ଫେରନ୍ତା ଓଡ଼ିଆଙ୍କ ପ୍ରତି ବୈମାତୃକ ମ‌ନୋଭାବ ଠିକ୍ ନୁହେଁ

ଫେରିଲେଣି ୩୫୫୪୦ ପ୍ରବାସୀ ଓଡ଼ିଆ, ଆସନ୍ତା ୪ ସପ୍ତାହ ଚତୁର୍ଥ ପର୍ଯ୍ୟାୟର ସମୟ

ଭୁବନେଶ୍ବର : କିଛିଦିନ ଭିତରେ ରାଜ୍ୟକୁ ୩୫୫୪୦ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଆଜି ଗୋଟିଏ ଦିନରେ ୭୪୫୧ଜଣ ‌ଓଡ଼ିଶା ଫେରିଛନ୍ତି। ଏମାନେ ବସ୍ ଓ ଟ୍ରେନ୍‌ରେ ଓଡ଼ିଶା ଫେରିଛନ୍ତି। ତେବେ ପ୍ରବାସୀ ଓଡ଼ିଆ ଘରକୁ ଫେରିବାକୁ ନେଇ ଅନେକଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଛି। ‌ଯେଉଁ ଓଡ଼ିଆମ‌ାନେ ବାହାରେ ଯେଉଁଠି ଅଛନ୍ତି ସେଇଠି ଥାଆନ୍ତୁ ବୋଲି ‌ଅନେକ ଭାବୁଛନ୍ତି। ହେଲେ ବୃହତ୍ତର ପରିପ୍ରେକ୍ଷୀରେ ଏହାକୁ ଭାବିବାକୁ ହେବ। ଏକ ସଭ୍ୟ ଦେଶରେ ଜନ୍ମ ହେଉଥିବା ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର ରହିଛି। କୌଣସି ନାଗରିକଙ୍କୁ ଏଥିରୁ ବଞ୍ଚିତ କରାଯାଇ ପାରିବନାହିଁ। ଫେରନ୍ତା ଓଡ଼ିଆଙ୍କ ପ୍ରତି ମାନବିକତା ଦୃଷ୍ଟିରେ ଦେଖିବାକୁ ହେବ ବୋଲି କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ବିଶ୍ବର ‌ସର୍ବାଧିକ ସଂକ୍ରମିତ ଦେଶମାନଙ୍କ ଭିତରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍, ଇଟାଲୀ, ୟୁକେ, ଫ୍ରାନସ ଓ ଜର୍ମାନୀ। ଏଠାରେ ଲକ୍ଷାଧିକ ସଂଖ୍ୟାରେ ଲୋକମାନେ ସଂକ୍ରମିତ ହେବା ସହିତ କରୋନାରେ ପ୍ରାଣ ହରାଇଛନ୍ତି। ଏହି ସମସ୍ତ ଦେଶରେ ସଂକ୍ରମିତ ବ୍ୟକ୍ତି କେହି ସୁରତ ଫେରନ୍ତା ନୁହନ୍ତି। ଫେରି ଆସୁଥିବା କିଛି ହାତଗଣତି ବ୍ୟକ୍ତି ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ଗତିଶୀଳ ପରିସ୍ଥିତିରେ ସରକାରଙ୍କ କିଛି ତ୍ରୁଟି ଥାଇପାରେ। ଅତୀତରେ ବନ୍ୟା ଓ ବାତ୍ୟା ସମୟରେ ଯେପରି ପ୍ରଶାସନ ପରିସ୍ଥିତି ସୁଧାର ଆଣିପାରିଥିଲା ଆଗାମୀ ଦିନରେ ସରକାର ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି। ଆସନ୍ତା ୪ ସପ୍ତାହର ଚତୁର୍ଥ ପର୍ଯ୍ୟାୟର ସମୟ। ସରକାରୀ ସମ୍ବଳ ଉପରେ ବିପନ୍ନ ମଣିଷର ସମାନ ଅଧିକାର ରହିଛି। ଫେରନ୍ତା ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ଥଇଥାନ କରିବା ଲାଗି ୬୭୯୮ ଗ୍ରାମ ପଞ୍ଚାୟତ ପ୍ରସ୍ତୁତ ରହିଛି।

ସହରାଞ୍ଚଳରେ ଫେରୁଥିବା ପ୍ରବାସୀ ଓଡ଼ିଆ ଘରେ ସଙ୍ଗରୋଧରେ ରହିପାରିବେ। ଯଦି ସଂପୃକ୍ତ ବ୍ୟକ୍ତିଙ୍କ ଏଭଳି ସୁବିଧା ନାହିଁ ତାହାଲେ ପୌର କର୍ତୃପକ୍ଷଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ସଙ୍ଗରୋଧ ବ୍ୟବସ୍ଥାରେ ରହିପାରିବେ। ଏହାସହ ଯଦି କୌଣସି ବ୍ୟକ୍ତି ଚାହିଁବେ ତାହାଲେ ନିଜ ଖର୍ଚରେ ହୋଟେଲରେ ସଙ୍ଗରୋଧ‌ରେ ରହିପାରିବେ। ତେବେ ଗ୍ରାମାଞ୍ଚଳରେ ସରକାରଙ୍କ ସଙ୍ଗରୋଧ ବ୍ୟବସ୍ଥାରେ ରହିବା ବାଧ୍ୟତାମୂଳକ। ଗର୍ଭବତୀ ମହିଳା, ଶିଶୁ ଓ ଅନ୍ୟମାନଙ୍କୁ ଆବଶ୍ୟକ ସ୍ଥଳେ ଘରେ ସଙ୍ଗରୋଧରେ ରହିପାରିବେ ବୋଲି ଶ୍ରୀ ବାଗଚୀ କହିଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି.କେ ସିଂ କହିଲେ, ଫେରନ୍ତା ଓଡ଼ିଆଙ୍କ ପାଇଁ ସବୁ ଗ୍ରାମ ପଞ୍ଚାୟତରେ ୧୨ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଏଥିରେ ୫ଲକ୍ଷର ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଅନ୍ୟ କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା କରାଯିବାର ନଜିର ନାହିଁ। ଏଠାରେ ଖଟ, ଚଦର, ଟଏଲେଟ୍‌ଠାରୁ ଅନ୍ୟ ସମସ୍ତ ସୁବିଧା ରହିଛି। ଏପରିକି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ହାଇଜିନ୍ କିଟ୍ ପ୍ରଦାନ କରାଯିବ। ଏହାକୁ ସଂପୃକ୍ତ ବ୍ୟକ୍ତି ବ୍ୟବହାର କରିବେ। ସବୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପାଇଁ ଜଣେ ଲେଖାଏ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏପରିକି କ୍ୟାମ୍ପରେ ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ସହିତ ଗ୍ରାମରକ୍ଷୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଏସବୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଲାଗି ପିପିଇ କିଟ୍‌ର ବ୍ୟବସ୍ଥା କରାଯାଇଛି। ଏପରିକି ସବୁ ଜିଲ୍ଲାରେ ଗୁଣାତ୍ମକ ଖାଦ୍ୟ ପ୍ରଦାନ କରିବା ଲାଗି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ସ୍ବତନ୍ତ୍ର ଖାଇବା ମେନୁ ପ୍ରସ୍ତୁତ କରିଛନ୍ତି।

ଅସ୍ଥାୟୀ କ୍ୟାମ୍ପ ପରିସରରେ ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ପ୍ରତ୍ୟେକ ଶଯ୍ୟା ମଝିରେ ୨ମିଟରର ବ୍ୟବଧାନ ରଖାଯାଇଛି। ତେବେ ଯେଉଁ ଯେଉଁ ଅସ୍ଥାୟୀ କ୍ୟାମ୍ପରେ ଟଏଲେଟ୍‌ର ବ୍ୟବସ୍ଥା ନ ଥିଲା ସେଠାରେ ଟଏଲେଟ୍‌ର ବ୍ୟବସ୍ଥା କରାଯାଇଛି। କହିବାକୁ ଗଲେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ ଠିକ୍ ଭାବେ ପରିଚାଳିତ ହେଉଛି। ତେବେ ଯେଉଁ ଫେରନ୍ତା ଓଡ଼ିଆମ‌ାନେ ଅସ୍ଥାୟୀ କ୍ୟାମ୍ପରେ ବିଶୃଙ୍ଖଳିତ ଆଚରଣ କରିବେ ସେମାନଙ୍କୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତରିତ କରାଯିବ। ୧୪ଦିନର ସଙ୍ଗରୋଧ ପରେ ଦିଆଯିବାକୁ ଥିବା ପ୍ରୋତ୍ସାହନ ରାଶିକୁ ବନ୍ଦ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର