାହୀ ଗାଡ଼ିରେ ଲାଗୁ ହେବ ଭିଏଲଟିଡି

ଭୁବନେଶ୍ବର/ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ଥ ହୋଇଥିବା ବସ୍‌ର ସ୍ଥିତି ନେଇ ଅତିରିକ୍ତ କମିସନର ଲାଲମୋହନ ସେଠୀ କହିଛନ୍ତି ମିନିବସ୍‌ର ଅବସ୍ଥା ଏତେ ଖରାପ ନଥିଲା। ବସ୍‌ର ପରମିଟ୍ ଥିଲା। କିନ୍ତୁ ସରକାରୀ ବସ୍ ବହୁତ ହେଭି ଥିଲା। ଏକ ଛୋଟ ମିନିବସ୍ ହୋଇଥିବାରୁ ଦୁର୍ଘଟଣା ଅଧିକ ଭୟାନକ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ତେବେ ଏ ନେଇ ଏକ କମିଟି ଗଠନ କରାଯାଇ ଦୁର୍ଘଟଣାର ଯାଞ୍ଚ କରାଯାଉଛି। ଅନ୍ୟପଟେ ରାଜ୍ୟରେ ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ତତ୍ପର ହୋଇଛି। ଖୁବଶୀଘ୍ର ଦୁର୍ଘଟଣା ରୋକିବା ପାଇଁ ସବୁ ଯାତ୍ରୀବାହୀ ଗାଡ଼ିରେ ଲାଗିବ ଭିଏଲଟିଡି। ଭେଇକିଲ ଲୋକେସନ ଟ୍ରାଫିକ ସିଷ୍ଟମ ବ୍ୟବସ୍ଥା (ଭିଏଲଟିଡି) ଆସନ୍ତା ସେପଟେମ୍ବର ଶେଷ ସୁଦ୍ଧା ଲାଗୁ ହେବ। ଏଥିରେ ଗାଡିର ପରମିଟ, ସ୍ପିଡ, ଯାତ୍ରୀ ସଂଖ୍ୟା, ଫିଟନେସ, ଗାଡିର ଲୋକେସନ ଭଳି ସବୁ ତଥ୍ୟ ସିଧାସଳଖ ଭୁବନେଶ୍ବର କଣ୍ଟ୍ରୋଲ ରୁମରେ ଜଣାପଡିବ। ଯାତ୍ରୀବାହୀ ଗାଡି ବ୍ୟତୀତ ଜାତୀୟ ପରମିଟ୍ ଥିବା ମାଲବାହୀ ଗାଡିରେ ମଧ୍ୟ ଭିଏଲଟିଡି ବ୍ୟବସ୍ଥା ରହିବ। ଏଥିରେ ଅଟୋ, ମୋଟର ସାଇକେଲକୁ ବାଦ ଦିଆଯିବ ବୋଲି ପରିବହନ ବିଭାଗ ଅତିରିକ୍ତ କମିସନର ଶ୍ରୀ ସେଠୀ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଓ ୭ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ ଜଣେ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସ୍‌ଆର୍‌ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ବିବାହ ପରେ କନ୍ୟାକୁ ଛାଡ଼ି ବ୍ରହ୍ମପୁରରୁ ଫେରୁଥିବା ଏକ ଘରୋଇ ମିନିବସ୍‌ ସହ ମୁହାଁମୁହିଁ  ଧକ୍କା ହେବାରୁ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର