ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ

ଭୁବନେଶ୍ୱର: ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କର ଆଜି ପରଲୋକ ହୋଇଯାଇଛି | ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ଯାଜପୁରରୁ ଦୁଇଥର ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ | ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେଡି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ | ପରେ ସେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା |

ଯାଜପୁର ବଡଚଣାର ଶାସନସିମାରେ ୧୪ ଜୁଲାଇ ୧୯୫୭ରେ ଜନ୍ମଗ୍ରହଣ କରିଥିଲେ  ମୋହନ ଜେନା। ପ୍ରଥମେ କେନ୍ଦ୍ରାପଡା କଲେଜ ଓ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ଏହି ସମୟରେ ସେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ। ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଜନତା ଦଳ‌ରେ ଯୋଗ ଦେଇ ୧୯୯୨ରୁ ୧୯୯୪ ପର୍ଯ୍ୟନ୍ତ ସେ ଯୁବ ଜନତା ଦଳର ସାଧାରଣ ସମ୍ପାଦକ, ୧୯୯୪-୯୮ ପର୍ଯ୍ୟନ୍ତ ଜନତା ଦଳର ସମ୍ପାଦକ ଥିଲେ | ୨୦୦୪ ମସିହାରେ ସେ ବିଜୁ ଜନତା ଦଳ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ | ଏହି ନିର୍ବାଚନରେ ସେ ଜିତି ଲୋକସଭାକୁ ନିର୍ବାଚିତ ହୋଇଥିଲେ | ଏହି ସମୟରେ ସେ ଲୋକସଭାର ଗ୍ରାମ୍ୟ ଉନ୍ନୟନ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ କମିଟିର ସଦସ୍ୟ ମଧ୍ୟ ରହିଥିଲେ | ସେହିପରି ୨୦୦୯ରେ ତାଙ୍କୁ ପୁଣି ବିଜେଡି ପକ୍ଷରୁ ଟିକେଟ ଦିଆଯାଇଥିଲା | ଆଉ ୨୦୦୯ ମସିହାରେ ବି ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ | ଏଥର ବି ତାଙ୍କୁ ଲୋକସଭାର ଜଳ ସମ୍ବଳ, ଆଦିବାସୀ ଉନ୍ନୟନ କମିଟିରେ ସଦସ୍ୟ ଭାବେ ସ୍ଥାନ ମିଳିଥିଲା | ମାତ୍ର ୨୦୧୪ ଓ ୨୦୧୯ରେ ବିଜେଡି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରା ନଯିବାରୁ  ୨୦୧୯ ମସିହାରେ ସେ  ବିଜେଡି ଛାଡ଼ି  ବିଜେପିରେ ଯୋଗ ଦେଇଥିଲେ |

ସେ ଏକାଧାରରେ ଜଣେ ଲୋକପ୍ରିୟ ନେତା ଓ ସମାଜସେବୀ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଜଣେ ସ୍ପଷ୍ଟବାଦୀ ବଳିତ ନେତୃତ୍ବର ଅବସାନ ଘଟିଛି।

ସମ୍ବନ୍ଧିତ ଖବର